ସ୍ୱପ୍ନରେ ଡେଣା ଯୋଡ଼ିଛି ସ୍କୁଲ୍ ରୂପାନ୍ତର

ଭୁବନେଶ୍ୱର (ବୁ୍ୟରୋ): ରାଜ୍ୟରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି । ବୁଧବାର ୫ ଜିଲ୍ଲା- ଖୋର୍ଦ୍ଧା, ବୌଦ୍ଧ, ମାଲକାନଗିରି, ସୋନପୁର ଓ ମୟୁରଭଞ୍ଜର ରେକର୍ଡ ୫୩୨ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି ।
ଏହି ଅବସରରେ ପିଲାମାନଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ପ୍ରତ୍ୟେକ ପିଲା ସ୍ୱତନ୍ତ୍ର ଏବଂ ତା’ ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ୱପ୍ନ । ଜୀବନରେ କିଛି ବଡ କରିବାର ସ୍ୱପ୍ନ । ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ୱପ୍ନରେ ଡେଣା ଯୋଡିପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ପିଲାଙ୍କ ପାଇଁ ନୂଆ ସୁଯୋଗ ଆଣିଛି । ପିଲାଙ୍କ ସ୍ୱପ୍ନ ସାକାର ହେଲେ, ନୂଆ ଓଡିଶାର ଲକ୍ଷ୍ୟ ପୂରଣ ହେବ ଓ ନୂଆ ଓଡିଶା ଗଠନର ଭିତ୍ତି ସ୍ଥାପିତ ହେବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲ ଆଜି ଯେଉଁ ନୂଆ ରୂପ ନେଇଛି, ତାହା ପିଲାଙ୍କ ଭିତରେ ଆନନ୍ଦ ଓ ଉତ୍ସାହ ଭରି ଦେଇଛି । ଶିକ୍ଷା ହିଁ ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ । ଜୀବନର ଏ ଗୁରୁତ୍ୱପୂର୍ଣ୍ଣ ସମୟକୁ ଠିକ୍ ଭାବରେ ଉପଯୋଗ କର ଏବଂ ନିଜପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ପିଲାମାନଙ୍କୁ ୫-ଟି ମହତ୍ତ୍ୱ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ୱଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର । ଏ ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମରେ ଉପସ୍ଥିତ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ପଦ୍ମନାଭ ବେହେରା, ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ରମେଶ ମାଝୀ ଓ ବିଧାୟକ ପ୍ରଦୀପ ଅମାତ ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ମୟୁରଭଞ୍ଜରୁ ପୁର୍ଣିମା, ସୋନପୁରରୁ ମୌସୁମୀ, ବୌଦ୍ଧରୁ ରାଜଶ୍ରୀ, ମାଲକାନଗିରିରୁ ହିତାକାଂକ୍ଷୀ ଓ ଖୋର୍ଦ୍ଧାରୁ ପର୍ଶୁରାମ ଆଦି ଛାତ୍ରଛାତ୍ରୀ ସେମାନଙ୍କ ବକ୍ତବ୍ୟରେ ସେମାନଙ୍କ ସ୍କୁଲ ଏବେ ଭୁବନେଶ୍ୱରର ସ୍କୁଲ ଠାରୁ କିଛି କମ୍ ନୁହେଁ ବୋଲି ଆନନ୍ଦ ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଗୋଟିଏ ଦିନରେ ପାଞ୍ଚ ଜିଲ୍ଲାର ରେକର୍ଡ ୫୩୨ ହାଇସ୍କୁଲ ଲୋକାର୍ପିତ ହେଲା । ମୟୁରଭଞ୍ଜରେ ସର୍ବାଧିକ ୩୩୯, ସୋନପୁରରେ ୪୧, ବୌଦ୍ଧ ରେ ୨୪, ମାଲକାନଗିରିରେ ୪୭ ଓ ଖୋର୍ଦ୍ଧାରେ ୮୧ଟି ହାଇସ୍କୁଲ ଲୋକାର୍ପିତ ହେଲା । ଏହା ଜୁନ ୧ଠ ପର୍ଯ୍ୟନ୍ତ ·ଲିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *