ଇସ୍ରାଏଲ୍ ତିଆରି କଲା ଲେଜର୍ ଅସ୍ତ୍ର
ଜେରୁଜେଲମ୍, ୪ା୬: ଆକାଶମାର୍ଗରେ ଶତ୍ରୁର ମାରଣାସ୍ତ୍ରକୁ ଧ୍ୱଂସ କରିବା ପାଇଁ ଇସ୍ରାଏଲ୍ ଲେଜର ଅସ୍ତ୍ର ନିର୍ମାଣ କରିଛି । ଷ୍ଟାର୍ ୱାର୍ ଫିଲ୍ମରେ ପ୍ରଦର୍ଶିତ ଅସ୍ତ୍ର ଭଳି ଏହା ରକେଟ୍, ମୋର୍ଟାର୍ ଗୋଳା, ଡ୍ରୋନ୍ ଓ ଆଣ୍ଟି ଟ୍ୟାଙ୍କ୍ କ୍ଷେପଣାସ୍ତ୍ରକୁ କ୍ଷଣକ ମଧ୍ୟରେ ଆକାଶମାର୍ଗରେ ଧ୍ୱଂସ କରିବାକୁ ସକ୍ଷମ । ତେବେ ଏହି ଯୁଦ୍ଧାସ୍ତ୍ର ମୁତୟନ କରିବାକୁ ଅନେକ ଦିନ ଲାଗିବ ।
ଇସ୍ରାଏଲ୍ ପ୍ରତିରକ୍ଷା ସୂତ୍ର ଅନୁଯାୟୀ ଦେଶର ଦକ୍ଷିଣାଞ୍ଚଳରେ ଲେଜର ସିଷ୍ଟମର ବହୁବାର ସଫଳ ପରୀକ୍ଷଣ କରାଯାଇଛି । ଏହି ଲେଜର ଏୟାର ଡିଫେନ୍ସ ସିଷ୍ଟମର ନାମ ରଖାଯାଇଛି ‘ଆଇରନ୍ ବିମ୍’ । ପୃଥିବୀର ପ୍ରଥମ ଲେଜର ମାରଣାସ୍ତ୍ରର ବିକାଶ ପାଇଁ ଇସ୍ରାଏଲ ସରକାର ପ୍ରଭୂତ ଅର୍ଥରାଶି ବ୍ୟୟ କରିଛନ୍ତି । ଲେଜର୍ ଡିଫେନ୍ସ ସିଷ୍ଟମ ଜଡ଼ିତ ବୈଜ୍ଞାନିକମାନେ କହିଛନ୍ତି ଏହାର ପୂର୍ଣ୍ଣ ଉପଯୋଗ ଓ ମୁତୟନ ପାଇଁ ଅନେକ ବର୍ଷ ଲାଗିଯିବ । ତେବେ ଗାଇଡେଡ୍ ମିସାଇଲ ଓ ଏହା ଧ୍ୱଂସ କରିବାରେ ସକ୍ଷମ ହେବ କି ନାହିଁ, ସେ ବିଷୟରେ ଇସ୍ରାଏଲ୍ କର୍ତ୍ତୃପକ୍ଷ କିଛି କହିନାହାନ୍ତି । ହିଜିବୁଲ୍ଲା ଲେବନାନ୍ ଏହି ସିଷ୍ଟମ ନିର୍ମାଣ କରିଛି । ଚଳିତ ସପ୍ତାହରେ ପ୍ରଧାନମନ୍ତ୍ରୀ ନାଫତାଲି ଭିନେଟ୍ କହିଥିଲେ, ଏହି ଅସ୍ତ୍ର ରଣନୈତିକ ଭାବେ ଗେମ୍ ଚେଞ୍ଜର ହେବ । ଥରେ ଆଇରନ୍ ବିମ୍ ସାହାଯ୍ୟରେ ହମ୍ଲା କଲେ ମାତ୍ର ସାଢ଼େ ତିନି ଡଲାର ଖର୍ଚ୍ଚ ହେଉଛି । ଅପରପକ୍ଷେ ଆଣ୍ଟି ମିସାଇଲ୍ ସିଷ୍ଟମରେ ଖର୍ଚ୍ଚ ହେଉଛି ହଜାର ହଜାର ଡଲାର ।
ନୁ୍ୟୟର୍କ ଟାଇମ୍ସ ରିପୋର୍ଟ ଅନୁଯାୟୀ ଆମେରିକା ସେନା ମଧ୍ୟ ଶକ୍ତିଶାଳୀ ଲେଜର୍ ଅସ୍ତ୍ର ଉଦ୍ଭାବନ ଦିଗରେ ଗବେଷଣା ଜାରି ରଖିଛି । ସଫଳ ହେଲେ ତାହା କ୍ରୁଜ୍ ମିସାଇଲ୍କୁ ମଧ୍ୟ ଧ୍ୱଂସ କରି ଦେଇପାରିବ ।