ସଞ୍ଜୟ ମିଶ୍ର ହାଇକୋର୍ଟ ବିଚାରପତି ନିଯୁକ୍ତ
କଟକ ୩ ।୬ (ବୁ୍ୟରୋ): ଆଇନଜୀବୀ ସଞ୍ଜୟ କୁମାର ମିଶ୍ରଙ୍କୁ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି । ଏ ସଂକ୍ରାନ୍ତରେ ଆଜି କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଶ୍ରୀ ମିଶ୍ରଙ୍କ ନିଯୁକ୍ତି ପରେ ହାଇକୋର୍ଟର ବିଚାରପତିଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି । ଗତ ଜାନୁଆରୀ ୨୯ ତାରିଖରେ ଚାରି ଜଣ ଆଇନଜୀବୀଙ୍କ ନାମକୁ ଓଡ଼ିଶା ହାଇକୋର୍ଟର ବିଚାରପତି ପଦବୀ ପାଇଁ ସୁପ୍ରିମକୋର୍ଟ କଲେଜିୟମ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲେ । ଏହି ଚାରିଜଣ ଆଇନଜୀବୀ ହେଲେ ଭି. ନରସିଂହ, ସଞ୍ଜୟ କୁମାର ମିଶ୍ର, ବିରଜା ପ୍ରସନ୍ନ ଶତପଥୀ ଏବଂ ଏମଏସ୍ ରମଣା । ତେବେ ଶ୍ରୀ ମିଶ୍ରଙ୍କୁ ଛାଡ଼ି ଦେଲେ ଅନ୍ୟ ତିନି ଜଣ ଆଇନଜୀବୀ ହାଇକୋର୍ଟରେ ବିଚାରପତି ଭାବେ ଇତିମଧ୍ୟରେ ନିଯୁକ୍ତି ପାଇସାରିଛନ୍ତି । ଆଜି ଜଷ୍ଟିସ ମିଶ୍ରଙ୍କ ନିଯୁକ୍ତି ଉପରେ ମୋହର ଲାଗିଛି । ଶ୍ରୀ ମିଶ୍ର ବୁର୍ଲାରେ ଜନ୍ମଗ୍ରହଣ କରିଥିଲାବେଳେ ତାଙ୍କର ଘର ଢେଙ୍କାନାଳର ମୁକ୍ତାଦେଇପୁର ବ୍ରାହ୍ମଣ ଶାସନ । ଇଂ ବିଭୁତି ଭୂଷଣ ମିଶ୍ର ଓ ବନଲତା ମିଶ୍ରଙ୍କ ପୁଅ ସଞ୍ଜୟ ମିଶ୍ର । ସେ ତାଳଚେର ଥର୍ମାଲ ହାଇସ୍କୁଲରୁ ୧୯୮୩ ମସିହାରେ ମାଟ୍ରିକ ପାସ କରିବା ପରେ ୧୯୮୭ ମସିହାରେ ଅନୁଗୋଳ ସରକାରୀ ମହାବିଦ୍ୟାଳୟରୁ ବିକମ୍ ପାସ କରିଥିଲେ । ୧୯୯୦ ମସିହାରେ ମଧୁସୂଦନ ବିଶ୍ୱବିଦ୍ୟାଳୟରୁ ଏଲଏଲବି ପାସ କରିଥିଲେ । ୧୯୯୦ ମସିହା ନଭେମ୍ବର ମାସରେ ସେ ରାଜ୍ୟ ଆଇନଜୀବୀ ପରିଷଦରେ ପଞ୍ଜିକୃତ ହୋଇଥିଲେ । ସାମ୍ବିଧାନିକ ମାମଲା, ଶ୍ରମ, ଶିଳ୍ପ, ଚାକିରି ଆଦି ମାମଲା ପରିଚାଳନାରେ ତାଙ୍କର ବିଶେଷ ଦକ୍ଷତା ରହିଛି ।