ଏସିଆ କପ୍ରେ ଭାରତକୁ କାଂସ୍ୟ
ଜାକର୍ତ୍ତା, ୧ା୬ (ଏଜେନ୍ସି): ଯୁବ ଭାରତୀୟ ପୁରୁଷ ହକି ଟିମ୍ ବୁଧବାର ଆତ୍ମବିଶ୍ୱାସଭରା ପ୍ରଦର୍ଶନ ବଳରେ ଜାପାନକୁ ୧-୦ରେ ହରାଇ ଏସିଆ କପ୍ରେ କାଂସ୍ୟ ପଦକ ହାସଲ କରିଛି । ଅଧିନାୟକ ବୀରେନ୍ଦ୍ର ଲାକ୍ରା ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ମଙ୍ଗଳବାର ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚ୍କୁ ୪-୪ରେ ଡ୍ର’ ରଖିବା ଯୋଗୁଁ ଗୋଲ୍ ବ୍ୟବଧାନ ଦୃଷ୍ଟିରୁ ଭାରତ ମୁକୁଟ ପର୍ଯ୍ୟାୟରେ ପହଞ୍ଚି ପାରି ନ ଥିଲା । ରାଜ କୁମାର ପାଲ୍ (ସପ୍ତମ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ ବଳରେ ଭାରତ କାଂସ୍ୟ ପଦକ ମ୍ୟାଚ୍ ଜିତିଥିଲା ।
ଭାରତ ଦୃଢ଼ତାର ସହ ମ୍ୟାଚ୍ ଆରମ୍ଭ କରି ପ୍ରଥମ ପାଞ୍ଚ ମିନିଟ୍ରେ ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା, ହେଲେ ଗୋଲ୍ କରି ପାରି ନ ଥିଲା । ତେବେ ସପ୍ତମ ମିନିଟ୍ରେ ଭାରତ ଡେଡ୍ଲକ୍ ଭାଙ୍ଗିଥିଲା । ଉତ୍ତମ କୁମାରଙ୍କ ଠାରୁ ସହାୟତା ପାଇ ରାଜକୁମାର ଜାପାନୀ ଗୋଲ୍କିପର୍ ତାକାଶୀ ୟୋଶିକାୱାଙ୍କୁ ଚକମା ଦେଇ ସ୍କୋର୍ କରିଥିଲେ ।
ଏହାର ତିନି ମିନିଟ୍ ପରେ ଭାରତକୁ କ୍ରମାଗତ ଦୁଇଟି ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଦୁଇଟିଯାକ ନିଷ୍ଫଳ ହୋଇଥିଲା । ପ୍ରଥମ କ୍ୱାର୍ଟରର ଶେଷ ପାଞ୍ଚ ମିନିଟ୍ରେ ଜାପାନ ଗୋଲ୍ ପରିଶୋଧ ପାଇଁ ଆପ୍ରାଣ ପ୍ରୟାସ କରିଥିଲେହେଁ ଭାରତୀୟ ରକ୍ଷଣପନ୍ଥୀ ସେମାନଙ୍କୁ ଏଥିରୁ ବଞ୍ଚିତ କରିଥିଲା । ଉଭୟ ଜାପାନ ଓ ଭାରତ ପାଖରେ ଦ୍ୱିତୀୟ କ୍ୱାର୍ଟରରେ କେତେକ ସୁଯୋଗ ଥିଲା, ତେବେ ତାହା କାମରେ ଆସି ନ ଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ଜାପାନ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଲଗାତାର ଦୁଇଟି ପିସି ପାଇଥିଲେ ମଧ୍ୟ କୌଣସିଟିକୁ ଗୋଲ୍ରେ ପରିଣତ କରିପାରି ନ ଥିଲା । ଇତ୍ୟବସରେ ଭାରତ ପାଖରେ ଅଗ୍ରଣୀ ବଢ଼ାଇବା ପାଇଁ ସୁବର୍ଣ୍ଣ ସୁଯୋଗ ଥିଲା । କିନ୍ତୁ ଏସ୍ଭି ସୁନୀଲଙ୍କ ପାସ୍ରେ ରାଜକୁମାରଙ୍କ ସଟ୍ ଲକ୍ଷ୍ୟଚୁ୍ୟତ ହୋଇଥିଲା । ବରାବର ଗୋଲ୍ ସନ୍ଧାନରେ ଥିବା ଜାପାନ ଟିମ୍ ଶେଷ ଦୁଇ କ୍ୱାର୍ଟରରେ ଭାରତୀୟ ରକ୍ଷଣପନ୍ଥୀ ଉପରେ ଅବିରାମ ଚାପ ପକାଇଥିଲା । କିନ୍ତୁ ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କ ଟିମ୍ ପ୍ରାଚୀର ଭଳି ଛିଡ଼ା ହୋଇ ପ୍ରତିପକ୍ଷକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲା ।
୪୮ତମ ମିନିଟ୍ରେ ଜାପାନ କ୍ରମାଗତ ତିନିଟି ପିସି ପାଇଥିଲା, କିନ୍ତୁ ଭାରତୀୟ ବ୍ୟାକ୍ଲାଇନ୍କୁ ଅତିକ୍ରମ କରିପାରି ନ ଥିଲା । ଏହାର ତିନି ମିନିଟ୍ ପରେ ଜାପାନ ଆଉ ଏକ ପିସି ପାଇଥିଲେ ବି ତାହା ନିଷ୍ଫଳ ହୋଇଥିଲା । ଶେଷ ଯାଏଁ ଜାପାନ ଯେତେ ପ୍ରୟାସ କରିଥିଲେ ବି ଗୋଲ୍ ପରିଶୋଧ କରିପାରି ନ ଥିଲା ଏବଂ ଭାରତ ଏକମାତ୍ର ଗୋଲ୍ରେ ମ୍ୟାଚ୍ ଜିତିଥିଲା ।