ସେରମୁଣ୍ଡା ହାତୀର ଅବସ୍ଥା ଗୁରୁତର
ଅସୁସ୍ଥ ୨ ହାତୀଙ୍କ ଚିକିତ୍ସା ଆରମ୍ଭ
ନରସିଂହପୁର (ଆପ୍ର): କଟକ ଜିଲ୍ଲା ନରସିଂହପୁର ବନାଞ୍ଚଳର ସେରମୁଣ୍ଡା ବିଟ୍ ନିକଟସ୍ଥ ଜଙ୍ଗଲରେ କିଛିଦିନ ଧରି ଏକ ୩୫ ବର୍ଷିୟ ମାଈ ହାତୀର ଗୋଡରେ ଆଘାତ ଲାଗିଥିଲା । ସେହି ଦିନଠାରୁ ହାତୀଟି ଗୁରୁତର ଅବସ୍ଥାରେ ପଡିରହି କେଉଁ ଆଡେ ଯାଇପାରି ନଥିଲା । ଏହା ପରେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଚେତା ପଶିଥିଲା । ଆଠଗଡ ଉପବନଖଣ୍ଡ ଅଧିକାରୀ ଗୋପିନାଥ ସୁଦର୍ଶନ ଯାଦବ, ଏସିଏଫ ଘନଶ୍ୟାମ ମୁଦୁଲି, ରେଞ୍ଜର ବିଭୁ ରଞ୍ଜନ ରାୟ ଏବଂ ପ୍ରାଣୀ ଚିକିତ୍ସକଙ୍କ ସମେତ ସାତକୋଶିଆ ଅଭୟାରଣ୍ୟର ଟ୍ରାନକୁ୍ୟଲାଇଜ ଦଳ ଆସି ସେରମୁଣ୍ଡା ଠାରେ ଥିବାହାତୀଟିକୁ ଟ୍ରାନ୍କୁ୍ୟଲାଇଜ କରି ଚିକିତ୍ସା ଆରମ୍ଭ କରିଛନ୍ତି । ତେବେ ହାତୀଟିର ଅବସ୍ଥା ଗୁରୁତର ଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଆଜି ପୁଣି ଉପରିସ୍ଥ ଅଧିକାରୀମାନେ ଏହି ବନାଞ୍ଚଳର ଜଡାପଦା ