ଗରିବ, ଦୁର୍ବଳଙ୍କୁ ସୁରକ୍ଷା ଦିଅ
ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର
ଭୁବନେଶ୍ୱର,୨ା୬(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି । ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥର ମହିଳାମାନେ ବହୁ ସଂଖ୍ୟାରେ ଜିତି ପଞ୍ଚାୟତର ମଙ୍ଗ ଧରିଛନ୍ତି । ଏହାଦ୍ୱାରା ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ୱପ୍ନ ସାକାର ହୋଇଛି ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଶାସନ ବ୍ୟବସ୍ଥା ଓ ବିକାଶ ଯୋଜନାରେ ପଞ୍ଚାୟତର ଗୁରୁତ୍ୱ ବିଷୟରେ ଆପଣମାନେ ଭଲ ଭାବରେ ଜାଣନ୍ତି । ପଞ୍ଚାୟତ ହେଉଛି ସେବାର କେନ୍ଦ୍ର । ସାଧାରଣ ଲୋକ ଯେପରି ସରକାରୀ ସେବାରୁ ବଞ୍ଚିତ ନ ହୁଏ, ସରକାରୀ ସେବା ପାଇବାରେ ହଇରାଣ ନ ହୁଏ, ସେଥିପ୍ରତି ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ । ଗରିବ ଲୋକ, ମହିଳା ତଥା ଦୁର୍ବଳ ଶ୍ରେଣୀର ଲୋକ ଓ ସେମାନଙ୍କ ଅଧିକାରକୁ ସୁରକ୍ଷା ଦିଅନ୍ତୁ ବୋଲି କହି ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ପରାମର୍ଶ ଦେଇଥିଲେ ।
୫-ଟି ବିଷୟରେ ଆଲୋକପାତ କରି ସେ କହିଲେ ଯେ ୫-ଟି ହେଉଛି ଟେକ୍ନୋଲୋଜି, ଟିମ୍ୱାର୍କ, ଟାଇମ, ଟ୍ରାନ୍ସପ୍ୟାରେନ୍ସି ବା ସ୍ୱଚ୍ଛତା ଓ ରୂପାନ୍ତର । ୫-ଟି ମନ୍ତ୍ରକୁ ଗାଁର ବିକାଶରେ ଉପଯୋଗ କରନ୍ତୁ ବୋଲି ପରାମର୍ଶ ଦେଇ ସେ କହିଥିଲେ ଯେ ଏହାଦ୍ୱାରା ଆପଣଙ୍କ ଗାଁ, ଆପଣଙ୍କ ପଞ୍ଚାୟତର ପରିବର୍ତ୍ତନ, ଅନ୍ୟମାନଙ୍କ ପାଇଁ ଆଦର୍ଶ ହୋଇପାରିବ ।
ଜନସାଧାରଣ ଆମ ଉପରେ ଆସ୍ଥା ରଖିଛନ୍ତି, ଭରସା ରଖିଛନ୍ତି ବୋଲି ମତବ୍ୟକ୍ତ କରି ଲୋକଙ୍କୁ କେବେ ନିରାଶ ହେବାକୁ ଦେବା ନାହିଁ । ସେମାନଙ୍କ ଆସ୍ଥା ଓ ଭରସାକୁ ପବିତ୍ର ଦାୟିତ୍ୱ ଭାବି ସେବା କଲେ ଲୋକଙ୍କ ହୃଦୟରେ ସବୁ ଦିନ ପାଇଁ ରହିଯିବେ ବୋଲି ସେ କହିଥିଲେ । ନିଜ କାମ ଦ୍ୱାରା ନିଜ ନିଜ ଅଞ୍ଚଳରେ ବିକାଶର ଦୂତ ଭାବରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ ରାଜ୍ୟର ବିକାଶରେ ପଞ୍ଚାୟତିରାଜ ଅନୁଷ୍ଠାନ ଗୁଡିକର ଭୂମିକା ସଂପର୍କରେ ଆଲୋକପାତ କରି ବିଭାଗ ପକ୍ଷରୁ ନିଆଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ବର୍ତ୍ତମାନ ଜିପିଏସ୍ ଟେକ୍ନୋଲୋଜି ଜରିଆରେ ପଞ୍ଚାୟତର ସବୁ ଭିତ୍ତିଭୂମିକୁ ମ୍ୟାପିଂ କରାଯାଇଛି । ଏହାଦ୍ୱାରା ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ସମାଧାନ ତୁରନ୍ତ ହୋଇପାରିବ । ପଞ୍ଚାୟତଗୁଡିକ ସରକାରଙ୍କ ଅଭିଯୋଗ ଶୁଣାଣୀ ବ୍ୟବସ୍ଥାର ପ୍ରଥମ ସୋପାନ ବୋଲି ମତବ୍ୟକ୍ତ କରି ଲୋକଙ୍କ ଅଭିଯୋଗ ଗୁଡିକୁ ପଞ୍ଚାୟତ ସ୍ତରରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ । କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ଅରୁଣ ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀ ରାଜ୍ୟର ମହିଳା ଓ ଯୁବଶକ୍ତିକୁ ଆଗକୁ ଆଣି ପଞ୍ଚାୟତଗୁଡିକୁ ସଶକ୍ତ କରିବା ପାଇଁ ପଦକ୍ଷେପ ନେଇଛନ୍ତି । ସମସ୍ତେ ୫-ଟି ମନ୍ତ୍ରକୁ ଉପଯୋଗ କରି କାମ କଲେ, ରାଜ୍ୟରେ ରୂପାନ୍ତର ଆସିପାରିବ ବୋଲି ସେ କହିଥିଲେ । ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ କହିଲେ ଯେ ମୁଖ୍ୟମନ୍ତ୍ରୀ ସମାଜସେବା କରିବା ପାଇଁ ମହିଳା ମାନଙ୍କୁ ସୁଯୋଗ ଦେଇଛନ୍ତି । ଓଡିଶାରେ ମହିଳାମାନେ ସଶକ୍ତ ହୋଇପାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶକୁ ନେଇ କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସ୍ୱାଗତ ଭାଷଣ ଦେଇ କହିଲେ ଯେ ପଞ୍ଚାୟତ ଅନୁଷ୍ଠାନ ଗୁଡିକୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରାଯାଇଛି । ବିକାଶ ପାଇଁ ଅନେକ ଅର୍ଥ ଦିଆଯାଉଛି । ଏହାର ସୁବିନିଯୋଗରେ ପ୍ରତିନିଧିଙ୍କ ପ୍ରଶିକ୍ଷଣ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା ଧନ୍ୟବାଦ ଅର୍ପଣ କରିଥିଲେ । ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ୧ ଲକ୍ଷ ୬ ହଜାର ୩୫୨ ଜଣ ପଞ୍ଚାୟତ ପ୍ରତିନିଧି ଯୋଗ ଦେଇଛନ୍ତି ।