ଶିକ୍ଷକ ଶୂନ୍ୟ ଚକାପାଦ ଗୁରୁକୁଳାଶ୍ରମ
ଚକାପାଦ (ପ୍ରମୋଦ କୁମାର ସାହୁ): ଚକାପାଦସ୍ଥିତ ସଂସ୍କୃତ ଗୁରୁକୁଳାଶ୍ରମ ଶିକ୍ଷକଶୂନ୍ୟ ହୋଇପଡିଛି । ଫଳତଃ ଏଠାରେ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଛି । ସୂଚନାଯୋଗ୍ୟ ବେଦାନ୍ତ କେଶରୀ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଦ୍ୱାରା ୧୯୭୦ ମସିହାରେ ପ୍ରତିଷ୍ଠିତ ଚକାପାଦ ଗୁରୁକୁଳାଶ୍ରମ ପର୍ଯ୍ୟାୟକ୍ରମେ ସରକାରଙ୍କ ଅନୁବନ୍ଧିତ, ସ୍ୱୀକୃତିପ୍ରାପ୍ତ ଏବଂ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ରୂପେ ଅନେକ ଶୃଙ୍ଖଳ ଏବଂ ସଫଳ ଛାତ୍ର ସୃଷ୍ଟି କରିବାରେ ଇତିହାସ ରଚିଛି । କିନ୍ତୁ ସରକାରଙ୍କ ବୈମାତୃକ ମନୋଭାବର ସ୍ପଷ୍ଟ ପ୍ରତୀକ ସାଜିଛି ଏହି ବିଦ୍ୟାଳୟ । ଏଠାରେ ଅଧ୍ୟାପନା କରୁଥିବା ଶିକ୍ଷକଙ୍କ ଅବସର ଗ୍ରହଣ ପରବର୍ତ୍ତୀ ଶିକ୍ଷକ ନିଯୁକ୍ତି ଆଦୌ ନାହିଁ । ସର୍ବ ପ୍ରଥମେ ୫ ଶିକ୍ଷକଙ୍କୁ ନେଇ ଚାଲିଥିଲା ଏହି ବିଦ୍ୟାଳୟ । ପର୍ଯ୍ୟାୟ କ୍ରମେ ସମସ୍ତ ଶିକ୍ଷକ ଅବସର ନେଇଛନ୍ତି । ଗତ ମାସ ୩୧ ତାରିଖରେ ଶିକ୍ଷକ ଅସିତ କୁମାର ମିଶ୍ର ଅବସର ନେଲେ । ବର୍ତ୍ତମାନ ଜଣେ ବି ଶିକ୍ଷକ ନାହାଁନ୍ତି । ସମର୍ପଣ ଟ୍ରଷ୍ଟ, ଓଡିଶା ପ୍ରାଇଭେଟ ଫଣ୍ଡ୍ରୁ ନୁ୍ୟନତମ ପାରିଶ୍ରମିକ ଦେଇ ଚାରି ଜଣ ଶିକ୍ଷକ ନିଯୁକ୍ତ କରିଛନ୍ତି । ଏହି ଗୁରୁକୁଳାଶ୍ରମରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୧୬୦ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି । ବିଦ୍ୟାଳୟ ଚାଲିବା ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବର୍ଷବର୍ଷ ଧରି ସରକାରଙ୍କ ପାଖରେ ଦାବି କରିଛନ୍ତି ଅଞ୍ଚଳବାସୀ । କିନ୍ତୁ ସଫଳତାର ଗାଥା ଗାଉଥିବା ସରକାର ସମ୍ପୂର୍ଣ୍ଣ ଭାବେ ବେସାହାରା ହୋଇଯାଇଛି ଏହି ବିଦ୍ୟାଳୟ ପ୍ରତି । ଏହି ପରିପ୍ରେକ୍ଷୀରେ ପୁଣିଥରେ ସମସ୍ତ ଅଞ୍ଚଳବାସୀ ସରକାରୀ ଶିକ୍ଷକ ନିଯୁକ୍ତି ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।