ଓଡ଼ିଶା ସରକାରଙ୍କୁ କେନ୍ଦ୍ରର ପ୍ରଶଂସା

ବୃହତ୍ ନିବେଶ ଓ ଭିତ୍ତିଭୂମି ପ୍ରକଳ୍ପରେ ଅଗ୍ରଗତି
ଭୁବନେଶ୍ୱର,୧ା୬(ବୁ୍ୟରୋ): ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବଡ଼ ବଡ଼ ଭିତ୍ତିଭୂମି ଉନ୍ନୟନ ଏବଂ ପୁଞ୍ଜିନିବେଶ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ପୁଞ୍ଜିନିବେଶ ପ୍ରକଳ୍ପ ତଦାରଖ ଗ୍ରୁପ୍ (ସିସିଆଇପିଏମ୍ଜି) ବୈଠକର ଆଲୋଚନାରୁ ଏହା ଜଣାପଡିଛି ।
ଲୋକସେବା ଭବନରୁ ଡିଜିଟାଲ୍ ମୋଡ୍ରେ ଅନୁଷ୍ଠିତ ଏହି ମିଳିତ ସମୀକ୍ଷା ବୈଠକରେ ଶିଳ୍ପ ଓ ଆନ୍ତଃ-ବାଣିଜ୍ୟ ବିକାଶ (ଡିପିଆଇଆଇଟି) ବିଭାଗ ସ୍ୱତନ୍ତ୍ର ସଚିବ ଅମ୍ରିତ ଲାଲ ମୀନା, ବିଭାଗୀୟ ନିଦେ୍ର୍ଦଶକ ଅରବିନ୍ଦ ପାଣ୍ଡେଙ୍କ ସମେତ କେନ୍ଦ୍ରୀୟ ପ୍ରକଳ୍ପ ତଦାରଖ କମିଟିର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ ।
ପ୍ରକଳ୍ପ ନିର୍ମାଣକାରୀ ସଂସ୍ଥାମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା କ୍ଷେତ୍ରସ୍ତରୀୟ ସମସ୍ୟାଗୁଡିକର ବିଭିନ୍ନ ଦିଗକୁ ବିଚାର କରି ସେସବୁର ଆଶୁ ସମାଧାନ ନିମନ୍ତେ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ସମାଧାନ ପନ୍ଥା ନିର୍ଣ୍ଣୟ କରିଥିଲେ । ଏହିସବୁ ସମାଧାନ ସହ ପ୍ରକଳ୍ପଗୁଡିକର ବିଭିନ୍ନ ପର୍ଯ୍ୟାୟ କାର୍ଯ୍ୟାନ୍ୱୟନ ପାଇଁ ମଧ୍ୟ ଶ୍ରୀ ମହାପାତ୍ର ସମୟ- ସାରଣୀ ନିର୍ଦ୍ଧାରଣ କରିଥିଲେ । ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟସାରଣୀକୁ ସମୟାନୁବନ୍ଧିତ ଭାବେ କ୍ଷେତ୍ରାନ୍ୱ୍ୱୟନ କରିବାକୁ ଶ୍ରୀ ମହାପାତ୍ର ସଂପୃକ୍ତ ସଂସ୍ଥା, ସରକାରୀ ବିଭାଗ ଓ ଜିଲ୍ଲା ପ୍ରଶାସନଙ୍କୁ ନିଦେ୍ର୍ଦଶ ଦେଇଥିଲେ ।
କେନ୍ଦ୍ରୀୟ ସ୍ୱତନ୍ତ୍ର ସଚିବ ଶ୍ରୀ ମୀନା ପ୍ରକଳ୍ପ ଗୁଡ଼ିକର ତ୍ୱରାନ୍ୱ୍ୱିତ କାର୍ଯ୍ୟାନ୍ୱୟନ ଏବଂ କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ଦିଗରେ ରାଜ୍ୟ ସରକାରଙ୍କ ସମୟୋଚିତ ପ୍ରଚେଷ୍ଟାର ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ସିସିଆଇ ପ୍ରକଳ୍ପ ତଦାରଖ ଗ୍ରୁପ୍ ପୋର୍ଟାଲରେ ଥିବା ଓଡ଼ିଶାର ୧୬୫ଟି ବୃହତ୍ ପୁଞ୍ଜିନିବେଶ ପ୍ରକଳ୍ପ ମଧ୍ୟରୁ ପ୍ରାୟ ଶତକଡ଼ା ୮୦ ଭାଗ ପ୍ରକଳ୍ପ ବିଶେଷ ଅଗ୍ରଗତି କରିଛି । ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁ ଏହିସବୁ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ନିମନ୍ତେ କ୍ଷେତ୍ରସ୍ତରୀୟ ସମସ୍ୟାର ସମାଧାନ ହୋଇପାରିଛି । ଅବଶିଷ୍ଟ ଶତକଡ଼ା ୨୦ ଭାଗ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ବେଳେ ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ ପନ୍ଥା ମଧ୍ୟ ତ୍ୱରାନ୍ୱିତ ଭାବେ ରାଜ୍ୟ ଓ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ନିର୍ଣ୍ଣୟ କରାଯାଇଛି । ଏପରି ସକ୍ରିୟ ସହଭାଗିତା ପାଇଁ ଶ୍ରୀ ମୀନା ରାଜ୍ୟ ସରକାର ଓ ପ୍ରଶାସନଙ୍କୁ ଧନ୍ୟବାଦ ଦେଇଥିଲେ ।
ବୈଠକରେ ୩୩ଟି ବୃହତ ପୁଞ୍ଜିନିବେଶ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଏ ସବୁ ଦ୍ୱାରା ରେଳବାଇ, ଜାତୀୟ ରାଜପଥ, ତୈଳ ଓ ଗ୍ୟାସ୍, ଖଣି, ସିମେଣ୍ଟ ଉତ୍ପାଦନ ଓ ଟେଲି-ଯୋଗାଯୋଗ ଆଦି କ୍ଷେତ୍ରରେ ପ୍ରାୟ ୧,୨୬,୨୮୯ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପ ଉନ୍ନୟନ ସଂସ୍ଥାମାନଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ସମୁଦାୟ ୮୨ ଟି ସମସ୍ୟାର ସମାଧାନ ପନ୍ଥା ନିର୍ଣ୍ଣୟ କରାଯାଇଥିଲା । ରେଳବାଇ କ୍ଷେତ୍ରରେ ବାଂଶପାଣି-ଜଖପୁରା ରେଳ ଲାଇନ୍ ଦୋହରୀକରଣ, ରାଉରକେଲା-ଝାରସୁଗୁଡ଼ା ରେଳ ଟ୍ରାକ୍ର ୩ୟ ଲାଇନ୍, ଭଦ୍ରକ-ନେର୍ଗୁଣ୍ଡି ଟ୍ରାକ୍ର ୩ୟ ଲାଇନ୍, ହାତିଆ-ବଣ୍ଡମୁଣ୍ଡା ରେଳ ଲାଇନ୍ର ଦୋହରୀକରଣ, ବୁଢ଼ାପଙ୍କ-ଶାଳଗାଁ ରେଳ ଟ୍ରାକ୍ର ୩ୟ ଏବଂ ୪ର୍ଥ ଲାଇନ୍, ବିଜୟନଗରମ୍-ଟିଟିଲାଗଡ଼ ଟ୍ରାକ୍ର ୩ୟ ଲାଇନ୍, ସମ୍ବଲପୁର-ତାଳଚେର ଲାଇନ୍ ଦୋହରୀକରଣ, ଖୋର୍ଦ୍ଧା-ବଲାଙ୍ଗିର ବ୍ରୋଡ୍ ଗଜ୍ ଲାଇନ୍, ତାଳଚେର-ବିମଲାଗଡ଼ ନୂଆ ଲାଇନ୍, ଅନୁଗୁଳ-ସୁକିନ୍ଦା ନୂଆ ରେଳ ଲାଇନ୍, ଜାରପଡା-ବୁଢ଼ାପଙ୍କ ଲାଇନ୍ ପାଇଁ ତାଳଚେରଠାରେ ଫ୍ଲାଏ ଓଭର, ବଣ୍ଡମୁଣ୍ଡା-ରାଉରକେଲା ୪ର୍ଥ ଲାଇନ୍ ଝାରସୁଗୁଡ଼ା-ବିଳାଶପୁର ରେଳ ଟ୍ରାକ୍ର ୪ର୍ଥ ଲାଇନ୍ ଏବଂ ସମ୍ବଲପୁର-ଟିଟିଲାଗଡ଼ ରେଳ ଟ୍ରାକ୍ ଦୋହରୀକରଣ ଆଦି ପ୍ରକଳ୍ପର ସମୀକ୍ଷାରେ ସ୍ଥାନ ପାଇଥିଲା ।
ସେହିପରି ପାରାଦ୍ୱୀପ-ହାଇଦ୍ରାବାଦ ଉତ୍ପାଦ ପରିବହନ ପାଇପ୍ ଲାଇନ୍, ଏମ୍.ସି. ଏଲ୍ ୩ଟି କୋଇଲା ଖଣି ପ୍ରକଳ୍ପ, ନାଲ୍କୋର ୨ଟି କୋଇଲା ଖଣି ପ୍ରକଳ୍ପ ଆଦିର ଅଗ୍ରଗତି ସମୀକ୍ଷା ହୋଇଥିଲା । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର ୭ଟି ରାଜପଥ ଉନ୍ନୟନ ପ୍ରକଳ୍ପ, ନାଲକୋର ୫ମ ଷ୍ଟ୍ରିମ୍ ରାଇଫାଇନାରୀ ସଂପ୍ରସାରଣ ପ୍ରକଳ୍ପ, ପଟ୍ଟାଙ୍ଗି ବକ୍ସାଇଟ୍ ଖଣି ବିକାଶ, କୋଡାମେଟ୍ଟା ଚୁନପଥର ବ୍ଲକ୍, ଡ଼ାଲମିଆ ସିମେଣ୍ଟ୍, ଆନନ୍ଦପୁର ସମନ୍ୱ୍ୱିତ ବ୍ୟାରେଜ୍ ଏବଂ ଭାରତ ନେଟ୍ ଆଦି ପ୍ରକଳ୍ପର ଅଗ୍ରଗତି କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ କରାଯାଇ ତ୍ୱରିତ କାର୍ଯ୍ୟାନ୍ୱୟନ ନିମନ୍ତେ ନିଦେ୍ର୍ଦଶ ଦିଆଯାଇଥିଲା । ଏହି ସବୁ ପ୍ରକଳ୍ପ ନିମନ୍ତେ ଜଙ୍ଗଲ ଜମି ଅନୁମତି, କ୍ଷତିପୁରଣ ଆବଣ୍ଟନ, ସତ୍ତ୍ୱାଧିକାର ପ୍ରମାଣପତ୍ର, ସରକାରୀ ଜମିରେ କାର୍ଯ୍ୟ ପାଇଁ ଆଗୁଆ ଅନୁମତି, କ୍ଷତିପୂରକ ବନୀକରଣ, ବିଦୁ୍ୟତ୍ ଏବଂ ଫୋନ୍ ସଂଚାର ଲାଇନ୍ର ସ୍ଥାନାନ୍ତରୀକରଣ, ପରିବେଶ ଅନୁମତି, ଜମି ହସ୍ତାନ୍ତରକରଣ ଆଦି ପ୍ରାୟ ୮୨ ଟି ବିଭିନ୍ନ ସମସ୍ୟାର ଅନୁଶୀଳନ ହୋଇ ଆଶୁ ସମାଧାନ ପନ୍ଥାମାନ ନିର୍ଦ୍ଧାରଣ କରାଯାଇଥିଲା । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାମାନେ ସିଧାସଳଖ ନିଜ ନିଜର ସମସ୍ୟା ଓ ଅଗ୍ରଗତି ବିଷୟ ବୈଠକରେ ଜଣାଇଥିଲେ । ସଂପୃକ୍ତ ଜିଲ୍ଲାମାନଙ୍କରୁ ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ କ୍ଷେତ୍ରସ୍ତରୀୟ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରକଳ୍ପ ଗୁଡିକର କ୍ଷେତ୍ରସ୍ତରୀୟ ଅଗ୍ରଗତି ସମ୍ବନ୍ଧୀୟ ସଦ୍ୟତନ ସ୍ଥିତି ପୋର୍ଟାଲରେ ନିୟମିତ ଅପ୍ଲୋଡ୍ କରିବା ନିମନ୍ତେ ସଂପୃକ୍ତ କାର୍ଯ୍ୟାନ୍ୱୟନ ସଂସ୍ଥାମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା ।
ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡଃ ମୋନା ଶର୍ମା, ରଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ କୁମାର ଶର୍ମା, ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *