ବ୍ରଜରାଜନଗରରେ ବିଜେଡିର ବିପୁଳ ବିଜୟ
ଭୁବନେଶ୍ୱର,୩ା୬(ବୁ୍ୟରୋ): ଝାରସୁଗୁଡ଼ା ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନମଣ୍ଡଳୀ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇଛି । ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ତଥା ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ଏଠାରେ ବିପୁଳ ବିଜୟ ହାସଲ କରିଛନ୍ତି । ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କି- ବିଜେପିକୁ କଂଗ୍ରେସ ପଛରେ ପକାଇ ଦେଇ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛି । ବିଜେପି ଏଠାରେ ଅମାନତ୍ ହରାଇଛି । ବିଜେଡିର ଏହି ବଡ଼ ବିଜୟ ପରେ ଝାରସୁଗୁଡ଼ାରୁ ନେଇ ଭୁବନେଶ୍ୱର ପର୍ଯ୍ୟନ୍ତ ଦଳୀୟ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି ।
ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ମୋଟ୍ ୯୩ ହଜାର ୯୫୩ ଖଣ୍ଡ ଭୋଟ୍ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ୨୭ ହଜାର ୮୩୧ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା ୨୨ ହଜାର ୬୩ଠ ଖଣ୍ଡ ଭୋଟ୍ ସହ ତୃତୀୟ ସ୍ଥାନକୁ ଖସିଯାଇଛନ୍ତି । ବିଜେଡି ପ୍ରାର୍ଥୀ ଅଳକା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କିଶୋର ପଟେଲଙ୍କୁ ୬୬ ହଜାର ୧୨୨ ଖଣ୍ଡ ଭୋଟ୍ରେ ହରାଇ ବାଜିମାତ୍ କରିଛନ୍ତି । ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀଙ୍କୁ ଏଠାରେ ମାତ୍ର ୩୧ଠ୫ ଖଣ୍ଡ ଭୋଟ୍ ମିଳିଥିବାବେଳେ ନୋଟାରେ ପଡ଼ିଛି ୧୫୧୧ ଭୋଟ୍ ।
ଗତ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହୋଇଥିଲା । ଆଜି (ଶୁକ୍ରବାର) ନିର୍ଦ୍ଧାରିତ ସମୟରେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ଗଣତି ଆରମ୍ଭରୁ ହିଁ ବିଜେଡି ପ୍ରାର୍ଥୀ ଅଳକା ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଢେର୍ ପଛରେ ପକାଇଥିଲେ । ଭୋଟ୍ ଗଣତି ଟ୍ରେଣ୍ଡ୍ରେ ଅଳକାଙ୍କ ଭୋଟ୍ ବ୍ୟବଧାନ ବଢ଼ି ଚାଲିଥିବାବେଳେ ଦ୍ୱିତୀୟ ସ୍ଥାନରେ କିଏ ରହିବ, ତାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇଥିଲା । ଗଣତି ଆରମ୍ଭରେ ବିଜେପି ଦ୍ୱିତୀୟ ନମ୍ବରରେ ଥିବାବେଳେ କଂଗ୍ରେସ ତୃତୀୟରେ ଥିଲା । ହେଲେ ଗଣତି ଶେଷ ଆଡ଼କୁ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଲିଡ୍ କରିଥିଲା ।
ଆଗକୁ ୨ଠ୨୪ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ବ୍ରଜରାଜନଗର ଉପନିର୍ବାଚନକୁ ଏସିଡ୍ ଟେଷ୍ଟ୍ ବୋଲି ରାଜନୈତିକ ବିଶେଷଜ୍ଞମାନେ ବିବେଚନା କରୁଥିଲେ । ତେବେ ଫଳାଫଳ ଆସିବା ପରେ ବିଜେପିକୁ ଜୋରଦାର ଝଟ୍କା ଲାଗିଛି । ମୁଖ୍ୟ ବିରୋଧୀ ଦଳର ମାନ୍ୟତା ପାଇଥିବା ବିଜେପି ଏହି ଉପନିର୍ବାଚନରେ ତୃତୀୟ ସ୍ଥାନକୁ ଚାଲିଆସିବାକୁ ସହଜରେ ହଜମ କରିପାରୁନାହାନ୍ତି ଦଳୀୟ ନେତା । କାରଣ ୨ଠ୧୯ ପରେ ଯେତେ ଉପନିର୍ବାଚନ ହୋଇଛି, ସବୁଠି କଂଗ୍ରେସ ତୃତୀୟ ସ୍ଥାନରେ ରହିବା ସହ କିଛି ସ୍ଥାନରେ ଅମାନତ୍ ହରାଇଛି । ହେଲେ ବ୍ରଜରାଜନଗର ଉପନିର୍ବାଚନରେ କଂଗ୍ରେସ ବିଜେପି ଠାରୁ ୫ ହଜାର ୨ଠଠ ଖଣ୍ଡ ଭୋଟ୍ ଅଧିକ ପାଇଛି । ୨ଠ୧୯ରେ ବିଜେପିର ରାଧାରାଣୀ ପଣ୍ଡା ୬୮ ହଜାର ୧୫୩ ଖଣ୍ଡ ଭୋଟ୍ ପାଇଥିଲେ । ଏଥର ବିଜେପିକୁ ଗତଥର ତୁଳନାରେ ୪୫ ହଜାର ୫୨୩ କମ୍ ଭୋଟ୍ ମିଳିଛି । ସେପଟେ କଂଗ୍ରେସର ଟାଣୁଆ ନେତା କିଶୋର ପଟେଲ ପ୍ରାର୍ଥୀ ହେବା, ଉପନିର୍ବାଚନ ବେଳେ ପିସିସି ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ନୂଆ ଦାୟିତ୍ୱ ମିଳିବା, ଛତିଶଗଡ଼ରେ କଂଗ୍ରେସ ସରକାର ଥିବା ସେଠାକାର ନେତାଙ୍କ ସହଯୋଗ ମିଳିବା ଓ ବିଶେଷ କରି କଂଗ୍ରେସ ନେତା ଏକାଠି ହୋଇ ଲଢ଼ିବା ଯୋଗୁ ଦ୍ୱିତୀୟ ସ୍ଥାନ ହାସଲ କରିଥିବା କୁହାଯାଉଛି । ୨ଠ୨୪ ନିର୍ବାଚନ ପାଇଁ ଏହା ଏକ ସଂକେତ ବୋଲି କହିହେବ ।
ଅନ୍ୟପକ୍ଷରେ ବ୍ରଜରାଜନଗରରେ ବିଜେଡିର ଭୋଟ୍ ବଢ଼ିଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା- ଏଥର ଉପନିର୍ବାଚନରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିନଥିଲେ । ଷ୍ଟାର୍ ପ୍ରଚାରକ ତାଲିକାରେ ସର୍ବପ୍ରଥମ ନାମ ଥିଲେ ବି ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ କିମ୍ବା ଭର୍ଚୁଆଲ୍ ପ୍ରଚାର କରିନାହାନ୍ତି । ଏହାସତ୍ତ୍ୱେ ବିଜେଡିକୁ ବିପୁଳ ସଫଳତା ମିଳିଛି ।
ଗତ ୨ଠ୧୯ ନିର୍ବାଚନରେ ଏଠାରୁ ସ୍ୱର୍ଗତ କିଶୋର ମହାନ୍ତି ୧୨ ହଜାର ଭୋଟ୍ ବ୍ୟବଧାନରେ ଜିତିଥିଲେ । ହେଲେ ତାଙ୍କ ଧର୍ମପତ୍ନୀ ଏହି ଉପନିର୍ବାଚନରେ ୬୬ ହଜାରରୁ ଅଧିକ ଭୋଟ୍ ବ୍ୟବଧାନରେ ବାଜିମାତ୍ କରିଛନ୍ତି । ବିଜେଡିର ମାଇକ୍ରୋ ମ୍ୟାନେଜମେଣ୍ଟ, ପଞ୍ଚାୟତସ୍ତରରେ ବିଜେଡି ନେତା ଗଡ଼ ଜଗିବା ଏବଂ ଅନୁକମ୍ପାମୂଳକ ଭୋଟ୍ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ବିଜେଡି ପାଇଁ ଏହି ବଡ଼ ବିଜୟ ଆଣି ଦେଇଥିବା କୁହାଯାଉଛି । ଅନ୍ୟପକ୍ଷରେ ଚିରାଚରିତ ଭାବେ ନିର୍ବାଚନରେ ପରାଜିତ ହେବା ପରେ ବିରୋଧୀ ସରକାରୀ କଳର ଅପବ୍ୟବହାର ନେଇ ଅଭିଯୋଗ ଆଣିଛନ୍ତି ।
ବ୍ରଜରାଜନଗର ଫଳାଫଳ ଆସିବା ପରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ବ୍ରଜରାଜନଗରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ବିଜୟୀ ପ୍ରାର୍ଥିନୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ନିଷ୍ଠାପର ଉଦ୍ୟମ କରିଥିବାରୁ ସେ କର୍ମୀମାନଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଏହି ବିଜୟ ସେବା ସଂକଳ୍ପକୁ ଆହୁରି ଦୃଢ଼ କରିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଅନ୍ୟପକ୍ଷରେ ଦଳୀୟ ପ୍ରାର୍ଥୀଙ୍କ ପରାଜୟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଜନତାଙ୍କ ରାୟକୁ ସମ୍ମାନ ଜଣାଉଛି । ଗଣତନ୍ତ୍ରରେ ଜନତାଙ୍କ ରାୟ ହେଉଛି ସବୁଠୁ ଉପରେ । ଆଗାମୀ ଦିନରେ ସଂଗଠନକୁ କିପରି ଅଧିକ ମଜଭୁତ କରାଯାଇପାରିବ, ସେନେଇ ମାନସମନ୍ଥନ କରାଯିବ । ଜନକଲ୍ୟାଣ ଓ ଲୋକସମ୍ପର୍କ ମାଧ୍ୟରେ ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି । ସେପଟେ ପରାଜୟ ସତ୍ତ୍ୱେ କଂଗ୍ରେସରେ ସେତେଟା ନିରୁତ୍ସାହ ଦେଖିବାକୁ ମିଳିନି । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଉପନିର୍ବାଚନ ଫଳାଫଳ କଂଗ୍ରେସର ମୋଡ ବଦଳାଇବ । ଏହି ଫଳାଫଳକୁ ସେ ଟର୍ଣ୍ଣିଂପଏଣ୍ଟ ବୋଲି କହିବା ସହ ଏବେ ବିଜେଡି ସହ କଂଗ୍ରେସର ଲଢ଼େଇ ହେବ ବୋଲି ଗଣମାଧ୍ୟମକୁ କହିଛନ୍ତି ।