ଆର୍ମି ଓ ର’ ଚିଫ୍ କରୁଛନ୍ତି ଆକ୍ସନ୍ ପ୍ଲାନ୍

ଟାର୍ଗେଟ୍ କିଲିଂ ଉପରେ ଉଚ୍ଚସ୍ତରୀୟ ବୈଠକ
କଶ୍ମୀର ଘାଟିକୁ ଯିବେ ଅତିରିକ୍ତ ସୁରକ୍ଷାବାହିନୀ
ନୂଆଦିଲ୍ଲୀ, ୩ା୬: କଶ୍ମୀର ଘାଟିରେ ସଂଖ୍ୟାଲଘୁ ବର୍ଗର ନାଗରିକମାନଙ୍କୁ ଟାର୍ଗେଟ୍ କରି ହତ୍ୟା କରାଯାଉଛି । ଗତ ୨୨ ଦିନ ଭିତରେ ଆତଙ୍କବାଦୀମାନେ ୫ ଜଣ ହିନ୍ଦୁ, ଛୁଟିରେ ଥିବା ୩ ଯବାନ ଓ ଜଣେ ଟିଭି ଆଙ୍କର ଏପରି ୯ ଜଣଙ୍କୁ ହତ୍ୟା କଲେଣି । ଏ ସମ୍ପର୍କରେ ନର୍ଥ ବ୍ଲକ୍ରେ ୨୪ ଘଣ୍ଟା ଭିତରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହମନ୍ତ୍ରୀ ଅମିତ ଶାହ ଓ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍ ଦୁଇଥର ଆଲୋଚନା କରିଛନ୍ତି । ଟାର୍ଗେଟ୍ କିଲିଂ, କଶ୍ମୀର ପଣ୍ଡିତଙ୍କ ସମୂହ ପଳାୟନ ଓ ଅମରନାଥ ଯାତ୍ରାକୁ ନେଇ ଶୁକ୍ରବାର ସନ୍ଧ୍ୟାରେ ଗୃହମନ୍ତ୍ରୀ ଶ୍ରୀ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ଶ୍ରୀ ଡୋଭାଲ୍, ସ୍ଥଳସେନା ମୁଖ୍ୟ ମନୋଜ ପାଣ୍ଡେ, ଗୃହ ସଚିବ ଅଜୟ ଭଲ୍ଲା, ର’ ମୁଖ୍ୟ ସାମନ୍ତ ଗୋୟଲ୍, ଆଇବି ଚିଫ୍ ଅରବିନ୍ଦ କୁମାର, ସିଆର୍ପିଏଫ୍/ଏନ୍ଆଇଏ ଡିଜି କୁଲଦୀପ୍ ସିଂହ ଓ ଜମ୍ମୁ-କଶ୍ମୀର ଡିଜି ଦିଲ୍ବାଗ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଛନ୍ତି ।
ସୂତ୍ର ଅନୁଯାୟୀ, ଟାର୍ଗେଟ୍ କିଲିଂ କରୁଥିବା ଆତଙ୍କୀମାନଙ୍କୁ ଖୋଜିବା ପାଇଁ ବିଶେଷ ଅଭିଯାନ ଆରମ୍ଭ ହେବ । ଏଥିପାଇଁ ଘାଟିରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ ହେବେ । କଶ୍ମୀର ପଣ୍ଡିତ, ହିନ୍ଦୁ ବା ମୁସଲିମ୍କୁ ଗୁଳି କରିଥିବା ଆତଙ୍କୀମାନଙ୍କୁ ସମ୍ପୂର୍ଣ୍ଣ ନିପାତ କରାଯିବ । ଆର୍ମି ଏବଂ ର’ ଚିଫ୍ ଖାସ୍ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି ।
୨୦୨୧ ଜାନୁଆରୀରୁ ଆଜିସୁଦ୍ଧା ଜମ୍ମୁ-କଶ୍ମୀରରେ ୫୫ ଜଣ ନିରୀହ ଲୋକଙ୍କୁ ହତ୍ୟା କରାଗଲାଣି । ଜମ୍ମୁ-କଶ୍ମୀରରେ ଏବେ ପ୍ରାୟ ଦେଢ଼ଶହ ସ୍ଥାନୀୟ ଓ ବିଦେଶୀ ଆତଙ୍କୀ ସକ୍ରିୟ ରହିଛନ୍ତି । ପାକିସ୍ତାନର ଆତଙ୍କୀ ସଙ୍ଗଠନ ଲସ୍କର-ଏ-ତୋୟବା ଏବଂ ଜୈଶ-ଏ-ମୋହମ୍ମଦ ଏବେ ଘାଟିରେ ନୂଆ ଆତଙ୍କବାଦୀ ନିଯୁକ୍ତ କରିପାରୁ ନାହାନ୍ତି । ଏହି କାରଣରୁ ସେମାନେ ଘାଟିର ସ୍ଥାନୀୟ ଯୁବକମାନଙ୍କୁ ପାରିଶ୍ରମିକ ଦେଇ ଟାର୍ଗେଟ୍ କିଲିଂ ଜାରି ରଖିଛନ୍ତି ।
ଗତ ମାସରେ କଶ୍ମୀର ପଣ୍ଡିତ ସମ୍ପ୍ରଦାୟର ସରକାରୀ କର୍ମଚାରୀ କାରାହୁଲ ଭଟ୍ଟଙ୍କୁ ହତ୍ୟା କରାଯିବା ପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଫଳରେ ଟାର୍ଗେଟ୍ କିଲିଂ ବଢ଼ି ଚାଲିଲା ଏବଂ ପରିଶେଷରେ କଶ୍ମୀର ପଣ୍ଡିତମାନେ ଘାଟିରୁ ସମୂହ ପଳାୟନ କରିବାକୁ ବାଧ୍ୟ ହେଲେ ବୋଲି ଦର୍ଶାଇ ବିରୋଧୀ ଦଳମାନେ କେନ୍ଦ୍ର ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *