ଗ୍ରାମ୍ୟ ପର୍ଯ୍ୟଟନର ନୂଆ କେନ୍ଦ୍ର ହେବ ବୀରଗୋବିନ୍ଦପୁର
ବିଭିନ୍ନ ସୌନ୍ଦର୍ଯ୍ୟକରଣ କାମର ଭିତ୍ତିପ୍ରସ୍ତର ସ୍ଥାପନ କଲେ କେନ୍ଦ୍ରମନ୍ତ୍ରୀ
ପୁରୀ/ସାକ୍ଷୀଗୋପାଳ (ବୁ୍ୟରୋ/ଆପ୍ର): ଓଡ଼ିଶାର ଗ୍ରାମ୍ୟ ଜୀବନରେ ବୀରଗୋବିନ୍ଦପୁର ଗ୍ରାମକୁ ଗୋଟିଏ ପର୍ଯ୍ୟଟନ କେନ୍ଦ୍ର ତଥା ସୁସଜ୍ଜିତ, ସମୃଦ୍ଧ ଓ ସଂସ୍କୃତି ସମ୍ପନ୍ନ ଅଞ୍ଚଳ କରାଯିବ । ଏଥିପାଇଁ ଆମେ ସମସ୍ତେ ସାମୂହିକ ଦାୟିତ୍ୱ ନେବା ଉଚିତ୍ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀ ଜିଲ୍ଲା ସାକ୍ଷୀଗୋପାଳ ବୀରଗୋବିନ୍ଦପୁର ଗ୍ରାମ ତଥା ମା’ ଦକ୍ଷୀଣାକାଳୀଙ୍କ ପୀଠ ପରିସରରେ ଇଣ୍ଡିଆନ ଅଏଲ୍ର ସାମାଜିକ ଦାୟିତ୍ୱବୋଧ (ସିଏସଆର) ଅନ୍ତର୍ଗତ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାମର ଭିତିପ୍ରସ୍ତର ସ୍ଥାପନ କରିବା ଅବସରରେ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ବୀରଗୋବିନ୍ଦପୁର ମୋ ପାଇଁ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର । ଏହି ଗ୍ରାମ ସହ ମୋର ପ୍ରାୟ ୩୦ ବର୍ଷରୁ ଅଧିକ ସମ୍ପର୍କ । ମୋର ପିଲାବେଳର ବନ୍ଧୁଙ୍କ ଆମନ୍ତ୍ରଣରେ ମୁଁ ଏଠାକୁ କାଳିପୂଜା ଦେଖିବାକୁ ଆସିଥିଲି । ସେ ସମୟରେ ମଧ୍ୟ ଗାଁରେ ଥିବା ମା’ ଦକ୍ଷୀଣାକାଳୀଙ୍କ ପ୍ରତି ଶ୍ରଦ୍ଧାକୁ ମୁଁ ମର୍ମେ ଅନୁଭବ କରିପାରିଥିଲି । ଏହି ଅଞ୍ଚଳର ସୌନ୍ଦର୍ଯ୍ୟକରଣକୁ ବଢ଼ାଇବା ପାଇଁ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏଠାରେ କମୁ୍ୟନିଟି ହଲ୍, ଯୋଗ ସେଣ୍ଟର, ଶିଶୁ ଉଦ୍ୟାନ ନିର୍ମାଣ କରାଯିବ । ୫୦ଟି ସୋଲାର୍ ଲାଇଟ୍ ଦ୍ୱାରା ଆଲୋକୀକରଣର ବ୍ୟବସ୍ଥା କରାଯିବ । ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରାଯିବ । ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ ସହ ଦୁଇଟି ପୋଖରୀର ସୌନ୍ଦର୍ଯ୍ୟକରଣ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁଶାସନର ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ବୀରଗୋବିନ୍ଦପୁର ଗ୍ରାମରେ ଏହି ସୁବିଧା ହେବା ଦ୍ୱାରା କେବଳ ଗ୍ରାମବାସୀ ନୁହେଁ ବରଂ ବିଶେଷ ଭାବରେ କାଳୀପୂଜା ସମୟରେ ମା’ଦକ୍ଷିଣକାଳୀଙ୍କ ଦର୍ଶନ ପାଇଁ ଏଠାକୁ ଆସୁଥିବା ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଉପକୃତ ହେବେ । ଏହି କାର୍ଯ୍ୟ ମା’ ଦକ୍ଷିଣକାଳୀଙ୍କ ପୀଠ ଶୋଭାବର୍ଦ୍ଧନକୁ ବଢ଼ାଇବ । ପ୍ରଧାନମନ୍ତ୍ରୀ ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ଦେଉଥିବା ବେଳେ ବୀରଗୋବିନ୍ଦପୁର ଗ୍ରାମରେ ବିଶେଷ ଭାବରେ ଗ୍ରାମାଞ୍ଚଳର ମା’ ଓ ଭଉଣୀଙ୍କୁ କମ୍ପୁ୍ୟଟର ପ୍ରଶିକ୍ଷଣ ଦେବା ପାଇଁ କମ୍ପୁ୍ୟଟର ଲ୍ୟାବ୍ ଥିବା ଏକ ଆଧୁନିକ ପାଠାଗାର ସ୍ଥାପନ କରିବା ପାଇଁ ଇଣ୍ଡିଆନ ଅଏଲକୁ ଶ୍ରୀ ପ୍ରଧାନ ପ୍ରସ୍ତାବ ଦେଇଥିଲେ ।
ସେହିପରି ନିର୍ମାଣ ହେବାକୁ ଥିବା କମୁ୍ୟନିଟି ହଲ୍ରେ ସନ୍ଧ୍ୟା ସମୟରେ ଭାଗବତ ପଢ଼ା ସହ ବିଭିନ୍ନ ଧାର୍ମିକ କାର୍ଯ୍ୟ କରିବା ଉପରେ ଶ୍ରୀ ପ୍ରଧାନ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ବର୍ତ୍ତମାନ ସମୟରେ ଗରିବ କଲ୍ୟାଣ, ସେବା ଓ ସମନ୍ୱୟର କଳ୍ପନା କରାଯାଉଛି । ଏହି ଏକବିଂଶ ଶତାବ୍ଦୀରେ ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ ବିଶ୍ୱ କଲ୍ୟାଣର ଭାବନାକୁ ଉଜାଗର କରିବା ଦରକାର । ସୂଚନାଯୋଗ୍ୟ ଯେ, ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମା’ ଦକ୍ଷୀଣାକାଳୀଙ୍କ ପୀଠକୁ ଯାଇ ମା’ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।
କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଅଲେଖ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ପୁଲିସ୍ ମହାନିଦେ୍ର୍ଦଶକ ଗୋପାଳ ଚନ୍ଦ୍ର ନନ୍ଦ, ସତ୍ୟବାଦୀ ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂ, ସ୍ଥାନୀୟ ନେତା ଓମ୍ପ୍ରକାଶ ମିଶ୍ର, ପୂର୍ବତନ ବିଧାୟକ ରବି ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଆଇଓସିଏଲ୍ର ସାଧାରଣ ପରିଚାଳକ ଧନ୍ୟବାଦ ଦେଇଥିଲେ ।