ସୋନିଆ ଓ ରାହୁଲଙ୍କୁ ସମନ୍

ପୁଣି ଖୋଲିଲା ନାସନାଲ୍ ହେରାଲ୍ଡ ଫାଇଲ୍
ନୂଆଦିଲ୍ଲୀ, ୧ା୬: ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ପୁଣି ଥରେ ନାସନାଲ୍ ହେରାଲ୍ଡ ଫାଇଲ୍ ଖୋଲି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ସମନ୍ ପଠାଇଛି । ରାହୁଲଙ୍କୁ ଜୁନ୍ ୨ରେ ଓ ସୋନିଆଙ୍କୁ ଜୁନ୍ ୮ରେ ମାମଲାର ଧନଶୋଧନ (ମନି ଲଣ୍ଡରିଂ) ସମ୍ବନ୍ଧରେ ଜେରା ପାଇଁ ଡକାଯାଇଛି । ରାହୁଲ ଏବେ ବିଦେଶ ଗ୍ରସ୍ତରେ ଥିବାରୁ ସେ ସମୟ ନେବେ, କିନ୍ତୁ ସୋନିଆଙ୍କୁ ନିର୍ଦ୍ଧାରିତ ଦିନରେ ଜେରା କରାଯାଇପାରେ ।
ଏହି ମାମଲାର ତଦନ୍ତ ୨୦୧୫ରେ ବନ୍ଦ କରିଦିଆ ଯାଇଥିଲା । ପ୍ରାୟ ୭ ବର୍ଷ ପରେ ପୁନର୍ବାର ଯାଞ୍ଚ୍ କରାଯାଉଥିବାରୁ କଂଗ୍ରେସ ମୋଦି ସରକାରଙ୍କ ଉପରେ ବର୍ଷିଛି । ଏବଂ କହିଛି ବିରୋଧୀଙ୍କ ସ୍ୱର ଚପାଇ ଦେବା ଲାଗି ଏଭଳି ପଦକ୍ଷେପ ନେଉଛି ଏନ୍ଡିଏ ସରକାର । କଂଗ୍ରେସ ନେତା ରଣଦୀପ ସୁରଜେୱାଲା କହିଛନ୍ତି, ୧୯୪୨ରେ ନାସନାଲ୍ ହେରାଲ୍ଡ ଖବରକାଗଜ ଆରମ୍ଭ ହୋଇଥିଲା । ସେତେବେଳେ ଇଂରେଜମାନେ ଏହାକୁ ଦବେଇବାକୁ ଚେଷ୍ଟା କରିଥିଲେ, ଆଜି ମୋଦି ସରକାର ସେହି ପନ୍ଥା ଧରି ଇଡିର ଦୁରୁପଯୋଗ କରୁଛନ୍ତି । ଆମେ ଡରିବୁ ନାହିଁ । ସମଗ୍ର ଷଡଯନ୍ତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ଅଛି । ଇଡି ତାଙ୍କର ପୋଷା ଏଜେନ୍ସି ହୋଇଛି ।
ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ୧୯୩୮ ନଭେମ୍ବର ୨୦ରେ ଆସୋସିଏଟେଡ୍ ଜର୍ଣ୍ଣାଲ ଲିମିଟେଡ୍ (ଏଜେଏଲ୍) ନାମକ କମ୍ପାନୀ ସ୍ଥାପନ କରିଥିଲେ, ଉଦେ୍ଦଶ୍ୟ ଥିଲା ବିଭିନ୍ନ ଭାଷାରେ କମ୍ପାନୀ ପକ୍ଷରୁ ଖବରକାଗଜ ପ୍ରକାଶ କରାଯିବ । ସେ ସମୟରେ ଏଜେଏଲ୍ ପକ୍ଷରୁ ଇଂରାଜୀରେ ନାସନାଲ୍ ହେରାଲ୍ଡ, ହିନ୍ଦୀରେ ନବଜୀବନ ଓ ଉର୍ଦ୍ଦୁରେ କୌମୀ ଆୱାଜ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା । ଏଜେଏଲ୍ରେ କିନ୍ତୁ ନେହରୁଙ୍କର ମାଲିକାନା ନ ଥିଲା । କମ୍ପାନୀକୁ ୫ ହଜାର ସ୍ୱାଧୀନତା ସଂଗ୍ରାମୀ ରକ୍ତ ସହାୟତା କରୁଥିଲେ ଏବଂ ସେହିମାନେ ହିଁ ଥିଲେ ସେୟାର ହୋଲ୍ଡର । ୧୯୯୦ ଦଶକରେ ହେରାଲ୍ଡର କ୍ଷତି ଆରମ୍ଭ ହେଲା । ୨୦୦୮ ସୁୂଦ୍ଧା ଏଜେଏଲ୍ ଋଣ ରାଶି ୯୦ କୋଟିରୁ ଅଧିକ ହୋଇଗଲା । କମ୍ପାନୀ କଂଗ୍ରେସଠାରୁ ବିନା ସୁଧରେ ୯୦ କୋଟି ଟଙ୍କା ଋଣ ନେବା ସତ୍ତ୍ୱେ ନାସନାଲ୍ ହେରାଲ୍ଡର ପୁନଃ ପ୍ରକାଶନ କଲା ନାହିଁ; ପ୍ରପର୍ଟି ବିଜ୍ନେସ୍ରେ ପାଦ ଦେବାକୁ ଏଜେଏଲ୍ ନିଷ୍ପତ୍ତି ନେଲା । ଏହାର ହୋଲ୍ଡିଂ ସେହି ବର୍ଷ ନୂଆ କରି ଗଠିତ ୟଙ୍ଗ୍ ଇଣ୍ଡିଆ ଲିମିଟେଡ୍ (ୱାଇଆଇଏଲ୍)କୁ ହସ୍ତାନ୍ତର କରାଗଲା ।
ୟଙ୍ଗ୍ ଇଣ୍ଡିଆ କମ୍ପାନୀରେ ସୋନିଆ ଓ ରାହୁଲଙ୍କର ୭୬% ଏବଂ କଂଗ୍ରେସ ନେତା ମୋତିଲାଲ ବୋରା ଓ ଅସ୍କର ଫର୍ଣ୍ଣାଣ୍ଡିଜ (ଉଭୟେ ଦିଂବଗତ)ଙ୍କର ଅବଶିଷ୍ଟ ୨୪% ସେୟାର ଥିଲା । ସେୟାର ଟ୍ରାନ୍ସଫର ହେବାରୁ ଏଜେଏଲ୍ର ସେୟାର ହୋଲ୍ଡରମାନେ ସାମ୍ନାକୁ ଆସିଲେ ।
୨୦୧୦ରେ ଏଜେଏଲ୍ର ସେୟାର ହୋଲ୍ଡର ସଂଖ୍ୟା ଥିଲା ୧୦୫୭ । ପୂର୍ବତନ ଆଇନ ମନ୍ତ୍ରୀ ଶାନ୍ତିଭୂଷଣ ଓ ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟ୍ଜୁ ସମେତ ଅନେକ ସେୟାର ହୋଲ୍ଡର ଅଭିଯୋଗ କଲେ ଯେ, ୱାଇଆଇଏଲ୍ ଯେତେବେଳେ ଏଜେଏଲ୍କୁ ଅଧିଗ୍ରହଣ କଲା, ସେ ସମୟରେ ସେମାନଙ୍କୁ କୌଣସି ନୋଟିସ୍ ଦିଆଯାଇ ନ ଥିଲା । ସେୟାର ଟ୍ରାନ୍ସଫର ପୂର୍ବରୁ ସେୟାର ହୋଲ୍ଡରଙ୍କ ସହମତି ନିଆଯାଇ ନ ଥିଲା ।
ୟଙ୍ଗ୍ ଇଣ୍ଡିଆ ହେରାଲ୍ଡର ପ୍ରାୟ ୧୬୦୦ କୋଟି ଟଙ୍କାର ସମ୍ପତ୍ତିକୁ ମାତ୍ର ୫୦ ଲକ୍ଷ ଟଙ୍କାରେ ହାସଲ କରିଥିବା ଅଭିଯୋଗ ହେବା ପରେ ମାମଲା ଅଦାଲତକୁ ଗଲା । ୨୦୧୨ରେ ବିଜେପି ନେତା ତଥା ଜଣାଶୁଣା ଆଇନଜୀବୀ ସୁବ୍ରମଣିୟମ୍ ସ୍ୱାମୀ ହେରାଲ୍ଡ ମାମଲାରେ ସୋନିଆ, ରାହୁଲ, ମୋତିଲାଲ ବୋରା, ଫର୍ଣ୍ଣାଣ୍ଡିଜ୍, ସାମ୍ବାଦିକ ସୁମନ୍ ଦୁବେ ଓ ଟେକ୍ନୋକ୍ରାଟ୍ ସାମ୍ ପିତ୍ରୋଡାଙ୍କ ବିରୋଧରେ ମାମଲା ରୁଜୁ କଲେ । ସେ ସମୟରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱରେ ଥିଲା ୟୁପିଏ ସରକାର । ୨୦୧୪ରୋ ଏନ୍ଡିଏ ସରକାର ଆସିବାରୁ ମାମଲାର ତଦନ୍ତ ଆରମ୍ଭ କଲା ଇଡି । ୨୦୧୫ରେ ନିମ୍ନ ଅଦାଲତ ସୋନିଆ ଓ ରାହୁଲଙ୍କୁ ଜାମିନ ମଞ୍ଜୁର କଲେ । ୨୦୧୬ରେ ସୁପ୍ରିମ୍ କୋର୍ଟ କିନ୍ତୁ ସୋନିଆ ଓ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ମନା କରିଦେଲେ ଏବଂ କହିଲେ ଆୟକର ତଦନ୍ତ ଜାରି ରହିବ । ୨୦୧୮ରେ କେନ୍ଦ୍ର ସରକାର ହେରାଲ୍ଡର ୫୬ ବର୍ଷର ପୁରୁଣା ସ୍ଥାୟୀ ପଟ୍ଟାକୁ ରଦ୍ଦ କରିବା ସହ ହେରାଲ୍ଡ ହାଉସ୍ ପରିସରରୁ ଏଜେଏଲ୍କୁ ବେଦଖଲ କରିବାକୁ ନିଷ୍ପତ୍ତି ନେଲେ ।
ଋଣ ପରିଶୋଧ ପାଇଁ ଏଜେଏଲ୍କୁ ଦିଆଯାଇଥିବା ୯୦ କୋଟି ଟଙ୍କାର ଋଣକୁ କଂଗ୍ରେସ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଛାଡ଼ କରି ଦେଇଥିବା ଅଭିଯୋଗ ହୋଇଛି । କଂଗ୍ରେସ ଇତି ମଧ୍ୟରେ ୯୦ କୋଟି ଟଙ୍କାର ହିସାବ ଦେଇ କହିଛି ସେଥିରୁ କର୍ମଚାରୀମାନଙ୍କୁ ୬୭ କୋଟି ଏବଂ ଅବଶିଷ୍ଟ ଅର୍ଥ ଭଡା, ବିଜୁଳି ବିଲ୍ ଇତ୍ୟାଦି ବାବଦରେ ଖର୍ଚ୍ଚ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *