ଦିଲ୍ଲୀରେ ପହଞ୍ଚିଲା ଦକ୍ଷିଣ ଆଫ୍ରିକୀୟ ଟିମ୍

୯ରୁ ଟି-୨୦ ଶୃଙ୍ଖଳା
ନୂଆଦିଲ୍ଲୀ, ୨ା୬ (ଏଜେନ୍ସି): ତେମ୍ବା ବାଭୁମାଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକୀୟ ଟି-୨୦ ଟିମ୍ ଭାରତ ବିପକ୍ଷରେ ପାଞ୍ଚ ମ୍ୟାଚ୍ର ଶୃଙ୍ଖଳା ଖେଳିବା ପାଇଁ ଗୁରୁବାର ନୂଆଦିଲ୍ଲୀରେ ଆସି ପହଞ୍ଚିଛି । ଏହି ଶୃଙ୍ଖଳା ଜୁନ୍ ୯ରୁ ୧୯ ଯାଏଁ ଆୟୋଜିତ ହେବ । ବର୍ଷ ଶେଷ ବେଳକୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଏହି ଶୃଙ୍ଖଳା ଜରିଆରେ ଉଭୟ ଟିମ୍ର ପ୍ରସ୍ତୁତି ଆରମ୍ଭ ହେବ । ତୃତୀୟ ଥର ଦକ୍ଷିଣ ଆଫ୍ରିକା ଭାରତରେ ଦ୍ୱିପାକ୍ଷିକ ଟି-୨୦ ଶୃଙ୍ଖଳା ଖେଳିବ । ଏହା ପୂର୍ବରୁ ୨୦୧୫ ଅକ୍ଟୋବର ଓ ୨୦୧୯ ସେପ୍ଟେମ୍ବରରେ ଉଭୟ ଟିମ୍ ମଧ୍ୟରେ ଭାରତରେ ଟି-୨୦ ଶୃଙ୍ଖଳା ଖେଳାଯାଇଥିଲା ।
କ୍ରିକେଟ୍ ଦକ୍ଷିଣ ଆଫ୍ରିକା ନୂଆଦିଲ୍ଲୀରେ ପହଞ୍ଚିବା ପରେ ବସ୍ ଭିତରେ ଟିମ୍ର ଫଟୋ ସେୟାର୍ କରି ଲେଖିଥିଲା, “ଟଚ୍ଡାଉନ୍ (ଭାରତକୁ ଆସିଗଲୁ) ।” ଭାରତ ନିଜର ମୁଖ୍ୟ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମ୍ରାଙ୍କୁ ବିଶ୍ରାମ ଦେଇଛି । ଲୋକେଶ ରାହୁଲ ଟିମ୍ର ନେତୃତ୍ୱ ନେଉଥିବା ବେଳେ ରିଷଭ ପନ୍ତଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି ।
ଅନ୍ୟପଟେ, ଦକ୍ଷିଣ ଆଫ୍ରିକୀୟ ଟିମ୍ରେ ୱିକେଟ୍କିପର୍ କୁଇଣ୍ଟନ୍ ଡି’ କକ୍ ଓ ପେସ୍ ବୋଲର୍ କାଗିସୋ ରାବାଡ଼ାଙ୍କ ଛଡ଼ା ଡେଭିଡ୍ ମିଲର୍ଙ୍କ ଭଳି ବ୍ୟାଟର୍ ଉପସ୍ଥିତ ରହିବେ, ଯିଏକି ଗୁଜରାଟ ଟାଇଟନ୍ସକୁ ଆଇପିଏଲ୍ ୨୦୨୨ ଜିତାଇବାରେ ଗୁରୁ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ । ଏହି ତିନି ଜଣଙ୍କ ଛଡ଼ା ମାର୍କୋ ଜାନ୍ସେନ୍, ଏନରିକ୍୍ ନୋର୍ଟଜେ, ଡ୍ୱେନ୍ ପ୍ରିଟୋରିଅସ୍, ରାସି ଭାନ୍ ଡର୍ ଡୁସେନ୍ ଓ ଟ୍ରିଷ୍ଟନ୍ ଷ୍ଟବ୍ସ ମଧ୍ୟ ନିଜ ନିଜ ଟିମ୍ ପାଇଁ ଆଇପିଏଲ୍ ୨୦୨୨ରେ ଭାଗ ନେଇଥିଲେ, ଯାହା ଫଳରେ ସେମାନେ ଭାରତୀୟ ପରିସ୍ଥିତି ବିଷୟରେ ଅବଗତ ଅଛନ୍ତି ।
ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜୁନ୍ ୯ରେ ଅରୁଣ ଜେଟ୍ଲୀ ଷ୍ଟାଡିୟମ୍ରେ ହେବ, ଯେଉଁଠି ଭାରତୀୟ ଟିମ୍ ଲଗାତାର ୧୩ତମ ମ୍ୟାଚ୍ ଜିତିବାକୁ ଖେଳିବ । ଭାରତ ଟି-୨୦ ଆନ୍ତର୍ଜାତିକରେ ଲଗାତାର ୧୨ ବିଜୟ ସହ ଆଫଗାନିସ୍ତାନ ଓ ରୋମାନିଆର ସମକକ୍ଷ ହୋଇଛି । ନୂଆଦିଲ୍ଲୀରେ ପ୍ରଥମ ମ୍ୟାଚ୍ ଖେଳାଯିବା ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ନିଜ ପରବର୍ତ୍ତୀ ମ୍ୟାଚ୍ ଜୁନ୍ ୧୨ରେ କଟକ, ୧୪ରେ ବିଶାଖାପାଟଣା, ୧୭ରେ ରାଜକୋଟ୍ ଓ ୧୯ରେ ବେଙ୍ଗାଲୁରୁରେ ଖେଳିବ ।
ଦକ୍ଷିଣ ଆଫ୍ରିକା ଟିମ୍: ତେମ୍ବା ବାଭୁମା (ଅଧିନାୟକ), କୁଇଣ୍ଟନ ଡି’ କକ୍, ରୀଜା ହେଣ୍ଡ୍ରିକ୍ସ, ହେନରିକ୍ କ୍ଲାସେନ୍, କେଶବ ମହାରାଜ, ଏଡେନ୍ ମାର୍କରମ, ଡେଭିଡ୍ ମିଲର୍, ଲୁଙ୍ଗି ଏନ୍ଗିଡ଼ି, ଏନରିକ୍ ନୋର୍ଟଜେ, ୱେନ ପର୍ନେଲ୍, ଡ୍ୱେନ୍ ପ୍ରିଟୋରିୟସ୍, କାଗିସୋ ରାବାଡ଼ା, ତାବରେଜ ଶାମ୍ସୀ, ଟ୍ରିଷ୍ଟନ୍ ଷ୍ଟବ୍ସ, ରାସି ଭାନ୍ ଡର୍ ଡୁସେନ୍ ଓ ମାର୍କୋ ଜାନ୍ସେନ୍ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *