୨୯ରୁ ସର୍ବବୃହତ୍ ନାଭାଲ୍ ଏକ୍ସରସାଇଜ୍

ନୂଆଦିଲ୍ଲୀ (ଏଜେନ୍ସି): ଆରମ୍ଭ ହେବାକୁ ଯାଉଛି ବିଶ୍ୱର ସର୍ବବୃହତ୍ ସମରାଭ୍ୟାସ । ଭାରତ ଏବଂ ଆମେରିକା ସମେତ ପ୍ରାୟ ୨୬ ଦେଶ ମିଳିତ ଭାବେ ବିଶାଳ ସମୁୂଦ୍ରଗର୍ଭରେ ନାଭାଲ୍ ଏକ୍ସରସାଇଜ୍ କରିବେ । ୨୯ ଜୁନ୍ରୁ ଆରମ୍ଭ ହେବାକୁ ଥିବା ଏହି ସମରାଭ୍ୟାସ ଅଗଷ୍ଟ ୪ ପର୍ଯ୍ୟନ୍ତ ଜାରି ରହିବ । ଏଥିପାଇଁ ଆମେରିକାର ହୋନୋଲୁଲୁ ଏବଂ ସାନ୍ ଡିଆଗୋ ଠାରେ ସମସ୍ତ ପ୍ରକାର ପ୍ରସ୍ତୁତି ପର୍ବ ଶେଷ ହୋଇସାରିଥିବା ସୂଚନା ମିଳିଛି । ତେବେ ଏପ୍ରକାର ଏକ ସମୁଦ୍ରାଭ୍ୟାସ ଆୟୋଜନ ପଛରେ ଏକ ବଡ଼ ରହସ୍ୟ ଲୁଚି ରହିଛି ।
ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ବଢ଼ୁଥିବା ଔଦ୍ଧତ୍ୟକୁ କଡା ଟକ୍କର ଦେବା ଉଦେ୍ଦଶ୍ୟରେ ଏପ୍ରକାର ମିଳିତ ସମରାଭ୍ୟାସର ଆୟୋଜନ କରାଯାଉଛି । କେବଳ ଦକ୍ଷିଣ ଚୀନ୍ ସାଗର ନୁହେଁ, ବରଂ ବିଶ୍ୱର କୌଣସି ସାମୁଦ୍ରିକ କ୍ଷେତ୍ରରେ ଚୀନ୍ର ଦାଦାଗିରିକୁ ରୋକିବା ଏବଂ ଚୀନ୍ ଉପରେ ଏକ ମନସ୍ତାତ୍ୱିକ ଚାପ ପକାଇବା ଲକ୍ଷ୍ୟରେ ଏପ୍ରକାର ସାମୁଦ୍ରିକ ସମରାଭ୍ୟାସର ଆୟୋଜନ କରାଯାଉଥିବା କୁହାଯାଇଛି । ଏତଦ୍ବ୍ୟତୀତ ଏହି ସମରାଭ୍ୟାସ ପଛରେ ଚୀନ୍କୁ ଏକ ନୈତିକ ଶିକ୍ଷା ଦେବାର ମଧ୍ୟ ଏକ ବୃହତ୍ ଉଦେ୍ଦଶ୍ୟ ମଧ୍ୟ ରହିଛି । ନିଜ ବିଶାଳ ନୌସେନାକୁ ନେଇ ଗର୍ବରେ ମତୁଆଲା ରହୁଥିବା ଚୀନ୍ର ଦାଦାଗିରି ଆଉ ଚଳିବ ନାହିଁ ବୋଲି ଚୀନ୍ ଏବେ ବୁଝିପାରିବ ବୋଲି ଅନୁମାନ କରାଯାଉଛି ।
ପ୍ରକାଶ, ଏହି ସମରାଭ୍ୟାସ ଦୁଇ ବର୍ଷରେ ଥରେ ଆୟୋଜନ କରାଯାଇଥାଏ । ତେବେ ୨ଠ୨ଠରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ସମରାଭ୍ୟାସକୁ ରଦ୍ଦ କରାଯାଇଥିଲା । ଏହାକୁ ରିମ୍ ଅଫ୍ ପାସିଫିକ୍ ଏକ୍ସରସାଇଜ୍ ୨ଠ୨୨’ ଅର୍ଥାତ୍ ଆର୍ଆଇଏମ୍ପିଏସି ବା ରିମ୍ପାକ୍ ୨ଠ୨୨ ନାମକରଣ କରାଯାଇଛି । ୧୯୭୧ରେ ରିମ୍ପାକ୍ର ଗଠନ କରାଯାଇଥିଲା । ଚଳିତ ବର୍ଷ ସମରାଭ୍ୟାସକୁ ମିଶାଇ ଏହା ୨୮ତମ ସଂସ୍କରଣ ସମରାଭ୍ୟାସ ହେବାକୁ ଯାଉଛି ।
ରିମ୍ପାକ୍ରେ ସାମିଲ ୨୬ ଦେଶ ମଧ୍ୟରେ ଚତୁଃର୍ରାଷ୍ଟ୍ରୀୟ ସଂଗଠନ କ୍ୱାଡ୍ର ସଦସ୍ୟ (ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ) ରାଷ୍ଟ୍ରମାନେ ମଧ୍ୟ ସାମିଲ ରହିଛନ୍ତି । କ୍ୱାଡ୍ ସଦସ୍ୟ ରାଷ୍ଟ୍ରଙ୍କୁ ବାଦ୍ଦେଲେ ରିମପାକ୍ରେ ସାମିଲ ହେଉଥିବା ବାକି ୨୨ ଦେଶଙ୍କର ମଧ୍ୟ ଦକ୍ଷିଣ ଚୀନ୍ ସାଗରରେ ଚୀନ୍ର ଦୌରତ୍ମ୍ୟକୁ ପ୍ରଭାବହୀନ କରିବା ଉଦେ୍ଦଶ୍ୟ ରହିଛି । ସିଧାଅର୍ଥରେ କହିଲେ ଚୀନ୍ର ବିସ୍ତାରବାଦୀ ନୀତିକୁ ଏବେ ଆଉ କୌଣସି ଦେଶ ବରଦାସ୍ତ କରିବାକୁ ପ୍ରସ୍ତୁତ ନୁହେଁ । ଏଥିପାଇଁ ଏମାନେ ଭାରତ, ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଭଳି ଦେଶଙ୍କ ନେତୃତ୍ୱରେ ବା ଛତ୍ରଛାୟା ତଳେ ରହିବାକୁ ଆଗଭର ହୋଇଛନ୍ତି । ଅନ୍ୟପକ୍ଷେ ଆମେରିକା ଏସବୁ ଦେଶମାନଙ୍କୁ ସବୁସ୍ତରରେ ସାହାଯ୍ୟ, ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛି । ଏହି ୨୨ ଦେଶଙ୍କ ମଧ୍ୟରେ ମେକ୍ସିକୋ, ନେଦରଲାଣ୍ଡ, ବ୍ରିଟେନ୍ ଡେନ୍ମାର୍କ, ଇସ୍ରାଏଲ ଆଦି ଦେଶ ସାମିଲ ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *