ବର୍ଷତମାମ ପୁରୀବାସୀଙ୍କୁ ୨୪ ଘଣ୍ଟା ବିଶୁଦ୍ଧ ଜଳ
ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ
ପୁରୀ (ବୁ୍ୟରୋ): ଜୁଲାଇ ୧ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଦୀର୍ଘ ୨ବର୍ଷ ପରେ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବାକୁ ଥିବାବେଳେ ଚଳିତବର୍ଷ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ସେଥିଲାଗି ମଧ୍ୟ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋର୍ଦାର ଜାରି ରହିଛି । ତେଣୁ ଚଳିତବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ଅତ୍ୟନ୍ତ ଶୃଙ୍ଖଳିତ କରିବା ଲାଗି ବୁଧବାର ସ୍ଥାନୀୟ ପୌରସଦନ ଠାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଦ୍ୱିତୀୟ ସମ୍ବନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରଥ ନିର୍ମାଣ ଠାରୁ ଆରମ୍ଭ କରି ରାସ୍ତାଘାଟ ମରାମତି, ବିଦୁ୍ୟତ୍ ଯୋଗାଣ, ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟସେବା, ଖାଦ୍ୟ ଓ ଜଳଯୋଗାଣ ଆଦି ପ୍ରସଙ୍ଗରେ ବ୍ୟାପକ ଭାବେ ଆଲୋଚନା କରାଯାଇଥିଲା । ମାତ୍ର ସହରର ପରିମଳ, ରାସ୍ତାଘାଟ, ବିଦୁ୍ୟତ୍ ସମସ୍ୟା ଓ ପାନୀୟ ଜଳ ସମସ୍ୟାକୁ ନେଇ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ଏପରିକି ବଡ଼ଦାଣ୍ଡ ସମେତ ସହରର ବିଭିନ୍ନ ଅଞ୍ଚଳରେ ଭକ୍ତଙ୍କ ଗହଳି ଲାଗି ରହିଥିବାରୁ ପାନୀୟ ସମସ୍ୟା ବଡ଼ ବାଧକ ହେବ ବୋଲି ଅଭିଯୋଗ ହୋଇଥିଲା । ଏପରିକି ସହରକୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଥିବା ନେଇ ଅଧିକାରୀମାନେ ଦାବି କରିଥିଲେ । କିନ୍ତୁ ସହରକୁ ୨୪ ଘଣ୍ଟା ପାଣି ଆସୁ ନ ଥିବା ନେଇ ବୈଠକରେ ହୋ-ହଲ୍ଲା ହୋଇଥିଲା ।
ଶେଷରେ ଉକ୍ତ ଘଟଣାରେ ଖୋଦ୍ ମନ୍ତ୍ରୀ ଶ୍ରୀ ଜେନା ହସ୍ତକ୍ଷେପ କରି ସହରକୁ କ’ଣ ପାଇଁ ୨୪ ଘଣ୍ଟିଆ ପାନୀୟଜଳ ମିଳୁ ନାହିଁ ବୋଲି ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ରଥଯାତ୍ରା ଲାଗି ନୁହେଁ ବର୍ଷତମାମ ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଘରକୁ ଯୋଗାଇବା ଲାଗି ବ୍ୟବସ୍ଥା ହୋଇଛି । ହେଲେ ଏହି ତ୍ରୁଟିକୁ ଶୀଘ୍ର ସମାଧାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବିଭାଗକୁ ନେଇ ଉଦ୍ବେଗ ପ୍ରକାଶ ପାଇଥିଲା । ଜିଲ୍ଲାରେ ମୋଟ ୩୦୫ ଡାକ୍ତର ପଦବୀ ଆବଶ୍ୟକ ଥିବାବେଳେ ଏଥିରୁ ୭୦ଟି ପଦବୀ ଖାଲି ପଡ଼ିଛି । ତେଣୁ ତାହାକୁ ତୁରନ୍ତ ପୂରଣ ଲାଗି ସରକାର ପଦକ୍ଷେପ ଗ୍ରହଣ କରୁଥିବା କହିଥିଲେ ସିଡିଏମ୍ଓ । ଅନ୍ୟପକ୍ଷରେ ସ୍ନାନଯାତ୍ରା ଠାରୁ ଆରମ୍ଭ କରି ସୁନାବେଶ ପର୍ଯ୍ୟନ୍ତ ଯେଭଳି ଭାବରେ ଶ୍ରଦ୍ଧାଳୁଙ୍କ ଠାରୁ ବସଭଡ଼ା ଅଧିକ ନେବେ ନାହିଁ ସେ ନେଇ ବସ୍ରେ ଭଡ଼ାର ଧାର୍ଯ୍ୟ ତାଲିକା ଲଗାଇବାକୁ ଆର୍ଟିଓଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଥିଲେ । ସେହିଭଳି ରଥଯାତ୍ରା ଲାଗି ବାକିଥିବା କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିଲେ ଜିଲ୍ଲାପାଳ ।
ବୈଠକରେ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର, ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଉମାକାନ୍ତ ସାମନ୍ତରାୟ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱପ୍ନାରାଣୀ ସ୍ୱାଇଁ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ, ଅତିରିକ୍ତ ପୁଲିସ ମହାନିଦେ୍ର୍ଦଶକ (ଆଇନଶୃଙ୍ଖଳା), ଆଇନ ବିଭାଗର ପ୍ରମୁଖ ସଚିବ ପ୍ରତାପ କୁମାର ପାତ୍ର, ସ୍ୱତନ୍ତ୍ର ସଚିବ ବାଣିଜ୍ୟ ଓ ପରିବହନ ମନୋଜ ମିଶ୍ର, ଗୃହ ବିଭାଗ ସଚିବ ସନ୍ତୋଷ ବାଲା, ଦେବୋତ୍ତର କମିଶନର ଶିଶିର କୁମାର ରଥ, କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କନୱାର ବିଶାଲ ସିଂହ ଓ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।