ନିର୍ବାହୀ ଅଧିକାରୀଙ୍କ ଘରକୁ ପେଟ୍ରୋଲ ବୋମାମାଡ଼
ମାଲକାନଗିରି (ଆପ୍ର): ବାଲିମେଳା ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ଅସାମାଜିକ ବ୍ୟକ୍ତିମାନେ ଟାର୍ଗେଟ୍୍ କରିଛନ୍ତି । ରାତିଅଧରେ ତାଙ୍କ ଘର ଉପରେ ପେଟ୍ରୋଲ ବୋମାମାଡ଼ କରାଯାଇଛି । ଫଳରେ ତାଙ୍କ ଘର ଜଳିଯାଇଛି । କିନ୍ତୁ ନିର୍ବାହୀ ଅଧିକାରୀ ଓ ତାଙ୍କ ପରିବାରର କିଛି କ୍ଷତି ଘଟିନାହିଁ ।
ବୁଧବାର ରାତି ପ୍ରାୟ ୨.୩୦ରେ ବାଲିମେଳା ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ ଓ ତାଙ୍କ ପରିବାର ଶୋଇଥିବା ସମୟରେ ଆକ୍ରମଣ କରାଯାଇଥିଲଲା । ବାସଭବନ ପଛପଟୁ ଦୁର୍ବୃତ୍ତମାନେ ତାରବାଡ କାଟି କାନ୍ଥରେ ପେଟ୍ରୋଲ ଢାଳିବା ସହ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ଭରି ଫିଙ୍ଗିଥିଲେ ବୋଲି ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ତାଙ୍କ ଝିଅର ନିଦ ଭାଙ୍ଗିବାରୁ ଖରୁ ଧୂଆଁ ବାହାରୁଥିବା ଦେଖି ଅନ୍ୟମାନଙ୍କୁ ଡାକିଥିଲେ । ଶ୍ରୀ ରଥ ଓ ତାଙ୍କ ପରିବାର ବାହାରକୁ ଆସି ଶୋଇବା ଘର କାନ୍ଥ ହୁତୁହୁତୁ ହୋଇ ଜଳୁଥିବା ଦେଖିଥିଲେ । ପେଟ୍ରୋଲ ବୋମାମାଡ଼ରେ କାନ୍ଥ ପାଖରେ ଥିବା ଆମ୍ବ ଗଛ ପ୍ରାୟ ୪୦ ଫୁଟ ଜଳି ଯାଇଛି । ପାଣି ପାଇପ୍ ମଧ୍ୟ ଜଳିଯାିଛି । ପରିବାର ଲୋକେ ବାଲି ଫିଙ୍ଗି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । ଶ୍ରୀ ରଥ ଫୋନ କରି ଏନ୍ଏସି ଅଧ୍ୟକ୍ଷ ଓ କର୍ମଚାରୀଙ୍କୁ ଜଣାଇଥିଲେ ।
ଅଧ୍ୟକ୍ଷ ପ୍ରଦୀପ କୁମାର ନାୟକ ଏବଂ ଅନ୍ୟମାନେ ପହଞ୍ଚି ନିଆଁ ଲିଭାଇଥିଲେ । ଗୁରୁବାର ଅପରାହ୍ଣରେ ଓର୍କେଲ ଥାନା ଅଧିକାରୀ ଜନ କୁଜୁରଙ୍କ ନେତୃତ୍ୱରେ କୋରାପୁଟରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଛି । ତଦନ୍ତକାରୀ ଟିମ୍ ଘଟଣାସ୍ଥଳରୁ ମିଳିଥିବା ଚପଲ ଓ ଅନ୍ୟାନ୍ୟ ଦ୍ରବ୍ୟ ପରୀକ୍ଷା ନିମନ୍ତେ ପଠାଇଛନ୍ତି । ପୌର ନିର୍ବାଚନ ଶେଷ ହେବା ପରେ ବିକାଶମୂଳକ କାର୍ଯ୍ୟ ପାଇଁ ସରକାରୀ ଅନୁଦାନ ମିଳିଛି । ଇଣ୍ଡୋର ଷ୍ଟାଡିୟମ୍ ଏବଂ ଅର୍ବାନ ମେଡିକାଲ ନିମନ୍ତେ ଜାଗା ଅଧିଗ୍ରହଣ ସହ ଲୋକଙ୍କ ଘର ଭଙ୍ଗାକୁ ନେଇ ଆକ୍ରମଣ ହୋଇଥିବା ଆଶଙ୍କା କରାଯାଇଛି ।