ଘାଟିରେ ବଢ଼ୁଛି ଟାର୍ଗେଟ୍ କିଲିଂ
ନୂଆଦିଲ୍ଲୀ / ଶ୍ରୀନଗର (ଏଜେନ୍ସି): କିଛି ଦିନର ନିରବତା ପରେ ପୁଣିଥରେ କାଶ୍ମୀର ଘାଟିରେ ଆତଙ୍କବାଦୀ ଗୋଷ୍ଠୀ ପକ୍ଷରୁ ଆରମ୍ଭ ହୋଇଯାଇଛି ରକ୍ତର ଖେଳ । ପୁଣିଜଣେ ନୀରିହ ନାଗରିକଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । କୁଲଗାମ ଅଞ୍ଚଳରେ ଥିବା ଇଲାକାଇ ଦେହାତି ବ୍ୟାଙ୍କ୍ର ମୋହନପୋରା ବ୍ରାଞ୍ଚ୍ ମ୍ୟାନେଜର ଭାବେ ନିଯୁକ୍ତ ରାଜସ୍ଥାନର ହନୁମାନଗଡ଼ ଜିଲ୍ଲାର ସ୍ଥାୟୀ ବାସିନ୍ଦା ବିଜୟ କୁମାରଙ୍କୁ ଦିନ ଦ୍ୱିପ୍ରହରରେ ଗୁଳି କରିଛନ୍ତି ଆତଙ୍କବାଦୀ । ଦିନ ସମୟରେ ବ୍ୟାଙ୍କ୍ ଖୋଲା ଥିବା ବେଳେ ସଶସ୍ତ୍ର ଆତଙ୍କବାଦୀମାନେ ବ୍ୟାଙ୍କ୍ ମଧ୍ୟକୁ ପ୍ରବେଶ କରିବା ସହ ବିଜୟ କୁମାରଙ୍କୁ ଗୁଳି କରିଥିଲେ । ଘଟଣାସ୍ଥଳରେ ହିଁ ବିଜୟ କୁମାର ଟଳିପଡ଼ିଥିଲେ । ଗୁରୁବାର ବିଜୟ କୁମାରଙ୍କୁ ଗୁଳି କରିବା ପରେ ଆତଙ୍କବାଦୀମାନେ ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରିନାହିଁ । ଅନ୍ୟପକ୍ଷେ ବ୍ୟାଙ୍କ୍ରେ ଲାଗିଥିବା ସିସିଟିଭିରେ ସମସ୍ତ ଦୃଶ୍ୟ ରେକର୍ଡ ହୋଇଯାଇଛି । ଏହି ଫୁଟେଜ୍କୁ ଆଧାର କରି କାଶ୍ମୀର ପୁଲିସ୍ ଏବେ ଆତଙ୍କବାଦୀମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି । ସେହିପରି ଅର୍ଦ୍ଧସାମରିକ ବଳ ଏବଂ କାଶ୍ମୀର ପୁଲିସ୍ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ ମଧ୍ୟ ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଗତ ୭୨ ଘଣ୍ଟା ମଧ୍ୟରେ କାଶ୍ମୀର ଘାଟିରେ ଏହା ଦ୍ୱିତୀୟ ହତ୍ୟାକାଣ୍ଡ । ପ୍ରକାଶ, ୩ ଦିନ ପୂର୍ବେ କୁଲଗାମ ଅଞ୍ଚଳରେ ରଜନୀବାଳା ନାମକ ଜଣେ ଶିକ୍ଷୟତ୍ରୀଙ୍କୁ ଗୁଳିକରି ଆତଙ୍କବାଦୀମାନେ ହତ୍ୟା କରିଥିଲେ । ଏହାର କିଛି ଦିନ ପୂର୍ବରୁ ରାହୁଲ ଭଟ୍ଟ ନାମକ ଜଣେ ଯୁବ ସରକାରୀ କର୍ମଚାରୀଙ୍କୁ (କାଶ୍ମୀର ପଣ୍ଡିତ) ଦିନ ଦ୍ୱିପ୍ରହରରେ ଗୁଳି କରି ଆତଙ୍କବାଦୀମାନେ ହତ୍ୟା କରିଥିଲେ ।
ଗୁରୁବାର ଦିନ ସଂଘଠିତ ହୋଇଥିବା ହତ୍ୟାକାଣ୍ଡ ପାଇଁ ଆତଙ୍କବାଦୀ ସଂଗଠନ କାଶ୍ମୀର ଫ୍ରିଡମ୍ ଫାଇଟର୍ସ (କେଏଫ୍ଏଫ୍) ନିଜକୁ ଦାୟୀ କରିଛି । ଏଥିସହ ଏକ ଚିଠି ଜାରି କରି ‘ଯେକେହି ବି କାଶ୍ମୀରର ଭୌଗୋଳିକ ସ୍ଥିତାବସ୍ଥାର ପରିବର୍ତ୍ତନ ପ୍ରକ୍ରିୟାରେ ସାମିଲ ହେବ ତା’ର ଏହି ଭଳି ପରିଣାମ ହେବ । ମୋଦି ସରକାର ସେମାନଙ୍କୁ ସୁରକ୍ଷା ଦେବ ଏବଂ ଏଠାରେ ରହିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରିଦେବ ବୋଲି ଯିଏ ଭାବୁଛନ୍ତି