ରାସ୍ତା ଉପରେ ଡ୍ରେନ୍ ପାଣି
ଆମ ଫୁଲବାଣୀ କେତେ ପରିଷ୍କାର?
ଫୁଲବାଣୀ (ବୁ୍ୟରୋ): କେନ୍ଦ୍ର ଠାରୁ ରାଜ୍ୟ ସରକାର ସମସ୍ତଙ୍କ ଗୋଟିଏ ନାରା ‘ସ୍ୱଚ୍ଛ ଭାରତ ଅଭିଯାନ’ । ଏହି ଅଭିଯାନରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ନେତା ଓ ସାଧାରଣ ଲୋକ ସମସ୍ତେ ଝାଡୁଧରି ସଫା କରୁଥିବାର ଗଣମାଧ୍ୟମରେ ଦେଖିବାକୁ ମିଳେ । କିନ୍ତୁ ଫୁଲବାଣୀ ପୌର ପରିଷଦ ସ୍ୱଚ୍ଛ ଭାରତ ଅଭିଯାନଠୂ ବହୁ ଦୂରରେ । ଏଠାରେ ୭୦ ସଫେଇ କର୍ମଚାରୀ ଥିଲେ ମଧ୍ୟ ସଫେଇ କାମ ଠିକ୍ ଭାବେ ହେଉ ନ ଥିବା ଅଭିଯୋଗ ହୋଇଛି । ଜିଲ୍ଲାର ବହୁ କାର୍ଯ୍ୟାଳୟରେ କୁଢ କୁଢ ଆବର୍ଜନା ପଡ଼ି ରହିଥିବା ଦେଖିବାକୁ ମିଳୁଛି । ଫୁଲବାଣୀର ମୁଖ୍ୟ ବଜାର, ଫୁଲବାଣୀ ବ୍ଲକ ଓ ତହସିଲ ମୁଖ୍ୟ ଗେଟ୍ ସମ୍ମୁଖ ରାସ୍ତା ପାଶ୍ୱର୍ରେ ଥିବା ଡ୍ରେନ୍ ବହୁଦିନ ଧରି ପୋତି ହୋଇରହିଛି । ଯଦ୍ଦ୍ୱାରା ରାସ୍ତା ଉପରେ ଅପରିଷ୍କାର ପାଣି ସହିତ ଅବର୍ଜନା ପଡ଼ି ରହୁଥିଲେ ମଧ୍ୟ ତାହା ସଫା କରାଯାଉନାହିଁ । ଆଗକୁ ବର୍ଷା ଆସୁଛି ପରିସ୍ଥିତ ଯେ କ’ଣ ହେବ ଏବେ ଠାରୁ ଜଣାପଡ଼ୁଛି । ଏ ନେଇ ପୈାର ପରିଷଦ ନିର୍ବାହୀ ଯନ୍ତ୍ରୀଙ୍କୁ ପଚାରିବାରୁ ଖୁବ ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ସହରରେ ନାରାୟଣୀ ଯାତ୍ରା ଚାଲୁଥିଲେ ମଧ୍ୟ ପୌର ପରିଷଦ ପକ୍ଷରୁ ସଫେଇ କରାଯାଉ ନାହିଁ । ଏଥିରୁ ଅନୁମାନ କରି ହେଉଛି କିପରି ଚାଲିଛି ପ୍ରଶାସନିକ କାର୍ଯ୍ୟକ୍ରମ । ଆଇସିଆଇସିଆଇ ବ୍ୟାଙ୍କ ସାମ୍ନାରେ ଥିବା ଗଳି ଦେଇ ଯିବା ବାଟରେ ଥିବା ବନ୍ଧଟି ଅତ୍ୟନ୍ତ ଦହନୀୟ ଅବସ୍ଥାରେ ରହିଛି । ଫୁଲବାଣୀରେ ପାଣିର ସମସ୍ୟା ସବୁବେଳେ ଲାଗିଥାଏ । ପିଅନପଡ଼ା କାଳି ମନ୍ଦିର ଆଖପାଖ ଲୋକେ ଏହି ବନ୍ଧ ଉପରେ ନିର୍ଭରଶୀଳ । କିନ୍ତୁ ସେହି ବନ୍ଧର ପାଣି ଅତି ଅପରିଷ୍କାର । ବନ୍ଧରେ କୁଢକୁଢ କଳିଆ ଅବର୍ଜନା ଦେଖିବାକୁ ମିଳେ ଯାହା ସ୍ୱାସ୍ଥ୍ୟ ପକ୍ଷେ ହାନିକାରର । ଏହା ଦ୍ୱାରା ମ୍ୟାଲେରିଆ ଓ ଡେଙ୍ଗୁ ଆଦି ଭୟାନକ ରୋଗ ବ୍ୟାପିଥାଏ ।