ସାହି ସାହି ବୁଲି ସମସ୍ୟା ସମାଧାନ କରୁଛନ୍ତି ଜିଲ୍ଲାପାଳ
ପାଖେଇ ଆସୁଛି ସ୍ନାନଯାତ୍ରା
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ପର୍ଯ୍ୟଟନ ସହର ଭାବେ ପରିଚିତ । ତତ୍ସହିତ ଏଠାରେ ବିଶ୍ୱନିୟନ୍ତା ଅବସ୍ଥାନ କରିଛନ୍ତି । ସେଥିଲାଗି ୧୨ ମାସରେ ୧୩ ପର୍ବ ପାଳନ ହୋଇଥାଏ ଶ୍ରୀମନ୍ଦିରରେ । ଏହି ପର୍ବକୁ ଦେଖିବା ଲାଗି ସବୁବେଳେ ଶ୍ରୀକ୍ଷେତ୍ରରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ତତ୍ସହିତ ସହରରେ ମାତ୍ରାଧିକ ଅଟୋ ଯୋଗୁଁ ଗଳିକନ୍ଦିଠାରୁ ଆରମ୍ଭ କରି ବଡ଼ଦାଣ୍ଡରେ ପ୍ରବଳ ଜାମ୍ ହୋଇଥାଏ । ଏପରିକି ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବସବାସ କରୁଥିବା ସାହିବାସିନ୍ଦାମାନେ ନାହିଁ ନ ଥିବା ହଇରାଣ ହରକତ ହେଉଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ହେବା ପରେ ସମସ୍ୟା ସମାଧାନ ଲାଗି ଖୋଦ୍ ଜିଲ୍ଲାପାଳ ସମର୍ଥ ବର୍ମା ଅଣ୍ଟା ଭିଡ଼ିଛନ୍ତି ।
ମଙ୍ଗଳବାର ରାତିରେ ଜିଲ୍ଲାପାଳ ଶ୍ରୀ ବର୍ମା ବାସେଳୀ ସାହି ସମେତ ଅନ୍ୟ ସ୍ଥାନୀୟ ଅଞ୍ଚଳକୁ ଗସ୍ତ କରି ସିଧାସଳଖ ସାହିବାସିନ୍ଦାଙ୍କ ସହ ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ବିଶେଷ ଭାବରେ ସ୍ନାନ ଯାତ୍ରା ଓ ରଥଯାତ୍ରା ଆଗକୁ ଆସୁଥିବା ବେଳେ ଜଳ ଯୋଗାଣ, ପରିମଳ, ଡ୍ରେନ୍, ବିଦୁ୍ୟତ୍ ଓ ରାସ୍ତାଘାଟ ସମ୍ପର୍କରେ ଅଭିଯୋଗ ଶୁଣିଛନ୍ତି । ଏପରିକି ଯାହା କିଛି ସମସ୍ୟା ରହିଛି ତାହାକୁ ସଙ୍ଗେ ସଙ୍ଗେ ସମାଧାନ ଲାଗି ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଉଛନ୍ତି । ଏପରିକି ଘଟଣାସ୍ଥଳରେ ସାହିବାସିନ୍ଦାଙ୍କ ସମସ୍ୟା ସମାଧାନ ହେଉଥିବାରୁ ସେମାନେ ଜିଲ୍ଲାପାଳଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି ।
ଅନ୍ୟପକ୍ଷରେ ଯାତ୍ରା ସମୟରେ ସାହିବାସିନ୍ଦାମାନେ କିଭଳି ସେମାନଙ୍କ ଯିବାଆସିବାରେ କୌଣସି ଅସୁବିଧା ନ ହେବ ତାହା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ସମୟରେ ଜିଲ୍ଲାପାଳଙ୍କ ସହ କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ପରିମଳ, ବିଦୁ୍ୟତ୍, ଡ୍ରେନେଜ୍ ବିଭାଗୀୟ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।