ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ସମୀକ୍ଷା କଲେ ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଛତ୍ରପୁର/ଗଞ୍ଜାମ (ଆପ୍ର): ଋଷିକୂୂଲ୍ୟାରୁ ଗଞ୍ଜାମ ବ୍ଲକ୍ ଓ ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ୍କୁ ବସୁଧା ଯୋଜନାରେ ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ପରିକଳ୍ପନା କରାଯାଇଛି । ଏହା ମୁଖ୍ୟମନ୍ତ୍ରୀଙ୍କ ଡି୍ରମ୍ ପ୍ରଜେକ୍ଟ ହୋଇଥିବା ବୁଧବାର ସନ୍ଧ୍ୟାରେ ଛତ୍ରପୁରସ୍ଥିତ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଅଗ୍ରଗତିର ସମୀକ୍ଷାକରି କହିଛନ୍ତି । ଏହା ପୂର୍ବରୁ ସେ ପ୍ରକଳ୍ପସ୍ଥଳକୁ ଯାଇ ଅନୁଧ୍ୟାନ କରିଥିଲେ ।
ପ୍ରକଳ୍ପ କାର୍ଯ୍ୟ ସରିବାରେ ବିଳମ୍ବ ହେଉଥିବାରୁ କାମ କରୁଥିବା ଠିକା ସଂସ୍ଥା କର୍ମକର୍ତ୍ତାଙ୍କ ସହିତ ଉଚ୍ଚସ୍ତରୀୟ ବୈଠକରେ ମିଳିତ ହୋଇଥିଲେ । ପ୍ରକଳ୍ପ କିପରି ଶେଷ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀ ଦାସବର୍ମା କହିଥିଲେ । ଉକ୍ତ ପ୍ରକଳ୍ପ ନିମିତ୍ତ ୨୦୩.୪୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ପ୍ରକଳ୍ପ କାମ ୨୦୧୮ ଅଗଷ୍ଟ ୨୮ ରେ ଆରମ୍ଭ କରାଯାଇ ୨୦୨୦ ଅଗଷ୍ଟ ୨୬ରେ ଶେଷ କରିବାକୁ ଲକ୍ଷ୍ୟ ଥିଲା । କିନ୍ତୁ ବିଳମ୍ବ ହେବାରୁ ଆସନ୍ତା ଅଗଷ୍ଟ ମଧ୍ୟରେ କାମ ଶେଷ କରିବାକୁ କୁହାଯାଇଛି । ଗଞ୍ଜାମ ବ୍ଲକ୍ର ୭ ପଞ୍ଚାୟତ ଅନ୍ତର୍ଗତ ୫୫ଟି ଗାଁ ଓ କୃଷ୍ଣପ୍ରସାଦର ୧୪ ପଞ୍ଚାୟତରେ ୯୨ଟି ଗାଁକୁ ଗଞ୍ଜାମ ଜିଲ୍ଲା ବରଦା ନିକଟ ଋଷିକୂଲ୍ୟାରୁ ଏହି ମେଗା ପ୍ରକଳ୍ପକୁ ପାଣି ମିଳିବା ନିମିତ୍ତ ଯୋଜନା ହୋଇଛି । ଏହାର ଇନ୍ଟେକ୍ ୱେଲ ଓ ୱାଟର୍ ଟ୍ରିଟ୍ମେଣ୍ଟ ପ୍ଲାଣ୍ଟ ନିର୍ମାଣ ସରିଛି । ଜାତୀୟ ରାଜପଥ ଓ ରେଳପଥ ଦେଇ ପାଇପ୍ ଯିବ ଓ ଏ ନେଇ ସମସ୍ୟା ରହିଛି । ସମସ୍ୟା ସଂପର୍କରେ ବିଭାଗ ପକ୍ଷରୁ ବ୍ରହ୍ମପୁର ସାଂସଦଙ୍କୁ ଲିଖିତ ଭାବେ ଦିଆଗଲେ ସେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା କରି ସମାଧାନ କରିବେ ବୋଲି ନିଷ୍ପତ୍ତି ହୋଇଛି ।
ବିଭାଗୀୟ ଅଧିକାରୀ ଓ ଠିକା ସଂସ୍ଥା ମଧ୍ୟରେ ସମନ୍ୱୟ ଅଭାବ ଥିବାରୁ ଭୁବନେଶ୍ୱରରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଉଚ୍ଚସ୍ତରୀୟ ବୈଠକକରି ପ୍ରକଳ୍ପର ଅଗ୍ରଗତି ଉପରେ ଆଲୋଚନା କରାଯିବ ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ହାଡ଼ିବନ୍ଧୁ ବେହେରା, ମୁଖ୍ୟଯନ୍ତ୍ରୀ ସର୍ବେଶ୍ୱର ବାରିକଙ୍କ ସମେତ ବିଭାଗର ଯନ୍ତ୍ରୀଗଣ, ପୁରୀ ଓ ବ୍ରହ୍ମପୁରର ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଯନ୍ତ୍ରୀ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।
ସେହିପରି ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ମଲାଡ଼ ଗ୍ରାମରେ ବସୁଧା ମେଗା ପାନୀୟ ଜଳ ପ୍ରକଳ୍ପ ପରିଦର୍ଶନ କରିଛନ୍ତି ଶ୍ରୀ ଦାସବର୍ମା । ଋଷିକୁଲ୍ୟା ନଦୀର କଂସାରୀ ଗଣ୍ଡର ପାଣି ସେଠାରେ କିପରି ବିଶୋଧନ ହେଉଛି ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ସେ ସମ୍ପର୍କରେ ଆଲୋଚନା କରିଥିଲେ । ରେଳ ଲାଇନ ତଳେ ପାନୀୟ ଜଳ ପାଇପ ବିଛାଯିବା ନେଇ ସେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସହ ଆଲୋଚନା କରିଥିଲେ । ବିଭାଗୀୟ ମନ୍ତ୍ରୀଙ୍କ ସହ ଏ ସଂପର୍କରେ ଆଲୋଚନା କରି ସମସ୍ୟାର ସମାଧାନ ନିମନ୍ତେ ସେ ବିଚାର ବିମର୍ଶ କରିଥିଲେ । ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଆଡିସନାଲ ଚିଫ୍ ଇଞ୍ଜିନିୟର (ବ୍ରହ୍ମପୁର) ସୁରେଶ ଚନ୍ଦ୍ର ମହନ୍ତ, ଆଡିସନାଲ୍ ଚିଫ୍ ଇଞ୍ଜିନିୟର (ଭୁବନେଶ୍ୱର) ଏସ୍ବି ମହାପାତ୍ର, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରତାପ ଚନ୍ଦ୍ର ମହାପାତ୍ର ପ୍ରମୁଖ ଶ୍ରୀ ଦାସବର୍ମାଙ୍କ ସହ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ବ୍ଲକ୍ ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସୁରଥ ପାହାନ, ରଘୁନାଥ ପାତ୍ର, ସରପଞ୍ଚ ରବୀନ୍ଦ୍ର ନାଥ ବେହେରା, ପୂର୍ବତନ ବ୍ଲକ୍ ବିଜେଡି ସଭାପତି ବନବାସୀ ଖୁଣ୍ଟିଆ, ପୂର୍ବତନ ସମିତିସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଞ୍ଚ ପ୍ରଭାତ ସେଠୀ, ଶିବ ପ୍ରସାଦ ସ୍ୱାଇଁ, ଟୁନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *