ଭାରତର ହୃଦୟ ଭାଙ୍ଗିଲା କୋରିଆ
ଭାରତ-କୋରିଆ ମ୍ୟାଚ୍ ୪-୪ରେ ଡ୍ର’, ଶେଶେ ଗୌଡ଼ା ପ୍ଲେୟାର୍ ଅଫ୍ ଦ ମ୍ୟାଚ୍, ଜାପାନ୍ ସହ କାଂସ୍ୟ ପାଇଁ ଲଢ଼େଇ
ଜାକର୍ତ୍ତା, ୩୧ା୫ (ଏଜେନ୍ସି): ଯୁବ ଭାରତୀୟ ହକି ଟିମ୍ ସୁପର୍-୪ରେ ପ୍ରଭାବଶାଳୀ ପ୍ରଦର୍ଶନ କରିବା ସତ୍ତ୍ୱେ ଏସିଆ କପ୍ ଫାଇନାଲ୍ରେ ପହଞ୍ଚିପାରି ନାହିଁ । ମଙ୍ଗଳବାର ନିଜ ଶେଷ ସୁପର୍-୪ ମ୍ୟାଚ୍ରେ ଭାରତ ପାଇଁ ବିଜୟ ଅପରିହାର୍ଯ୍ୟ ହୋଇଥିବା ବେଳେ ବୀରେନ୍ଦ୍ର ଲାକ୍ରାଙ୍କ ଟିମ୍ ଦକ୍ଷିଣ କୋରିଆ ବିପକ୍ଷ ଲଢ଼େଇକୁ ୪-୪ରେ ଡ୍ର’ ରଖିଥିଲା । ଭାରତର ମହେଶ ଶେଶେ ଗୌଡ଼ା ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ଏହା ପୂର୍ବରୁ ଦିନର ଅନ୍ୟ ଏକ ମ୍ୟାଚ୍ରେ ମାଲେସିଆ ୫-୦ରେ ଜାପାନ୍କୁ ହରାଇଥିଲା । ଏହା ଫଳରେ ଫାଇନାଲ୍କୁ ଯୋଗ୍ୟତା ଅର୍ଜନ ପାଇଁ ଭାରତ ପାଇଁ ବିଜୟ ଅପରିହାର୍ଯ୍ୟ ହୋଇଯାଇଥିଲା । ସୁପର୍-୪ ପର୍ଯ୍ୟାୟରେ ଭାରତ, ମାଲେସିଆ ଓ କୋରିଆ ତିନିଟିଯାକ ଟିମ୍ ୫ ପଏଣ୍ଟ ଲେଖାଏଁ ପାଇଥିଲା । କିନ୍ତୁ ଗୋଲ୍ ବ୍ୟବଧାନରେ ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ପଛରେ ରହିଯାଇଥିଲା । ବୁଧବାର କୋରିଆ ଓ ମାଲେସିଆ ମଧ୍ୟରେ ଫାଇନାଲ୍ ମୁକାବିଲା ହେବ ଏବଂ କାଂସ୍ୟ ପଦକ ପାଇଁ ଭାରତୀୟ ଟିମ୍ ଜାପାନ୍କୁ ଭେଟିବ ।
ଭାରତ ପକ୍ଷରୁ ଓଡ଼ିଶାର ନୀଲମ ସଞ୍ଜୀପ ଖେସ୍ (୯ମ ମିନିଟ୍), ଦୀପସାନ୍ ତିର୍କୀ (୨୧ତମ), ମହେଶ ଶେଶେ ଗୌଡ଼ା (୨୨ତମ) ଓ ଶକ୍ତିଭେଲ ମାରୀସ୍ୱରନ୍ (୩୭ତମ) ଗୋଲ୍ ସ୍କୋର୍ କରିଥିଲେ । ସେହିପରି କୋରିଆ ପକ୍ଷରୁ ଜାଙ୍ଗ୍ ଜୋଙ୍ଗହୁ୍ୟନ୍ (୧୩ତମ) ଜି’ ଉ’ ଚିଅନ୍ (୧୮ତମ), କିମ୍ ଜୁଙ୍ଗ୍ହୁ (୨୮ତମ) ଓ ଜୁଙ୍ଗ୍ ମନଜାଏ (୪୪ତମ) ଗୋଲ୍ ଦେଇଥିଲେ ।
ପ୍ରଥମ କ୍ୱାର୍ଟରରେ ଉଭୟ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ମଧ୍ୟଭାଗରେ ତୀବ୍ର ଲଢ଼େଇ ଦେଖିବାକୁ ମିଳିଥିଲା । ଭାରତ ଦ୍ୱିତୀୟ ମିନିଟ୍ରେହିଁ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା, କିନ୍ତୁ ନୀଲମଙ୍କ ପ୍ରୟାସକୁ କୋରୀୟ ଗୋଲ୍କିପର୍ ଜାଏହାଇଅନ୍ କିମ୍ ଅଟକାଇ ଦେଇଥିଲେ । ତେବେ ନବମ ମିନିଟ୍ରେ ଭାରତକୁ ମିଳିଥିବା ଦ୍ୱିତୀୟ ପିସିରୁ ନୀଲମ୍ ଲୋ ଫ୍ଲିକ୍ରେ ସ୍କୋର୍ କରିଥିଲେ ।
ପ୍ରଥମ କ୍ୱାର୍ଟର ଶେଷ ହେବାକୁ ଦୁଇ ମିନିଟ୍ ବାକି ଥିବା ବେଳେ କୋରିଆ ଏକ ପିସି ପାଇଥିଲା । ଜୋଙ୍ଗହୁ୍ୟନ୍ ଏଥିରୁ ସ୍କୋର୍ କରି ଗୋଲ୍ ପରିଶୋଧ କରିଥିଲେ । ଏହାର ପାଞ୍ଚ ମିନିଟ୍ ପରେ (ଦ୍ୱିତୀୟ କ୍ୱାର୍ଟରରେ) ପବନ ରାଜଭରଙ୍କ ଏକ ରକ୍ଷଣାତ୍ମକ ତ୍ରୁଟି ଯୋଗୁଁ ଚିଅନ୍ ଗୋଲ୍ ଦେଇ କୋରିଆକୁ ୨-୧ରେ ଅଗ୍ରଣୀ କରିଥିଲେ । ଅବଶ୍ୟ ତିନି ମିନିଟ୍ ପରେ ଭାରତ ମୁକାବିଲାକୁ ସମାନ ସ୍ଥିତିକୁ ଆଣିଥିଲା । ଦୀପସାନ ଟିମ୍ର ତୃତୀୟ ପିସିକୁ ଗୋଲ୍ରେ ପରିଣତ କରିଥିଲେ । ଏହାର ପର ମିନିଟ୍ରେ ବିଷ୍ଣୁକାନ୍ତ ସିଂହଙ୍କ ପାସ୍ ପାଇ ମହେଶ ଭାରତକୁ ୩-୨ରେ ଅଗ୍ରଣୀ କରିଥିଲେ ।
କୋରିଆ ଏହାପରେ ଆଉ ଏକ ପିସି ପାଇଥିଲେହେଁ ଏଥର ଭାରତୀୟ ଜୋଙ୍ଗହୁ୍ୟନ୍ଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ । ମଧ୍ୟାନ୍ତରକୁ ଦୁଇ ମିନିଟ୍ ବାକି ଥିବା ବେଳେ କିମ୍ ଏକ ସୁନ୍ଦର ଫିଲ୍ଡ ଗୋଲ୍ ଜରିଆରେ ସ୍କୋର୍କୁ ବରାବର ସ୍ଥିତିକୁ ଆଣିଥିଲେ ।
ଦ୍ୱିତୀୟାର୍ଦ୍ଧର ସପ୍ତମ ମିନିଟ୍ରେ ଭାରତ ଶକ୍ତିଭେଲଙ୍କ ଗୋଲ୍ ବଳରେ ଭାରତ ପୁଣି ଅଗ୍ରଣୀ ହାସଲ କରିଥିଲା । ୪୨ତମ ମିନିଟ୍ରେ ଉତ୍ତମ ସିଂହ ଏକ ସୁଯୋଗ ହାତଛଡ଼ା କରିଥିଲେ । ଅନ୍ୟପଟେ, ଯଶଦୀପ ସିବାଚଙ୍କୁ ୟେଲୋ କାର୍ଡ (ପାଞ୍ଚ ମିନିଟ୍ରେ ନିଲମ୍ବନ) ମିଳିଥିଲା । ଏହି ମଉକାରେ କୋରିଆ ବରାବର ଗୋଲ୍ ଦେଇଥିଲା । ଜୁଙ୍ଗ୍ ଏହି ସ୍କୋର୍ କରିଥିଲେ ।
ଫାଇନାଲ୍ ହୁଟର୍କୁ ମାତ୍ର ୨୭ ସେକେଣ୍ଡ ବାକି ଥିବା ବେଳେ କାର୍ତ୍ତି ସେଲ୍ଭମ୍ ଗୋଲ୍ର ନିକଟତର ହୋଇଥିଲେହେଁ କୋରୀୟ ଗୋଲ୍କିପର୍ ଭାରତକୁ ବିଜୟ ସୁଯୋଗରୁ ବଞ୍ଚିତ କରିଥିଲେ ।