ସଂଖ୍ୟାଲଘୁ ସର୍ବାଧିକ ଅସୁରକ୍ଷିତ

ୱାଶିଂଟନ୍ (ଏଜେନ୍ସି): ଆମେରିକା ୨ଠ୨୧ ବର୍ଷ ପାଇଁ କମିଶନ୍ ଅନ୍ ଇଣ୍ଟରନ୍ୟାସନାଲ ରିଲିଜିୟସ୍ ଫ୍ରିଡମ୍ (ଅନ୍ତର୍ଜାତୀୟ ଧର୍ମ ସ୍ୱାଧୀନତା ଆୟୋଗ) ବା ୟୁଏସ୍ସିଆଇଆରଏଫ୍ ରିପୋର୍ଟ ଜାରି କରିଛି । ଏଥିରେ ଭାରତରେ ସଂଖ୍ୟାଲଘୁଙ୍କ ଧର୍ମ ସ୍ୱାଧୀନତାକୁ ନେଇ ବିଶେଷ ଭାବେ ଟିପ୍ପଣୀ କରାଯାଇଥିବା ଦେଖିବାକୁ ମିଳିଛି । ଆୟୋଗ ପକ୍ଷରୁ ଭାରତରେ ଧର୍ମ ଆଧାରରେ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ନିର୍ଯାତନା ତଥା ଅତ୍ୟାଚାରକୁ ନେଇ ଉଦ୍ବେଗ ପ୍ରକାଶ କରାଯାଇଛି । ଏତଦ୍ବ୍ୟତୀତ ଭାରତର ଦୁଇ ପ୍ରଦେଶ ସରକାର (ଉତ୍ତରପ୍ରଦେଶ ଏବଂ କର୍ଣ୍ଣାଟକ)ଙ୍କ କେତେକ ନିଷ୍ପତ୍ତି ଉପରେ ମଧ୍ୟ ଆମେରିକା ସ୍ଥିତ ଏହି ଆୟୋଗ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅନ୍ୟପକ୍ଷେ ଆମେରିକା ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କନ୍ ମଧ୍ୟ ଏହି ରିପୋର୍ଟ ଆଧାରରେ ଭାରତର ଧାର୍ମିକ ସ୍ୱତନ୍ତ୍ରତା ସମ୍ପର୍କରେ ବିବାଦୀୟ ବୟାନ୍ ଦେଇଛନ୍ତି । ବ୍ଲିଙ୍କନ୍ କହିଛନ୍ତି, ବିଶ୍ୱର ସର୍ବବୃହତ୍ ଲୋକତନ୍ତ୍ର ରାଷ୍ଟ୍ର ଭାରତରେ ସମ୍ପ୍ରତି ଧାର୍ମିକ ସ୍ଥଳୀ (ପୂଜାସ୍ଥଳ) ଏବଂ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି । ପାକିସ୍ତାନ, ଚୀନ୍ ଏବଂ ଆଫଗାନିସ୍ତାନରେ ମଧ୍ୟ ସଂଖ୍ୟାଲଘୁ ଏବଂ ମହିଳାଙ୍କୁ ଟାର୍ଗେଟ୍ କରାଯାଉଥିବା ସମ୍ପର୍କରେ ମଧ୍ୟ ବ୍ଲିଙ୍କନ୍ ଏହି ମର୍ମରେ କହିଛନ୍ତି । ଚୀନ୍ରେ ଯେଉଁମାନେ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ନେତୃତ୍ୱାଧୀନ ଶାସକ ଦଳ କମୁ୍ୟନିଷ୍ଟ ପାର୍ଟିର ନୀତି ଆଦର୍ଶରେ ପରିଚାଳିତ ନ ହେଉଛନ୍ତି ସେମାନଙ୍କ ପାଇଁ ଜାଣିଶୁଣି ସରକାରୀସ୍ତରରେ ସମସ୍ୟା ସୃଷ୍ଟି କରାଯାଉଛି । ଚୀନ୍ରେ ବୌଦ୍ଧ, ଖ୍ରୀଷ୍ଟିଆନ୍ ଏବଂ ମୁସଲମାନ୍ଙ୍କ ଘରକୁ ଭଙ୍ଗାରୁଜା କରାଯାଉଛି । ଏପରିକି ଏହି ଧର୍ମର ଲୋକମାନଙ୍କୁ ସରକାରୀ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପାକିସ୍ତାନରେ ୨ଠ୨୧ରେ ଅନେକ କୋର୍ଟ ଈଶ୍ୱର ନିନ୍ଦା ଅଭିଯୋଗରେ ମୃତୁ୍ୟଦଣ୍ଡାଦେଶ ଶୁଣାଇଥିବା ବେଳେ ଅନେକ ସଂଖ୍ୟାଲଘୁ ଲୋକଙ୍କୁ ସଂଘବଦ୍ଧ ଆକ୍ରମଣ ପୂର୍ବକ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଛି ।
ବ୍ଲିଙ୍କନ୍ଙ୍କ କହିବାନୁସାରେ ଆମେରିକା ସଦାସର୍ବଦା ଧାର୍ମିକ ସ୍ୱତନ୍ତ୍ରତା ସମର୍ଥନରେ ରହିଆସିଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ । ବିଶ୍ୱର ପ୍ରତ୍ୟେକ ଧର୍ମ, ଜାତିର ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ଧର୍ମ ସ୍ୱାଧୀନତାଜନିତ ଅଧିକାର ଯେପରି କ୍ଷୂଣ୍ଣ ନହୁଏ, ସେଥିପ୍ରତି ଆମେରିକା ସର୍ବଦା ଯତ୍ନବାନ୍ ରହିଆସିଛି । ସଦ୍ୟ ଜାରି ୟୁଏସ୍ସିଆଇଆରଏଫ୍ ରିପୋର୍ଟରେ କେଉଁ ଦେଶରେ କେଉଁ ଧର୍ମ ବିପଦରେ ରହିଛି ସେସମ୍ପର୍କରେ ସବିଶେଷ ତଥ୍ୟ ଉଜାଗର କରାଯାଇଛି ।
କର୍ଣ୍ଣାଟକ ସରକାର ରାଜ୍ୟରେ ଥିବା ସମସ୍ତ ଚର୍ଚ୍ଚ ଏବଂ ପାଦ୍ରୀଙ୍କ ସମ୍ପର୍କରେ ସର୍ଭେ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଖ୍ରୀଷ୍ଟଧର୍ମ ଗ୍ରହଣ କରୁଥିବା ହିନ୍ଦୁଙ୍କୁ ଖୋଜିବା ପାଇଁ ଘର ଘର ଯାଞ୍ଚ କରିବାକୁ ମଧ୍ୟ ପୁଲିସ୍ ପ୍ରଶାସନକୁ ରାଜ୍ୟ ସରକାର ଆଦେଶ ଦେଇଥିଲେ । କର୍ଣ୍ଣାଟକ ସରକାରଙ୍କ ଏପ୍ରକାର ନିଷ୍ପତ୍ତିକୁ ୟୁଏସ୍ସିଆଇଆରଏଫ୍ ରିପୋର୍ଟରେ ଧାର୍ମିକ ସ୍ୱତନ୍ତ୍ରତା ଅଧିକାରର ହନନ ଭାବେ ଦର୍ଶାଯାଇଛି । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରାଜ୍ୟବାସୀଙ୍କୁ ଏନ୍ଏସ୍ଏ ଲାଗୁ କରିବାକୁ ଧମକ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଯୋଗୀ ଏକ ୫ଠଠ ଅଧିକାରୀଙ୍କ ଟିମ୍ ଗଠନ କରିଛନ୍ତି ଏବଂ ରାଜ୍ୟରେ ଧର୍ମ ପରିବର୍ତ୍ତନ କରୁଥିବା ବ୍ୟକ୍ତି ଏବଂ ସେମାନଙ୍କୁ ଏସବୁ କରିବା ପାଇଁ ପ୍ରବର୍ତ୍ତାଉଥିବା ସଂଗଠନ, ଧର୍ମପ୍ରବଚକ କିମ୍ବା ଅନ୍ୟ କୌଣସି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଦେ୍ର୍ଦଶ ଜାରି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *