ଝଟକିବ ଝଙ୍କଡ଼ ପୀଠ
ଭୁବନେଶ୍ୱର,୨ା୬(ବୁ୍ୟରୋ): ଓଡ଼ିଶା ଶକ୍ତି ପୂଜାର ପ୍ରାଚୀନ ପୀଠ । ଝଙ୍କଡ ପୀଠ ତନ୍ମଧ୍ୟରୁ ଅନ୍ୟତମ ପ୍ରସିଦ୍ଧ ମାତୃ ଉପାସନା ପୀଠ । ଝଙ୍କଡବାସିନୀ ମା’ ସାରଳାଙ୍କ ଆଶୀର୍ବାଦରୁ ସାରଳା ଦାସ ସିଦ୍ଧି ଲାଭ କରିଥିଲେ, ଆଦିକବି ହୋଇଥିଲେ ।
ଅଷ୍ଟମ ଶତାଦ୍ଦୀରେ ଭୌମକର ବଂଶର ରାଜା ମାନଙ୍କ ଦ୍ୱାରା ନିର୍ମିତ ସାରଳା ମନ୍ଦିର ସବୁବେଳେ ଭକ୍ତମାନଙ୍କ ଆକର୍ଷଣର କେନ୍ଦ୍ର ହୋଇ ରହିଛି । ମା’ଙ୍କ ଆଶୀର୍ବାଦ ପାଇଁ ଏଠାରେ ସବୁବେଳେ ଭକ୍ତମାନଙ୍କ ଭିଡ ଲାଗି ରହିଥାଏ ।
ଝଙ୍କଡ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ନିକଟରେ ମା’ ସାରଳାଙ୍କ ପୀଠ ପରିଦର୍ଶନ କରି, ସେବାୟତ, ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ମା’ଙ୍କ ପୀଠର ଉନ୍ନତିକରଣ ସଂପର୍କରେ ବିଶଦ ଆଲୋଚନା କରିଥିଲେ । ସବୁ ଦିଗକୁ ଦୃଷ୍ଟିରେ ରଖି ଏକ ମାଷ୍ଟର୍ପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିଦେ୍ର୍ଦଶ ଦିଆଯାଇଥିଲା । ତଦନୁଯାୟୀ ୫-ଟି ଉପକ୍ରମରେ ମନ୍ଦିରର ଉନ୍ନତିକରଣ କାମ ଆରମ୍ଭ କରିବା ପାଇଁ ଏହାକୁ ଇଣ୍ଟିଗ୍ରେଟେଡ ଡେଭଲପମେଣ୍ଟ ଅଫ୍ ହେରିଟେଜ୍ ଆଣ୍ଡ ମନୁମେଣ୍ଟସ୍ ଆଣ୍ଡ୍ ଟୁରିଷ୍ଟ୍ ଡେଷ୍ଟିନେସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।
ଭୁବନେଶ୍ୱରରେ ଅନୁଷ୍ଠିତ ଏକ ବୈଠକରେ ଏହି ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପୂର୍ତ୍ତ ବିଭାଗ ସଂପର୍କରେ ଏକ ଉପସ୍ଥାପନା କରାଯାଇଥିଲା । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୪୨ କୋଟି ଟଙ୍କା ଖର୍ଚ୍ଚ ହେବ । ବର୍ଷକ ମଧ୍ୟରେ କାମ ସଂପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ଏଥିରେ ମନ୍ଦିର ପରିସରରେ ଥିବା ମନ୍ଦିରମାନଙ୍କ ବିକାଶ ହେବ । ଏହା ସହିତ ପୁଷ୍କରିଣୀର ବିକାଶ, ପୂର୍ବ ପଶ୍ଚିମ ଉତ୍ତର ଓ ଦକ୍ଷିଣ ଦ୍ୱାର ନିର୍ମାଣ ସହ ଐତିହ୍ୟ ପାଚେରୀ ନିର୍ମାଣ କରଯିବ । ଏହାବ୍ୟତୀତ ମନ୍ଦିରର ରୋଷଘର, ଆନନ୍ଦ ବଜାର, ଗୋଦାମ ଘର, ଚନ୍ଦନ ପୋଖରୀର ବିକାଶ ଓ ଚଲାପଥ, ମୁଣ୍ଡନ ମଣ୍ଡପ, ନୂତନ ଦୋଳବେଦୀ ଓ ମହାବୀର ମନ୍ଦିରର ପୁନର୍ବିନ୍ୟାସ କରାଯିବ । ଯାତ୍ରୀ ତଥା ସେବାୟତମାନଙ୍କ ସୁବିଧା ପାଇଁ ଭୋଗ, ଦୀପ ମଣ୍ଡପ, ଜୋତା ଷ୍ଟାଣ୍ଡ, ପୁଲିସ କଣ୍ଟ୍ରୋଲ ରୁମ୍, ମନ୍ଦିର କାର୍ଯ୍ୟାଳୟ ଆଦି ନିର୍ମାଣ କରାଯିବ । ଯାତ୍ରୀଙ୍କ ରହଣୀ ପାଇଁ ଥିବା ବ୍ୟବସ୍ଥାର ପୁନରୁଦ୍ଧାର କରାଯିବ । ଏତଦ୍ବ୍ୟତୀତ ବିଶ୍ରାମ କକ୍ଷ ଓ ଶୌଚାଳୟ ମଧ୍ୟ ନିର୍ମାଣ କରାଯିବ । ମନ୍ଦିର ପାଖରେ ବିଭିନ୍ନ ଦୋକାନ ଖୋଲିଥିବା ବ୍ୟବସାୟୀ ମାନଙ୍କୁ ଶୃଙ୍ଖଳିତ ଭାବରେ ଥଇଥାନ କରାଯିବ । ବର୍ତ୍ତମାନର ସପିଂ କମ୍ପ୍ଲେକ୍ସର ପୁନର୍ବିନ୍ୟାସ କରାଯାଇ ୭୨ ଜଣ ବ୍ୟବସାୟୀଙ୍କୁ ଥଇଥାନ କରାଯିବ । ସେଠାରେ ଗାଡି ମଟର ପାର୍କିଂ ସହିତ ଶୌଚାଳୟର ସୁବିଧା ମଧ୍ୟ ରହିବ । ଝଙ୍କଡ ପୀଠ ସହିତ ଓଡିଆ ସାହିତ୍ୟର ଉନ୍ମେଷ ଜଡିତ । ମା’ଙ୍କ କୃପାରୁ ସାରଳା ଦାସ ସିଦ୍ଧି ଲାଭ କରି ଓଡିଆ ଭାଷାରେ ମହାଭାରତ ରଚନା କରିଥିଲେ । ଓଡିଆ ସାହିତ୍ୟରେ ନୂଆ ଯୁଗର ଆରମ୍ଭ କରିଥିଲେ । ଆଦିକବିଙ୍କ ସ୍ମୃତିରେ ନଣ୍ଡା ଦେଉଳ ବରଗଛ ନିକଟରେ ସାରଳା ଦାସଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତି ନିର୍ମାଣ କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତାକୁ ମଧ୍ୟ ଚଉଡା କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଆଲୋଚନାରେ ଭାଗ ନେଇଥିବା ସେବାୟତମାନେ ବିଭିନ୍ନ ପୀଠର ଉନ୍ନତି ପାଇଁ ସରକାରଙ୍କ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ । ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଧନ୍ୟବାଦ ଜଣାଇଥିଲେ । ଉପସ୍ଥାପନାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ, ଜଗତସିଂହପୁର ଜିଲ୍ଲାପାଳ ଓ ସେବାୟତ ମାନେଯୋଗ ଦେଇଥିଲେ । ପୂର୍ତ୍ତ ସଚିବ ଓ ଓବିସିସିର ଏମ୍ଡି ଉପସ୍ଥାପନା କରିଥିଲେ ।