ଜନସେବାକୁ ୨୫ ବର୍ଷ
ଅପ୍ରତିଦ୍ୱନ୍ଦ୍ୱୀ ନବୀନ, ବିରୋଧୀ ଧରାଶାୟୀ
ଭୁବନେଶ୍ୱର,୧ା୬(ବୁ୍ୟରୋ): ସକ୍ରିୟ ରାଜନୀତିରେ ୨୫ବର୍ଷ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୯୯୭, ଜୁନ ୧ ତାରିଖରେ ପ୍ରଥମ ଥର ପାଇଁ ଆସିକାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ନବୀନ । ଆଉ ଏହାପରେ ପଛକୁ ଫେରି ଚାହିଁନାହାନ୍ତି ନବୀନ । ସଫଳତାର ଗୋଟିଏ ପରେ ଗୋଟିଏ ସିଡି ଚଢି ଅତିକ୍ରମ କରି ଚାଲିଛନ୍ତି ।
୧୯୯୭ରେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ରାଜ୍ୟ ରାଜନୀତିରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥିଲା । ଆଉ ଏତିକି ବେଳେ ରାଜନୀତିରେ ପ୍ରବେଶ କରିଥିଲେ ନବୀନ । ରାଜନୀତିରେ ପ୍ରବେଶ ବେଳେ ନା’ ନେତା, ନା’ ଜନତା, କେହି କେବେ କଳ୍ପନା କରି ନଥିଲେ ଯେ, ରାଜ୍ୟ ରାଜନୀତିରେ ଅପରିଚିତ ଥିବା ନବୀନ, ଦିନେ ଦେଶର ରାଜନୈତିକ ଇତିହାସରେ ସବୁଠୁ ବଡ଼ ଅଧ୍ୟାୟ ଲେଖିବାକୁ ଯାଉଛନ୍ତି । ସ୍ୱାଧୀନତା ପରେ ରାଜ୍ୟ ରାଜନୀତିରେ ଏ ହେଉଛନ୍ତି ଏପରି ଏକ ବ୍ୟକ୍ତିତ୍ୱ, ଯାହାଙ୍କୁ ·ଲେଞ୍ଜ ଦେବା ବଡ଼ ବଡ଼ ନେତାଙ୍କ ପାଇଁ ବି ସମ୍ଭବ ହୋଇନାହିଁ । ୧୯୯୭ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ନାଁ ଶୁଣିଥିଲେ ଓଡ଼ିଶାର ହାତ ଗଣତି ଲୋକ । ସବୁଠୁ ଲୋକପ୍ରିୟ ନେତା ବିଜୁ ପଟ୍ଟନାୟକଙ୍କ ପୁଅ ହୋଇଥିଲେ ବି ରାଜନୀତିଠାରୁ ବେଶ୍ ଦୂରରେ ଥିଲେ ନବୀନ । ତେବେ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ପୂରା ବଦଳି ଯାଇଥିଲା ନବୀନଙ୍କ ଜୀବନ । ଜୁନ ୧୯୯୭ରେ ଆସିକା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ । ଡିସେମ୍ବର ୧୯୯୭ରେ ନବୀନଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ଗଠନ । ମାର୍ଚ୍ଚ ୧୯୯୮ରେ ବାଜପେୟୀଙ୍କ ସରକାରରେ କେନ୍ଦ୍ର ଇସ୍ପାତ ଓ ଖଣି ମନ୍ତ୍ରୀ । ମାର୍ଚ୍ଚ ୨୦୦୦ରେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ନବୀନ । ୧୯୯୭ରୁ ଆସିକା ଲୋକସଭା ଆସନରୁ ସାଂସଦ ଏବଂ ୧୯୯୮ ଏନଡିଏ ସରକାରରେ ଖଣିମନ୍ତ୍ରୀ ଭାବେ ଆରମ୍ଭ ହେଲା ତାଙ୍କର ରାଜନୈତିକ କ୍ୟାରିୟର । ୨୦୦୦ ମସିହାରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀରୁ ଜିତି ବିଧାନସଭାରେ ପ୍ରବେଶ କରିବା ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ । ସେତେବେଳେ କିଛି ନେତା ଭାବୁଥିଲେ, ନବୀନଙ୍କୁ ମୋହରା କରି ରାଜନୀତିର ସିଡି ଚଢିବେ । ମାତ୍ର ସେମାନଙ୍କୁ ଭୁଲ ପ୍ରମାଣିତ କରି ନବୀନ ଆରମ୍ଭ କଲେ ନିଜର ରାଜନୈତିକ ଅଭିଯାନ । ଏହା ପରେ ରାଜ୍ୟ ରାଜନୀତିରେ ଯାହା ଘଟିଛି, ତାହା ନବୀନଙ୍କୁ କେନ୍ଦ୍ର କରି ଘଟିଛି । ଅପ୍ରତିଦ୍ୱନ୍ଦ୍ୱୀ ଭାବେ ୫ ଥର ମୁଖ୍ୟମନ୍ତ୍ରୀ ହେବାର ଗୌରବ ହାସଲ କରିଛନ୍ତି ସେ । ନବୀନଙ୍କ ପଞ୍ଚମ ପାଳିର ମୁଖ୍ୟମନ୍ତ୍ରୀତ୍ୱ ଶେଷ ହେବା ବେଳକୁ ସେ ପାଲଟିଯିବେ ଦେଶର ଦ୍ୱିତୀୟ ସର୍ବାଧିକ କାଳ ମୁଖ୍ୟମନ୍ତ୍ରୀ ହୋଇଥିବା ରାଜନେତା ।