୧୨ ମାସରେ ୬ଠ ମ୍ୟାଚ୍

ଟିମ୍ ଇଣ୍ଡିଆର ବ୍ୟସ୍ତ କାର୍ଯ୍ୟସୂଚୀ
ନୂଆଦିଲ୍ଲୀ, ୩ା୬ (ଏଜେନ୍ସି): ଟିମ୍ ଇଣ୍ଡିଆର ଆଗାମୀ ୧୨ ମାସ ମଧ୍ୟରେ ବହୁତ ବ୍ୟସ୍ତ କ୍ୟାଲେଣ୍ଡର ରହିଛି । ଭାରତୀୟ ଟିମ୍ ଏହି ସମୟ ମଧ୍ୟରେ ପ୍ରାୟ ୬୦ଟି ମ୍ୟାଚ୍ ଖେଳିବ, ଯେଉଁଥିରେ ୩୨ଟି ଅର୍ଥାତ୍ ୫୩ ପ୍ରତିଶତ ମ୍ୟାଚ୍ ହେଉଛି ଟି-୨୦ । ଜୁନ୍ ୯ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା ଖେଳିବ । ଏଥିରେ ଭାରତର ଦ୍ୱିତୀୟ ଟିମ୍ ଖେଳିବ । ଏହି ଟିମ୍ ଆୟରଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍ର ଟି-୨୦ ଶୃଙ୍ଖଳା ବି ଖେଳିବ । ଭାରତର ମୁଖ୍ୟ ଟିମ୍ ଇଂଲଣ୍ଡ ଗସ୍ତରେ ଯାଇ ଏକମାତ୍ର ଟେଷ୍ଟ, ତିନିଟି ଦିନିକିଆ ଓ ତିନିଟି ଟି-୨୦ ମ୍ୟାଚ୍ ଖେଳିବ ।
ଏହାପରେ ଟିମ୍ ଇଣ୍ଡିଆ ତିନିଟି ଦିନିକିଆ ଓ ପାଞ୍ଚଟି ଟି-୨୦ ମ୍ୟାଚ୍ ଖେଳିବା ପାଇଁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବ । ଏହାପରେ ଦ୍ୱିତୀୟ ଟିମ୍ ତିନିଟି ଦିନିକିଆ ପାଇଁ ଜିମ୍ବାୱେ ଗସ୍ତ କରିବ । ଏହି ଶୃଙ୍ଖଳା ବିଶ୍ୱକପ୍ ସୁପର୍ ଲିଗ୍ର ଅଂଶବିଶେଷ ହେବ । ଏହାପରେ ଟିମ୍ ଏସିଆ କପ୍ରେ ଖେଳିବ । ଏହା ଜରିଆରେ ଟିମ୍ ଟି-୨୦ ବିଶ୍ୱକପ୍ର ପ୍ରସ୍ତୁତି କରିବ । ଏସିଆ କପ୍ ପୂର୍ବରୁ ଭାରତ, ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ୍ ବି ଖେଳିପାରେ । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତିନିଟି ଦିନିକିଆ ଓ ତିନିଟି ଟି-୨୦ ମ୍ୟାଚ୍ ଖେଳିବ । ୨୦୨୦ରେ ଏହି ଶୃଙ୍ଖଳା କୋଭିଡ୍ ଯୋଗୁଁ ସମ୍ଭବ ହୋଇ ନ ଥିଲା । ଏହାଛଡ଼ା ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ସହ ତିନିଟି ଟି-୨୦ ମ୍ୟାଚ୍ ଖେଳିବ ।
ଏହାପରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ରେ ଭାଗ ନେବ । ଏହି ଟୁର୍ଣ୍ଣାମେଣ୍ଟ ଶେଷ ହେବା ପରେ ଭାରତୀୟ ଟିମ୍ ଦିନିକିଆ କ୍ରିକେଟ୍ ଉପରେ ଫୋକସ୍ କରିବ, କାରଣ ଆସନ୍ତା ବର୍ଷ ଭାରତରେହିଁ ବିଶ୍ୱକପ୍ ହେବାର କାର୍ଯ୍ୟକ୍ରମ ରହିଛି । ଟିମ୍ ତିନିଟି ଦିନିକିଆ ଓ ତିନିଟି ଟି-୨୦ ଖେଳିବାକୁ ନୁ୍ୟଜିଲାଣ୍ଡ ଗସ୍ତ କରିବ । ଶ୍ରୀଲଙ୍କା ବିପକ୍ଷରେ ପାଞ୍ଚ ଦିନିକିଆ ଆୟୋଜନ କରିବ । ନୁ୍ୟଜିଲାଣ୍ଡ ତିନିଟି ଦିନିକିଆ ଓ ତିନିଟି ଟି-୨୦ ଖେଳିବାକୁ ଭାରତ ଆସିବ । ଏହାପରେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫି (ଚାରିଟି ଟେଷ୍ଟର ଶୃଙ୍ଖଳା) ଖେଳାଯିବ ।
ଆହ୍ୱାନ ହେବ ଟିମ୍ ଚୟନ
ଆସନ୍ତା ଏକ ବର୍ଷ ମଧ୍ୟରେ ଚୟନକାରୀ ଓ ଥିଙ୍କ୍ଟ୍ୟାଙ୍କ୍ ଆଗରେ ପ୍ରତି ଶୃଙ୍ଖଳା ପାଇଁ ଟିମ୍ ଚୟନ ବଡ଼ ଆହ୍ୱାନ ହେବ । ତେବେ ଏହା ଭଲ କଥା ଯେ ସବୁ ଖେଳାଳି ସବୁ ଫର୍ମାଟ୍ରେ ଖେଳନ୍ତି ନାହିଁ । ଚେତେଶ୍ୱର ପୂଜାରା, ହନୁମା ବିହାରୀ, କେଏସ୍ ଭରତ, ଉମେଶ ଯାଦବ, ରବିଚନ୍ଦ୍ରନ୍ ଅଶ୍ୱିନ ଓ ମହମ୍ମଦ ସିରାଜ କେବଳ ଟେଷ୍ଟ ଟିମ୍ର ଅଂଶବିଶେଷ । ରୋହିତ ଶର୍ମା, ବିରାଟ କୋହଲି, ରିଷଭ ପନ୍ତ, ଲୋକେଶ ରାହୁଲ, ଯଶପ୍ରୀତ ବୁମ୍ରା ସବୁ ଫର୍ମାଟ୍ର ଖେଳାଳି ।
ତେବେ ଆଘାତ ଅଥବା ୱାର୍କଲୋଡ୍ ମ୍ୟାନେଜ୍ମେଣ୍ଟ ଅନୁଯାୟୀ ଏହି ଖେଳାଳିମାନଙ୍କୁ ବିଶ୍ରାମ ମିଳୁଛି । ରୋହିତଙ୍କୁ ୨୦୨୦ ମାର୍ଚ୍ଚ ପରଠାରୁ ଅନେକ ଥର ଏନ୍ଜୁରୀ ବ୍ରେକ୍ ମିଳିଛି । ଗତ ଦୁଇ ବର୍ଷ ମଧ୍ୟରେ କୋହଲିଙ୍କୁ ମଧ୍ୟ ପାଟରନିଟି ବ୍ରେକ୍, ୱାର୍କଲୋଡ୍ ମ୍ୟାନେଜ୍ମେଣ୍ଟ ଅଥବା ସ୍ୱାଭାବିକ ବିଶ୍ରାମ ମିଳିଛି । ଶୁଭମନ ଗିଲ୍ ଓ ମୟଙ୍କ ଅଗ୍ରୱାଲ୍ଙ୍କ ଭଳି କେତେକ ଖେଳାଳି ଟେଷ୍ଟ ଟିମ୍ର ଅଂଶବିଶେଷ ହୋଇପାରନ୍ତି ।
କେବଳ ଯୁବ ଓ ଅପ୍କମିଙ୍ଗ୍ ଖେଳାଳିଙ୍କ ପାଇଁ କ୍ୟାଲେଣ୍ଡର କଠିନ ହେବ, କାରଣ ଏହି ଖେଳାଳିମାନଙ୍କୁ ଟି-୨୦ ଦ୍ୱିପାକ୍ଷିକ ଶୃଙ୍ଖଳାରେ ସବୁଠାରୁ ଅଧିକ ସୁଯୋଗ ମିଳୁଛି ଏବଂ ଭାରତ ଆସନ୍ତା ଏକ ବର୍ଷ ମଧ୍ୟରେ ସର୍ବାଧିକ ଟି-୨୦ ମ୍ୟାଚ୍ ଖେଳିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *