ପରିକ୍ରମାକୁ ସୁପ୍ରିମ୍ ବଳ
ଜାରି ରହିବ ପ୍ରକଳ୍ପ କାର୍ଯ୍ୟ: ସୁପ୍ରିମ୍କୋର୍ଟ
ଅବୈଧ ନିର୍ମାଣ ଅଭିଯୋଗ ଥିବା ଦୁଇଟିଯାକ ଆବେଦନ ଖାରଜ
ସମୟ ନଷ୍ଟ କରିଥିବାରୁ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା
ନୂଆଦିଲ୍ଲୀ/ପୁରୀ, ୩ା୬: ଓଡ଼ିଶା ସରକାରଙ୍କ ଦ୍ୱାରା ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଚତୁର୍ପାଶ୍ୱର୍ରେ ଅବୈଧ ନିର୍ମାଣ ଓ ଖନନ ଅଭିଯୋଗ ଅଣାଯାଇଥିବା ଦୁଇଟିଯାକ ସ୍ପେଶାଲ୍ ଲିଭ୍ ପିଟିସନ (ଏସ୍ଏଲ୍ପି)କୁ ସୁପ୍ରିମ୍ କୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି । ନ୍ୟାୟମୂର୍ତ୍ତି ବି ଆର୍ ଗବଇ ଓ ନ୍ୟାୟମୂର୍ତ୍ତି ହିମା କୋହଲିଙ୍କ ଅବକାଶକାଳୀନ ନ୍ୟାୟପୀଠ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅନୁଯାୟୀ ନିର୍ମାଣ କାର୍ଯ୍ୟ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ କରାଯାଉଛି । ଏହି ପ୍ରକଳ୍ପ ଉପରେ ରୋକ୍ ଲଗାଯାଇ ପାରିବ ନାହିଁ । ଶ୍ରଦ୍ଧାଳୁମାନଙ୍କୁ ସାର୍ବଜନିକ ସୁବିଧା ଯୋଗାଇବା ଜରୁରୀ ।
କୋର୍ଟଙ୍କ ସମୟ ବରବାଦ କରିଥିବା ଯୋଗୁ ନ୍ୟାୟପୀଠ ଉଭୟ ଆବେଦନକାରୀଙ୍କୁ କଠୋର ଭାଷାରେ ନିନ୍ଦା କରିବା ସହ ଲକ୍ଷେ ଟଙ୍କା ଲେଖାଏଁ ଜରିମାନା ଲଗାଇଛନ୍ତି । ମାସକ ମଧ୍ୟରେ ଆବେଦନକାରୀ ଦ୍ୱୟ ଓଡ଼ିଶା ସରକାରଙ୍କ ନିକଟରେ ଜରିମାନା ଅର୍ଥ ଦାଖଲ କରିବେ । ନ୍ୟାୟପୀଠ କହିଛନ୍ତି, ଆଜିକାଲି ଜନସ୍ୱାର୍ଥ ମାମଲା (ପିଆଇଏଲ୍) ସଂଖ୍ୟା ବଢିବାରେ ଲାଗିଛି । ଅନେକ ପିଆଇଏଲ୍ ପବ୍ଲିସିଟି ବା ପର୍ସନାଲ୍ ଇଣ୍ଟେରେଷ୍ଟ ଲିଟିଗେସନ୍ ପଦବାଚ୍ୟ, ଅର୍ଥାତ୍ ଏସବୁ ନିଜ ପ୍ରଚାର ପାଇଁ ଉଦ୍ଦିଷ୍ଟ । ଏହାଦ୍ୱାରା କେବଳ କୋର୍ଟଙ୍କ ସମୟ ବରବାଦ ହେଉଛି । ଆମେ ଏହାକୁ ନାପସନ୍ଦ କରୁଛୂୁ । ଏ ପ୍ରକାର ଆବେଦନକୁ ଆରମ୍ଭରୁହିଁ ଅଗ୍ରାହ୍ୟ କରିଦିଆଯିବା ଉଚିତ୍ । କୋର୍ଟ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ଯେଉଁ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି ତାହା ଜନହିତ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ଏହାଦ୍ୱାରା ଭକ୍ତଙ୍କୁ ଅନେକ ସୁବିଧା ମିଳିବ । କେବଳ ଜଣେ ବ୍ୟକ୍ତିଙ୍କ
ପାଇଁ ଯଦି ଶୌଚାଳୟ ନିର୍ମାଣ କରାଯାଉଥାନ୍ତା ତେବେ ତାକୁ ରୋକା ଯାଇପାରିବ । ମାତ୍ର ହଜାର ହଜାର ଭକ୍ତଙ୍କ ସୁବିଧା ନିମନ୍ତେ ହେଉଥିବା ପ୍ରକଳ୍ପକୁ ବନ୍ଦ କରାଯାଇ ପାରିବ ନାହିଁ । ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)ର ରିପୋର୍ଟର ଉଲ୍ଲଂଘନ ପୂର୍ବକ ନିର୍ମାଣ କାର୍ଯ୍ୟ ଚାଲିଛି ବୋଲି ଯାହା କୁହାଯାଉଛି, ଏଏସ୍ଆଇ ଡିଜିଙ୍କ ନୋଟ୍ ଅନୁଯାୟୀ ତାହା ସତ୍ୟ ନୁହେଁ । ଆବେଦନକାରୀଙ୍କ ଦଲିଲ ଦୁଇ ଆବେଦନକାରୀ ଉଲ୍ଲେଖ କରିଥିଲେ ଯେ, ରାଜ୍ୟ ସରକାର ପ୍ରାଚୀନ ସ୍ମାରକ, ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ଏବଂ ପ୍ରତ୍ନତତ୍ତ୍ୱ ସ୍ଥଳର ଅଧିନିୟମ ୧୯୫୮ର ଧାରା ୨୦ଏର ଘୋର ଉଲ୍ଲଂଘନ ପୂର୍ବକ କରିଡର ପ୍ରକଳ୍ପ ଜାରି ରଖିଛନ୍ତି । ଶ୍ରୀମନ୍ଦିରର ଦକ୍ଷିଣଦ୍ୱାର ସମ୍ମୁଖରେ ୩୦ଫୁଟ ଗଭୀରର ଖନନ କରାଯାଉଛିି । ଏହାଯୋଗୁ ମନ୍ଦିରର ଗୁମୁଟରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି ଏବଂ ଭବିଷ୍ୟତରେ ଶ୍ରୀମନ୍ଦିର ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହୋଇପାରେ ।
ଆବେଦନକାରୀ ଅଦେ୍ର୍ଦନ୍ଦୁ ଦାସଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହାଲକ୍ଷ୍ମୀ ପାବଣୀ କହିଥିଲେ ଯେ, କୌଣସି ଧର୍ମାନୁଷ୍ଠାନ କିମ୍ବା ଐତିହ୍ୟ ସ୍ଥଳ ନିକଟବର୍ତ୍ତୀ ଅଞ୍ଚଳ ପରିସରରେ ନିର୍ମାଣ କାର୍ଯ୍ୟ ପାଇଁ ଅନାପତ୍ତିପତ୍ର (ଏନ୍ଓସି)ର ଆବଶ୍ୟକତା ରହିଛି । ପ୍ରାଚୀନ ସ୍ମାରକ, ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ଏବଂ ୧୯୫୮ର ପୁରାତନ ସ୍ଥଳୀ ଅଧିନିୟମ ୨୦ଏ’ରେ ଏ ବାବଦରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । କିନ୍ତୁ ରାଜ୍ୟ ସରକାର ଉପଯୁକ୍ତ କର୍ତ୍ତୃପକ୍ଷଙ୍କଠାରୁ ଏନ୍ଓସି ଆଣିନାହାନ୍ତି । ଅନ୍ୟ ଏକ ଦଲିଲରେ ଆବେଦନକାରୀ ସୁମନ୍ତ ଘଡ଼େଇଙ୍କ ପକ୍ଷରୁ ଆଇନଜୀବୀ ବିନୟ ନୱାରେ ଦର୍ଶାଇଥିଲେ ଯେ, ଶ୍ରୀମନ୍ଦିର ବହୁ ଶତାବ୍ଦୀର ପୁରୁଣା ଐତିହ୍ୟ । ଏଠାରେ ଏମିତି ଖନନ କାର୍ଯ୍ୟ ହୋଇପାରିବ ନାହିଁ । ଏହାର ଦାୟିତ୍ୱ ବାହାରେ କାହାକୁ ଦିଆଯାଇ ପାରିବ ନାହିଁ । ଏଏସ୍ଆଇର ଏକ ରିପୋର୍ଟରେ ନିର୍ମାଣ କାର୍ଯ୍ୟ ନିଷିଦ୍ଧାଞ୍ଚଳରେ ହେଉଥିବା ଉଲ୍ଲେଖ ରହିଥିବା ସେ ଉଲ୍ଲେଖ କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡ୍ଭୋକେଟ ଜେନେରାଲ ଅଶୋକ ପରିଜା ଯୁକ୍ତି ବାଢିଥିଲେ ଯେ, ସରକାର ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ରାଷ୍ଟ୍ରୀୟ ସ୍ମାରକୀ କର୍ତ୍ତୃପକ୍ଷ (ନ୍ୟାସନାଲ୍ ମନୁମେଣ୍ଟ୍ସ୍ ଅଥରିଟି – ଏନ୍ଏମ୍ଏ) ଅନୁମତି ପ୍ରଦାନ କରିଛନ୍ତି । ବର୍ତ୍ତମାନର ନିର୍ମାଣ କାର୍ଯ୍ୟ ଦ୍ୱାରା ଅଧିନିୟମ ଧାରା ୨(ଡିସି)ର କୌଣସି ପ୍ରକାର ଉଲ୍ଲଂଘନ ହୋଇ ନାହିଁ । ଡ୍ରେନ ନିର୍ମାଣ, ଜଳ ନିଷ୍କାସନ, ସାର୍ବଜନୀନ ଶୌଚାଳୟ ଆଦି ନିର୍ମାଣ ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ।
ବରିଷ୍ଠ ଆଇନଜୀବୀ ତଥା ସାଂସଦ ପିନାକୀ ମିଶ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଯୁକ୍ତି ବାଢି କହିଥିଲେ, ପ୍ରତ୍ୟେକ ଦିନ ୬୦ହଜାରରୁ ଉଦ୍ଧ୍ୱର୍ ଭକ୍ତ ଶ୍ରୀମନ୍ଦିରକୁ ଆସୁଛନ୍ତି । ତେବେ ରଥଯାତ୍ରା ସମୟରେ ୧୫ରୁ ୨୦ଲକ୍ଷ ଭକ୍ତଙ୍କ ସମାଗମ ହେବ । ତେଣୁ ଏକ ସମୟରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ନେଇ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ସେବାୟତମାନେ ସ୍ୱାଗତ କରୁଛନ୍ତି ।