ଅସ୍ଥାୟୀ ସେଡ୍ ଆଢୁଆଳରେ ମେଘନାଦ ପାଚେରି
ପୁରୀ (ବୁ୍ୟରୋ): ବିଶ୍ୱନିୟନ୍ତାଙ୍କ ମନ୍ଦିର ଶ୍ରୀମନ୍ଦିର । ଏଠାକାର ପରିବେଶ ଭିନ୍ନ । କାହା ମନରେ କେତେ ଦୁଃଖ ରହିଥିଲେ ସୁଦ୍ଧା ସିଂହଦ୍ୱାର ନିକଟରେ ପହଞ୍ଚିଗଲେ ଶ୍ରୀମନ୍ଦିରକୁ ଦେଖିଦେଲେ ସବୁ କିଛି ଆପେ ଆପେ ଉଭେଇଯାଏ । ତତ୍ସହିତ ମେଘନାଦ ପାଚେରିକୁ ମଧ୍ୟ ଦେଖିଥାନ୍ତି ଭକ୍ତ । ମେଘନାଦ ପାଚେରି କେଉଁଭଳି ଭାବରେ ଶ୍ରୀମନ୍ଦିରକୁ ସୁରକ୍ଷା ଦେଇ ସଜାଗ ରହିଛି ।
ଅନ୍ୟପକ୍ଷରେ ଏହାର କାରୁକାର୍ଯ୍ୟକୁ ଅତି ନିକଟରୁ ଦେଖିଥାନ୍ତି ପର୍ଯ୍ୟଟକ । ହେଲେ ସେହି ମେଘନାଦ ପାଚେରି ନିକଟକୁ ଯାଇପାରୁନାହାନ୍ତି ଭକ୍ତ ବା ପର୍ଯ୍ୟଟକ । ଏବେ ମେଘନାଦ ପାଚେରିକୁ ମଧ୍ୟ ଦେଖିପାରୁନାହାନ୍ତ ଶ୍ରଦ୍ଧାଳୁ । ଯାହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସିଂହଦ୍ୱାର ଠାରୁ ଆରମ୍ଭ କରି ଦକ୍ଷିଣଦ୍ୱାର ଓ ପଶ୍ଚିମ ଦ୍ୱାରରେ ଅସ୍ଥାୟୀ ତମ୍ବୁ ନିର୍ମାଣ କରାଯାଇଛି । ତତ୍ସହିତ ଅସ୍ଥାୟୀ ଗଛ ମଧ୍ୟ ସାଜିଛି ବାଧକ । ଏନେଇ ଭକ୍ତଙ୍କ ମଧ୍ୟରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପୂର୍ବରୁ ମୁକ୍ତ ଥିବା ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଏବେ ତମ୍ବୁ ଦଖଲ କରିଛି । ଫଳରେ ଭକ୍ତଗଣ ମେଘନାଦ ପାଚେରିକୁ ଦେଖିବାରୁ ବଞ୍ଚିତ ରହୁଛନ୍ତି । ଏପରିକି ପାଚେରି କେଉଁଠି ବୋଲି ଅନେକ ଭକ୍ତ ସିଂହଦ୍ୱାରରେ ପଚାରୁଥିବା ଜଣାପଡ଼ିଛି ।
ମହାପ୍ରଭୁଙ୍କ ଘୋଷଯାତ୍ରା ପାଖେଇ ଆସୁଥିବାରୁ ଧୀରେ ଧୀରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ଼ ଜମିଲାଣି । ଭକ୍ତମାନେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଦେଖିବା ସହ ଶ୍ରୀମନ୍ଦିର ଚତୁଃପାଶ୍ୱର୍କୁ ବୁଲି ଦେଖୁଛନ୍ତି । ହେଲେ ଦୀର୍ଘ ୨ବର୍ଷ କଟକଣା ଯୋଗୁଁ ଅନେକ ଭକ୍ତ ପୁରୀ ଆସିପାରି ନ ଥିଲେ । ମାତ୍ର ଏହାରି ମଧ୍ୟରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ଅନେକ ପରିବର୍ତ୍ତନ ଘଟିଛି । ତତ୍ସହିତ ଭକ୍ତଙ୍କ ଲାଗି ସିଂହଦ୍ୱାର, ଦକ୍ଷିଣଦ୍ୱାର ଓ ପଶ୍ଚିମଦ୍ୱାରରେ ଅସ୍ଥାୟୀ ସେଡ୍ ନିର୍ମାଣ କରାଯାଇଛି । ଯାହାଦ୍ୱାରା ଶ୍ରୀମନ୍ଦିରର ମେଘନାଦ ପାଚେରି ଲୁଚିଗଲାଣି । ଏହି ଅସ୍ଥାୟୀ ସେଡ୍କୁ ତୁରନ୍ତ ହଟାଯାଉ ବୋଲି ଭକ୍ତଙ୍କ ମହଲରେ ଦାବି ଜୋର୍ ଧରିଛି ।