ପିଏଫ୍ ସୁଧ ୪୦ ବର୍ଷରେ ସର୍ବନିମ୍ନ
୮.୧%କୁ ହ୍ରାସ, ପ୍ରଭାବିତ ହେବେ ୬ କୋଟି କର୍ମଚାରୀ
ନୂଆଦିଲ୍ଲୀ, ୩ା୬: ୨ଠ୨୧-୨୨ ଅର୍ଥବର୍ଷ ପାଇଁ କେନ୍ଦ୍ର ସରକାର ପିଏଫ୍ ଜମା ରାଶି ଉପରେ ସୁଧ ହାର ହ୍ରାସ କରିଛନ୍ତି । ୨ଠ୨୧-୨୨ ପାଇଁ ଇପିଏଫ୍ ସୁଧହାର ୮.୫% ବଦଳରେ ୮.୧% କରାଯିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍ଓ) ପକ୍ଷରୁ ଶୁକ୍ରବାର ଏନେଇ ସରକାରୀ ବିଜ୍ଞପ୍ତି ଜାରି କରାଯାଇଛି । ତେବେ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ମଞ୍ଜୁରି ମିଳିବା ପରେ ଇପିଏଫ୍ର ଏହି ପରିବର୍ତ୍ତିତ ସୁଧହାର ଲାଗୁ କରାଯିବ ।
ଉଲ୍ଲେଖଯୋଗ୍ୟ, ଇପିଏଫ୍ ସୁଧହାର ହ୍ରାସ କ୍ଷେତ୍ରରେ ଗତ ୪ଠ ବର୍ଷ ମଧ୍ୟରେ ଏହା ସର୍ବନିମ୍ନ ବୋଲି ବିବେଚନା କରାଯାଉଛି । ପୂର୍ବ ଅର୍ଥବର୍ଷରେ ଇପିଏଫ୍ ଜମା ରାଶି ଉପରେ କର୍ମଚାରୀମାନଙ୍କୁ ୮.୫% ସୁଧହାର ମିଳୁଥିବା ବେଳେ ଏଣିକି ଏହା ୮.୧%କୁ ହ୍ରାସ କରାଯାଇଛି । ଅର୍ଥାତ୍ ୧୯୭୭-୭୮ ପରେ କର୍ମଚାରୀଙ୍କ ଦ୍ୱାରା ନିଜର ଅବସର ପାଣ୍ଠିରେ ଜମା କରାଯାଇଥିବା ଏହା ସବୁଠୁ କମ୍ ସୁଧ ହାର । ଏହି ଅର୍ଥବର୍ଷରେ ଇପିଏଫ୍ ଜମା ରାଶି ଉପରେ କର୍ମଚାରୀଙ୍କୁ ୮% ସୁଧହାର ପ୍ରଦାନ କରାଯାଇଥିଲା । ଏହା ପରଠାରୁ ଇପିଏଫ୍ ଜମା ରାଶି ଉପରେ ୮.୨୫% କିମ୍ବା ତଦୁଦ୍ଧ୍ୱର୍ ରହୁଥିବା ଦେଖିବାକୁ ମିଳିଥିଲା । ସେହିପରି ଗତ ଦୁଇ ଅର୍ଥ ବର୍ଷ ଅର୍ଥାତ୍ ୨ଠ୧୯-୨ଠ ଏବଂ ୨ଠ୨ଠ-୨୧ ବର୍ଷ ପାଇଁ ମଧ୍ୟ ଇପିଏଫ୍ ସୁଧହାର ୮.୫ଠ% ରହିଥିଲା । ସୂଚନାଯୋଗ୍ୟ ଦେଶର ପ୍ରାୟ ୬କୋଟି କର୍ମଚାରୀ ଇପିଏଫ୍ ଉପଭୋକ୍ତା ଭାବେ ପଞ୍ଜିକୃତ ଅଛନ୍ତି । ସୁତରାଂ କେନ୍ଦ୍ର ସରକାରଙ୍କ ଏବେରପିଏଫ୍ ସୁଧହାର ହ୍ରାସଜନିତ ନିଷ୍ପତ୍ତି ଫଳରେ ଏମାନେ ପ୍ରଭାବିତ ହେବା ନିଶ୍ଚିତ ହୋଇଯାଇଛି ।
ସୂଚନାଯୋଗ୍ୟ ଇପିଏଫ୍ଓ ଆଇନ୍ ଅନ୍ତର୍ଗତ କର୍ମଚାରୀଙ୍କ ବେସିକ୍ ଦରମା ସହ ମିଳୁଥିବା ଅନ୍ୟାନ୍ୟ ଭତ୍ତାକୁ ମିଶାଇ ମୋଟ୍ ଦରମାର ୧୨% ପିଏଫ୍ ଆକାଉଣ୍ଟରେ ଜମା ହୋଇଥାଏ । ସେହିପରି କମ୍ପାନୀ ନିୟମ ଅନୁସାରେ କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ନିଜ କର୍ମଚାରୀଙ୍କ ଦରମାର ୧୨% ପିଏଫ୍ ଆକାଉଣ୍ଟରେ ଜମା କରାଇଥାନ୍ତି । ତେବେ ଏଥିମଧ୍ୟରୁ ୩.୬୭% କର୍ମଚାରୀଙ୍କ ପିଏଫ୍ ଆକାଉଣ୍ଟରେ ଜମା ହେଉଥିବା ବେଳେ ବାକି ୮.୩୩% କର୍ମଚାରୀଙ୍କ ପେନସନ୍ ସ୍କିମ୍ ଖାତାରେ ଜମା ହୋଇଥାଏ । ୧୯୫୨ରେ ପ୍ରଥମ ଥର ପାଇଁ କର୍ମଚାରୀଙ୍କ ପାଇଁ ଇପିଏଫ୍ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ସେତେବେଳେ ବାର୍ଷିକ ମାତ୍ର ୩% ସୁଧହାର ନିର୍ଦ୍ଧାରିତ କରାଯାଇଥିଲା । ୧୯୭୨ ବେଳକୁ ଏହା ୬%ରେ ଏବଂ ୧୯୮୪ ବେଳକୁ ଇପିଏଫ୍ ସୁଧହାର ୧ଠ%ରୁ ଅଧିକ ରହିଥିଲା । ତେବେ ୧୯୮୯ରୁ ୧୯୯୯ ଅର୍ଥବର୍ଷ ଇପିଏଫ୍ ସୁଧହାର ଇପିଏଫ୍ ଇତିହାସରେ ସ୍ୱର୍ଣ୍ଣିମ ଅଧ୍ୟାୟ ରହିଥିଲା । ଏହି ୧ଠବର୍ଷ ମଧ୍ୟରେ ଇପିଏଫ୍ ଜମାରାଶି ଉପରେ ସୁଧହାର ୧୨% ରହିଥିଲା । ତେବେ ଏହା ପରଠାରୁ ଇପିଏଫ୍ ସୁଧହାର ନିୟମିତ ଭାବେ ହ୍ରାସ ପାଇବା ଆରମ୍ଭ ହୋଇଯାଇଥିଲା । ଗତ ୭ବର୍ଷ ଧରି ପିଏଫ୍ ସୁଧହାର ୮.୫ଠ%ରୁ କମ୍ ରହିଆସିବା ଦେଖିବାକୁ ମିଳିଛି ।