ଫେବ୍ରୁଆରୀ ସୁଦ୍ଧା ଜାତି ଜନଗଣନା
ପାଟନା, ୨ା୬: ବିହାରରେ ଜାତିଗତ ଜନଗଣନା ପାଇଁ ବୁଧବାର ସର୍ବଦଳୀୟ ବୈଠକରେ ପ୍ରସ୍ତାବ ପାସ୍ ହେବା ପରେ ଗୁରୁବାର ଏହା ଉପରେ ଲାଗିଛି କ୍ୟାବିନେଟ୍ ମୋହର । ରାଜ୍ୟ ସରକାର ଏଥିପାଇଁ କଣ୍ଟିଜେନ୍ସି ଫଣ୍ଡ (ଆକସ୍ମିକ ପାଣ୍ଠି)ରୁ ୫୦୦ କୋଟି ଟଙ୍କା ବ୍ୟୟ କରିବେ । ଗଣନା ୮ମାସ ଭିତରେ ଅର୍ଥାତ୍ ଆସନ୍ତା ବର୍ଷ ଫେବୃଆରୀ ସୁଦ୍ଧା ସମ୍ପୂର୍ଣ୍ଣ ହେବ ।
ମୁଖ୍ୟ ସଚିବ ଅମୀର ସୁବହାନୀ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ବହୁ ପର୍ଯ୍ୟାୟରେ ଗଣନା କରାଯିବ । ସାଧାରଣ ପ୍ରଶାସନ ବିଭାଗ ଏହାକୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ପରିଚାଳନା କରିବ । ଜିଲ୍ଲା ମାଜିଷ୍ଟ୍ରେଟ୍ ହେବେ ନୋଡାଲ୍ ଅଧିକାରୀ । ପଞ୍ଚାୟତ ସ୍ତରରେ ମଧ୍ୟ ସମ୍ପୃକ୍ତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯିବ । ଗଣନା ମଧ୍ୟରେ ରାଜ୍ୟବାସୀଙ୍କ ଆର୍ଥôକ ସ୍ଥିତିର ମଧ୍ୟ ସର୍ଭେ କରାଯିବ । ଜାତି ଆଧାରିତ ଗଣନାର ଅଗ୍ରଗତି ସମ୍ବନ୍ଧୀୟ ରିପୋର୍ଟ ବିଧାନସଭାରେ ବିଭିନ୍ନ ଦଳର ନେତାମାନଙ୍କୁ ଅବଗତ କରାଯିବ ।
ବିଜେପି ଜାତୀୟ ସ୍ତରରେ ଜାତି ଜନଗଣନାକୁ ବିରୋଧ କରୁଥିଲେ ହେଁ ବାଧ୍ୟବାଧକତାରେ ବିହାରରେ ସବୁ ଧର୍ମର ଜାତି ଓ ଉପଜାତି ଜନଗଣନା ପ୍ରସ୍ତାବରେ ସହମତ ହୋଇଛି । କୌଣସି ରୋହିଙ୍ଗ୍ୟା ଓ ବାଂଲାଦେଶୀଙ୍କ ଗଣନା କରାଗଲେ ପରେ ସେମାନେ ନାଗରିକତା ଦାବି କରିବା ଆଶଙ୍କା ଅଛି । ଦେଶରେ ସରକାରୀ ହିସାବରେ ଅଛନ୍ତି ୩୭୪୭ ଜାତି । କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟରେ ଏକ ସତ୍ୟପାଠରେ ଦର୍ଶାଇଛନ୍ତି ଯେ ୨୦୧୧ ମସିହାର ସର୍ଭେରେ ୪ଲକ୍ଷ ୩୦ ହଜାର ଜାତିର ବିବରଣୀ ଲୋକେ ଦେଇଥିଲେ । ଏସବୁ ଦୃଷ୍ଟିରୁ ଜାତି ଜନଗଣନାବେଳେ ସାବଧାନତା ଅବଲମ୍ବନ ଆବଶ୍ୟକ ବୋଲି କହିଛନ୍ତି ବିଜେପି ପ୍ରଦେଶ ଅଧ୍ୟକ୍ଷ ସଞ୍ଜୟ ଜୟସୱାଲ୍ ।
ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବାସଭବନରେ ବୁଧବାର ସର୍ବଦଳୀୟ ବୈଠକରେ ସର୍ବସମ୍ମତିକ୍ରମେ ଏ ସମ୍ବନ୍ଧୀୟ ପ୍ରସ୍ତାବ ପାସ୍ ହେବା ଦ୍ୱାରା ବିହାରରେ ଜାତିଗତ ଜନଗଣନାର ପଥ ପରିଷ୍କାର ହୋଇଥିଲା । ବିହାର ରାଜନୀତି ପାଇଁ ଜାତିି ଜନଗଣନା ସମ୍ବନ୍ଧୀୟ ସର୍ବଦଳୀୟ ବୈଠକ ଥିଲା ବିଶେଷ ଗୁରୁତ୍ୱପୂର୍ଣ୍ଣ । ବୈଠକରେ ବିଜେପି, କଂଗ୍ରେସ, ଆର୍ଜେଡି ସମେତ ୯ଟି ଦଳ ଉପସ୍ଥିତ ଥିଲେ; ବିକାଶଶୀଳ ଇନ୍ସାନ୍ ପାର୍ଟି (ଭିଆଇପି)କୁ ଡକାଯାଇ ନ ଥିଲା । ବିଜେପି ଏଥିରେ ଯୋଗଦେବାକୁ ପ୍ରଥମେ ରାଜି ହେଉ ନ ଥିଲା । ମୋଦି ସରକାର ବୈଷୟିକ କାରଣ ଦର୍ଶାଇ ରାଷ୍ଟ୍ରୀୟସ୍ତରରେ ଏପରି ଜନଗଣନା ପ୍ରସ୍ତାବକୁ ଅଗ୍ରାହ କରି ଆସୁଥିବା ବେଳେ ବିହାରରେ ଅନନ୍ୟୋପାୟ ହୋଇ ସମର୍ଥନ ଦେଇଛନ୍ତି । ଉକ୍ତ ପ୍ରସଙ୍ଗରେ ନୀତୀଶଙ୍କ ଜେଡିୟୁ ତେଜସ୍ୱୀ ଯାଦବଙ୍କ ଆର୍ଜେଡି ସହ ହାତ ମିଳାଇ ଥିବାରୁ ରାଜ୍ୟରେ ଓବିସି ଭୋଟ ବ୍ୟାଙ୍କ ହାତଛଡ଼ା ହେବା ଆଶଙ୍କାରେ ପରିଶେଷରେ ଜାତିଗତ ଜନଗଣନାକୁ ସମ୍ମତି ଦେଇଛି ।