ଜିଲ୍ଲାପାଳ ଅଫିସ୍ ଆଗରେ ବାମପନ୍ଥୀ ସଂଗଠନର ବିକ୍ଷୋଭ
ଦରଦାମ୍ ବୃଦ୍ଧିକୁ ବିରୋଧ
ଭଦ୍ରକ (ଆପ୍ର): ଭଦ୍ରକରେ ମିଳିତ ବାମପନ୍ଥୀ ସଂଗଠନ ପକ୍ଷରୁ ମଙ୍ଗଳବାର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧି ବିରୋଧରେ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦରଦାମ ବୃଦ୍ଧି ସହିତ ବେକାରୀ ଭୟଙ୍କର ଭାବେ ବୃଦ୍ଧି ପାଇବା ଯୋଗୁ ଲୋକଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇଛି । ଗତ ଏକ ବର୍ଷ ମଧ୍ୟରେ ପେଟ୍ରୋଲିୟମଜାତ ସାମଗ୍ରୀର ଦାମ ୭୦ ଭାଗ, ପନିପରିବା ଶତକଡ଼ା ୨୦ ଭାଗ, ଖାଇବା ତେଲ ଶତକଡ଼ା ୨୩ ଭାଗ ଓ ଡାଲି ଦର ଶତକଡ଼ା ୧୮ ଭାଗ ବୃଦ୍ଧି ପାଇଛି । ପରିବାରର ଅନ୍ୟତମ ମୁଖ୍ୟ ଖାଦ୍ୟ ଗହମର ଦାମ ୧୪ ଭାଗ ବୃଦ୍ଧି ଯୋଗୁଁ ସାଧାରଣ ଲୋକେ କିଣିବା ଅସମ୍ଭବ ହୋଇ ପଡ଼ିଛି । ସରକାରଙ୍କ ପକ୍ଷରୁ ଗତବର୍ଷ ତୁଳନାରେ ଅଦେ୍ର୍ଧକ ପରିମାଣ ଗହମ ସଂଗୃହିତ ହୋଇଛି ।
ଗତବର୍ଷ ୪୪.୪ ମେଟ୍ରିକ ଟନ ଗହମ କେନ୍ଦ୍ର ସରକାର ସଂଗ୍ରହ କରିଥିବାବେଳେ, ଚଳିତ ବର୍ଷ ଏହା ୨୦ ମେଟ୍ରିକ ଟନ ପାଖାପାଖି ହେବ । ଓଡିଶାରେ ଖରିଫରେ ଅମଳ କରିଥିବା ଧାନ ପ୍ରାୟ ୪ଲକ୍ଷ ଚାଷୀ ସରକାରୀ ମଣ୍ଡିରେ ଟୋକନ ପାଇଥିଲେ ସୁଦ୍ଧା ବିକ୍ରି କରି ପାରି ନାହାନ୍ତି । ଫଳରେ ଚାଷୀମାନେ କୁ୍ୟଣ୍ଟାଲ ପ୍ରତି ହଜାରେ ୧୨ଶହ ଟଙ୍କାରେ ଧାନ ବିକ୍ରି କରି ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ଧାରାବାହିକ ଭାବେ ପେଟ୍ରୋଲଜାତ ସାମଗ୍ରୀ ରନ୍ଧନ ଗ୍ୟାସ ସିଲିଣ୍ଟର, ଗହମର ଉତ୍କଟ ଅଭାବ ଯୋଗୁଁ ଦେଶରେ ସାମଗ୍ରୀକ ଭାେବେ ମୁଦ୍ରାସ୍ପିତି ବଢ଼ିଛି । ଏତକିବେଳେ ବିଜୁଳି ଦର ବୃଦ୍ଧି, ଘନଘନ ବିଦୁ୍ୟତ୍ କାଟ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ । ଏହିପରି ବିଭିନ୍ନ ଜନମାରଣ ନୀତି ବିରୋଧରେ ମଙ୍ଗଳବାର ସର୍ବଭାରତୀୟ ମିଳିତ ବାମପନ୍ଥୀ ଦଳଙ୍କ ଆହ୍ୱାନରେ ଏହି ବିକ୍ଷୋଭ ଭଦ୍ରକରେ ଅନୁଷ୍ଠିତ ହୋଇଛି ।
ଏଥିରେ ସିପିଆଇ, ସିପିଆଇ ଏମ୍, ସିପିଆଇ(ଏମଏଲ୍) ଲିବରେସନ ପକ୍ଷରୁ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିବା ବେଳେ, ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ ସଭାପତିତ୍ୱ କରିଥିଲେ । ସିପିଆଇର ରାଜ୍ୟ ନେତା ସଦାନନ୍ଦ ସାହୁ ଓ ସିପିଆଇ ଏମ୍ର ରାଜ୍ୟ ନେତା ସନ୍ତୋଷ ଦାସ, ଶୁଭେନ୍ଦ୍ର ପ୍ରତାପ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।