ସେମାନେ ଏବେ ଭଲଭାବେ ବୁଝିଯିବା ଉଚିତ୍ ନଚେତ୍ ସେମାନଙ୍କ ଅବସ୍ଥା ମଧ୍ୟ ଏହିଭଳି ହେବ ବୋଲି ଧମକ ଦେଇଛି ସଂଗଠନ । ଅନ୍ୟପକ୍ଷେ ଘାଟି ଅଞ୍ଚଳରେ ବଢ଼ୁଥିବା ଏପ୍ରକାର ଘଟଣାକୁ ନେଇ ଏବେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଉଦ୍ବେଗ ପ୍ରକାଶ କରିଛି । ଏନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ୍ ଡୋଭାଲ୍ ଏବଂ ଗୁଇନ୍ଦା ବିଭାଗ ‘ର’ ମୁଖ୍ୟ ସାମନ୍ତ ଗୋଏଲଙ୍କ ସହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଗୁରୁବାର ଏକ ଜରୁରି ବୈଠକ କରିଥିବା ସୂଚନା ମିଳିଛି । ଏଥିରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ମଧ୍ୟ ସାମିଲ ହୋଇଥିଲେ । ଘାଟି ଉପତ୍ୟକାଞ୍ଚଳରେ ବଢ଼ୁଥିବା ଏପ୍ରକାର ଘଟଣାକୁ ରୋକିବା ଦିଗରେ ବ୍ୟାପକ ଆଲୋଚନା ହୋଇଥିବା ଜାଣିବାକୁ ମିଳିଛି । ଶୁକ୍ରବାର ପୁନର୍ବାର ଏସମ୍ପର୍କରେ ଆଲୋଚନା ବୈଠକ ହେବ ବୋଲି ସୂଚନା ମିଳିଛି । ଏଥିରେ ଏହି ବରିଷ୍ଠ ପଦାଧିକାରୀଙ୍କ ସହ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ସାମିଲ ହେବେ । ଏହି ପରିପ୍ରେକ୍ଷୀରେ ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ଗତ ୨୧ ଦିନ ମଧ୍ୟରେ ଘାଟି ଅଞ୍ଚଳରେ ୬ଜଣଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ଆତଙ୍କବାଦୀଙ୍କ ଟାର୍ଗେଟ୍ରେ ଏବେ ମୁଖ୍ୟତଃ କାଶ୍ମୀର ପଣ୍ଡିତ, ଅଣକାଶ୍ମୀର ହିନ୍ଦୁ (କାମ ଅନ୍ୱେଷଣରେ ଆସିଥିବା ବାହାର ରାଜ୍ୟର ନାଗରିକ) ଏବଂ ସରକାରୀ କର୍ମଚାରୀମାନେ ରହିଥିବା ଅନୁମାନ କରାଯାଉଛି । ଆତଙ୍କବାଦୀମାନେ ଏମାନଙ୍କୁ ଏଠାରେ ରଖାଇଦେବାକୁ ଚାହୁଁନାହାନ୍ତି । ସୁତରାଂ ଘାଟିରେ ଏବେ ୧୯୯ଠର ସ୍ଥିତି ଉପୁଜୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏସବୁ ମଧ୍ୟରେ ଭୟଭୀତ ହୋଇପଡିଥିବା କାଶ୍ମୀର ପଣ୍ଡିତ ତଥା ବାହାର ରାଜ୍ୟର ନାଗରିକମାନେ ଘାଟି ଛାଡି ଚାଲିଯିବାକୁ ଆରମ୍ଭ କରିଛନ୍ତି । କାଶ୍ମୀର ପଣ୍ଡିତଙ୍କୁ ଅଟକାଇବା ପାଇଁ ଭାରତ ସରକାରଙ୍କ ନିଦେ୍ର୍ଦଶରେ ସୁରକ୍ଷାକର୍ମୀମାନେ କାଶ୍ମୀର ପଣ୍ଡିତ ରହୁଥିବା ଅଞ୍ଚଳକୁ ସିଲ୍ କରିଦେଇଛନ୍ତି ଏବଂ ସେମାନଙ୍କୁ ନଯିବା ପାଇଁ ବୁଝାଇବାକୁ ଚେଷ୍ଟା କରୁଛନ୍ତି । ଅନ୍ୟପକ୍ଷେ ସେମାନଙ୍କୁ କୌଣସି ଏକ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ କାଶ୍ମୀର ପଣ୍ଡିତ ତଥା ଅଣକାଶ୍ମୀର ହିନ୍ଦୁ (ପ୍ରବାସୀ ନାଗରିକ)ଙ୍କ ପକ୍ଷରୁ ଅନୁରୋଧ କରାଯାଇଆସୁଛି ।