ସ୍ୱିଆତେକଙ୍କୁ ଦ୍ୱିତୀୟ ମୁକୁଟ
ପ୍ୟାରିସ୍, ୪ା୬ (ଏଜେନ୍ସି): ଟପ୍ ସିଡ୍ ଇଗା ସ୍ୱିଆତେକ ଶନିବାର ଆମେରିକୀୟ ତରୁଣୀ ୧୮ତମ ସିଡ୍ କୋକୋ ଗଉଫ୍ଙ୍କୁ ହରାଇ ତିନି ବର୍ଷ ମଧ୍ୟରେ ଦ୍ୱିତୀୟ ଫ୍ରେଞ୍ଚ୍ ଓପନ୍ ମୁକୁଟ ହାସଲ କରିଛନ୍ତି । ଏଥିସହିତ ବିଶ୍ୱର ଏକ ନମ୍ବର ଖେଳାଳି ଏକବିଂଶ ଶତାବ୍ଦୀରେ ମହିଳା ଟେନିସ୍ରେ ଆମେରିକାର ଭେନସ୍ ୱିଲିଅମ୍ସଙ୍କ ୩୫-ମ୍ୟାଚ୍ର ଲମ୍ବା ବିଜୟଧାରା ରେକର୍ଡର ସମକକ୍ଷ ହୋଇଛନ୍ତି ।
୨୧ବର୍ଷୀୟା ପୋଲାଣ୍ଡ ଖେଳାଳି ମହିଳା ଏକକ ଫାଇନାଲ୍ରେ ୧୮ବର୍ଷୀୟା ଗଉଫ୍ଙ୍କୁ ୬-୧, ୬-୩ ସେଟ୍ରେ ପରାସ୍ତ କରିଥିଲେ । ଫିଲିପ୍ ଚାର୍ଟିଅର୍ କୋର୍ଟରେ ଖେଳାଯାଇଥିବା ଏହି ମୁକାବିଲା ଆଶାନୁରୂପ ରୋମାଞ୍ଚକର ହୋଇ ନ ଥିଲା ଏବଂ ମାତ୍ର ୬୮ ମିନିଟ୍ରେ ଶେଷ ହୋଇଥିଲା ।
ଚଳିତ ବର୍ଷ ଏହା ସ୍ୱିଆତେକଙ୍କ କ୍ରମାଗତ ଷଷ୍ଠ ମୁକୁଟ ଥିଲା । କ୍ରମାଗତ ଛଅ ଥର ବିଜୟିନୀ ହେବାରେ ସେ ଜଷ୍ଟିନ୍ ହେନିନ୍ (୨୦୦୭/୨୦୦୮)ଙ୍କ ପରେ ପ୍ରଥମ ମହିଳା ଖେଳାଳି । ସେ ଫେବ୍ରୁଆରୀ ମାସରୁ କ୍ରମାଗତ ମ୍ୟାଚ୍ ଜିତି ଆସୁଛନ୍ତି ।
ମ୍ୟାଚ୍ ପରେ ଯେତେବେଳେ ଇଗା ଟ୍ରଫି ନେବାକୁ ଯାଇଥିଲେ, ଚାମ୍ପିଅନ୍ ଅଭିଭାଷଣ ସମୟରେ ପୋଲାଣ୍ଡର ଜାତୀୟ ସଙ୍ଗୀତ ବାଜୁଥିଲା, ସେତେବେଳେ ସେ ଭାବବିହ୍ୱଳ ହୋଇଯାଇଥିଲେ । ଏହାର ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ।
ସେମିଫାଇନାଲ୍ ପର୍ଯ୍ୟାୟରେ ସ୍ୱିଆତେକ ୨୦ତମ ମାନ୍ୟତାଧାରିଣୀ କାସାତକିନାଙ୍କୁ ୬-୨, ୬-୧େରେ ହରାଇଥିବା ବେଳେ କୋକୋ, ମାର୍ଟିନା ଟ୍ରେଭିସନ୍ଙ୍କୁ ୬-୩, ୬-୧ରେ ମାତ୍ ଦେଇଥିଲେ । ରୋଲାଁ ଗାରୋସ୍ରେ ସ୍ୱିଆତେକ ଦ୍ୱିତୀୟ ଥର ଫାଇନାଲ୍ରେ ସ୍ଥାନ ପାଇଥିଲେ । ଏହା ପୂର୍ବରୁ ସେ ୨୦୨୦ ସିଜନ୍ରେ ଆମେରିକାର ସୋଫିଆ କେନିନ୍ଙ୍କୁ ୬-୪, ୬-୧ ସେଟ୍ରେ ହରାଇ ପ୍ରଥମ ଥର ଫ୍ରେଞ୍ଚ୍ ଓପନ୍ ବିଜୟିନୀ ହୋଇଥିଲେ ।
ଗଉଫ୍ ନର୍ଭସ ପ୍ରଦର୍ଶନ ପରେ ଅଶ୍ରୂଳ ନୟନରେ ବିଦାୟ ନେଇଥିଲେ, ଯିଏକି ୨୩ ଅନ୍ଫୋର୍ସଡ୍ ଏରର୍ କରିବା ସହ ତିନି ଡବଲ୍ ଫଲ୍ଟ କରିଥିଲେ । ସ୍ୱିଆତେକଙ୍କ ଶକ୍ତିଶାଳୀ ବ୍ୟାକ୍ହ୍ୟାଣ୍ଡ ବି ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ୨୦୦୪ରେ ରୁଷୀୟ ମାରିଆ ସାରାପୋଭାଙ୍କ ୱିମ୍ବଲଡନ୍ ବିଜୟ ପରେ ଗଉଫ୍ଙ୍କ ପାଖରେ ସର୍ବକନିଷ୍ଠା ଗ୍ରାଣ୍ଡ୍ସ୍ଲାମ୍ ଏକକ ବିଜୟିନୀ ହେବାର ସୁଯୋଗ ଥିଲା । କିନ୍ତୁ ସେ ତାଙ୍କର ପ୍ରଥମ ମେଜର୍ ଫାଇନାଲ୍ରେ ବିଫଳ ହୋଇଥିଲେ । ଏବେ ରବିବାର ହେବାକୁ ଥିବା ମହିଳା ଯୁଗଳ ଫାଇନାଲ୍ ଉପରେ ତାଙ୍କର ଫୋକସ୍ ରହିବ, ଯେଉଁଠି ସେ ନିଜ ଦେଶର ଜେସିକା ପେଗୁଲାଙ୍କ ସହ ମିଶି ସ୍ଥାନୀୟ ଫେଭରିଟ୍ କାରୋଲିନା ଗାର୍ସିଆ ଓ କ୍ରିଷ୍ଟିନା ମ୍ଲାଡେନୋଭିକ୍ଙ୍କ ଆହ୍ୱାନର ସମ୍ମୁଖୀନ ହେବେ ।
ଓପନ୍ ଏରାରେ ସ୍ୱିଆତେକ ୧୦ମ ମହିଳା ଖେଳାଳି ଭାବେ ଏକାଧିକ ଫ୍ରେଞ୍ଚ୍ ଓପନ୍ ମୁକୁଟ ଜିତିଛନ୍ତି । ସେ ଟୁର୍ଣ୍ଣାମେଣ୍ଟରେ ମାତ୍ର ଗୋଟିଏ ସେଟ୍ – ଚତୁର୍ଥ ରାଉଣ୍ଡରେ ହାରିଥିଲେ । ସେ ଗଉଫ୍ଙ୍କ ବିପକ୍ଷରେ ସମସ୍ତ ତିନି ମ୍ୟାଚ୍ ଜିତିବାରେ ସଫଳ ହୋଇଛନ୍ତି ।