ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ
ଅଣସର ପାଇଁ ଅଲାରନାଥ ପୀଠରେ ପ୍ରସ୍ତୁତି ବୈଠକ
ବ୍ରହ୍ମଗିରି (ଆପ୍ର): ଆସନ୍ତା ୧୫ରୁ ଆରମ୍ଭ ହେବ ଅଣସର ଦର୍ଶନ । ଏକାସମୟରେ ବାଲି ହରଚଣ୍ଡୀପୀଠରେ ରଜ ମହୋତ୍ସବ ଓ ଅଲାରନାଥ ପୀଠରେ ଅଣସର ଦର୍ଶନ ପଡୁଥିବାରୁ ଆଶାତୀତ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ଅନୁମାନ କରାଯାଇଛି । ଅଲାରନାଥଙ୍କ ପୀଠରେ ଶୃଙ୍ଖଳିତ ଅଣସର ଦର୍ଶନ ନିମନ୍ତେ ଆଜି ଅଲାରନାଥ ପୀଠରେ ପ୍ରସ୍ତୁତି ବୈଠକ ଅଲାରନାଥ ଟ୍ରଷ୍ଟି ତଥା ତହସିଲ୍ଦାର କାହ୍ନୁଚରଣ ଘଡ଼େଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ।
ବୈଠକରେ ଏଡିଏମ୍ ଦିଲ୍ଲୀପ କୁମାର ମହାପାତ୍ର, ଏସ୍ଡିପିଓ କିଶୋର କୁମାର ମୁଣ୍ଡ୍, ବ୍ରହ୍ମଗିରି ବିଡିଓ ଜ୍ୟୋତିପ୍ରକାଶ ସେଠୀ, ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜ କୁମାର ପଟ୍ଟନାୟକ, ବ୍ରହ୍ମଗିର ଥାନା ଆଇଆଇସି ମନୋଜ କୁମାର ଶତପଥୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ବିଦୁ୍ୟତ ବିଭାଗ, ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗ, ପିଡବ୍ଲୁ୍ୟଡି ବିଭାଗଙ୍କ ସହିତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । କୋଭିଡ୍ କଟକଣା ପାଇଁ ଗତ ଦୁଇବର୍ଷ ଧରି ବ୍ରହ୍ମଗିରି ଅଲାରନାଥ ପୀଠରେ ଅଣସର ଦର୍ଶନ ଫିକା ପଡ଼ିଥିଲା । ଅଣସର ଦର୍ଶନ ଆଉ ମାତ୍ର ୧୩ ଦିନ ରହିଥିବା ବେଳେ ତା ପୂର୍ବରୁ ପୀଠର ସମସ୍ତ ଆବଶ୍ୟକୀୟ କାର୍ଯ୍ୟ ସମ୍ପାଦନ ଉପରେ ଆଲୋକପାତ କରାଯାଇଥିଲା । ଆସନ୍ତା ୭ରେ ପୁନଃ ନିଲାମ ପ୍ରକ୍ରିୟା ପାଇଁ ଟ୍ରଷ୍ଟ ପକ୍ଷରୁ ସର୍ବସାଧାରଣରେ ନୋଟିସ୍ ଜାରି କରାଯିବ ।
ଅଣସର ପୂର୍ବରୁ ମନ୍ଦିର ମରାମତି ସହ ରଙ୍ଗ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମାପ୍ତ ହେବ, ଆଲୋକିକରଣ ବ୍ୟବସ୍ଥା, ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା, ନକଲି ସେବାୟତଙ୍କ ଉପରେ କଡ଼ା ନଜର, ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛାଡ଼ିଦେଲେ ମନ୍ଦିର ଭିତରେ ଅନ୍ୟମାନଙ୍କୁ ଫଟୋ ଉତ୍ତୋଳନ କରିବା ମନା, ଯଦି ବେଆଇନ ଭାବେ କିଏ ମୋବାଇଲ୍ରେ ଫଟୋ ଉଠାନ୍ତିି ତେବେ ୫ଶହ ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ ହେବେ, ତହସିଲଦାର ଓ ଆଇଆଇସିଙ୍କ ଜ୍ଞାତସାର ଭିତରେ ଭିଆଇପି ଦର୍ଶନ ପାଇଁ ବ୍ୟବସ୍ଥା, ଦିବ୍ୟାଙ୍ଗମାନଙ୍କ ଦର୍ଶନ ପାଇଁ ଠେଲାଗାଡ଼ି ବ୍ୟବସ୍ଥା, ଆନନ୍ଦ ବଜାରରେ ଶୃଙ୍ଖଳିତ ପ୍ରସାଦ ସେବନ ପାଇଁ ସୁବ୍ୟବସ୍ଥା, ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶ୍ରଦ୍ଧାଳୁଙ୍କ ଦର୍ଶନକୁ ଆଖିଆଗରେ ରଖି ଅଲାର ଗାଁ ରାସ୍ତାରୁ ଚନ୍ଦନ ପୋଖରୀ ରାସ୍ତା ଦେଇ ସିଂହଦ୍ୱାର ପର୍ଯ୍ୟନ୍ତ ବାରିକେଡ୍ ବ୍ୟବସ୍ଥା ଓ ମ୍ୟାଟ୍ ପଡ଼ିବାର ବନେ୍ଦାବସ୍ତ ହେବ ବୋଲି ପ୍ରସ୍ତାବ ନିଆଯାଇ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ସଜାଗ ରହିବାକୁ ନିଦେ୍ର୍ଦଶ ଦିଆଯାଇଛି ।
କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟ କୈଳାଶଚନ୍ଦ୍ର ପରିଡ଼ା, ପଞ୍ଚାୟତ ସମିତି ଉପାଧ୍ୟକ୍ଷା ମାଳିନୀ ଦଳାଇ, ଅଧିକାରୀ ନାୟକ, ଯୁଧିଷ୍ଠିର ନାୟକ, ବ୍ରହ୍ମଗିରି ସରପଞ୍ଚଙ୍କ ପ୍ରତିନିଧି ନନ୍ଦକିଶୋର ବିଶ୍ୱାଳ, ଗୁଣନିଧି ପଲାଇ, ସଞ୍ଜୟ କୁମାର ପରିଡ଼ା, ସେବାୟତ ନିଯୋଗର ନାରାୟଣ ପୂଜାପଣ୍ଡା, ମଧୁସୁଦନ ପୂଜାପଣ୍ଡା, ଜଗମୋହନ ସୁଆର, ସୁରେନ୍ଦ୍ର ସୁଆର ପ୍ରମୁଖ ଯୋଗ ଦେଇଥିଲେ ।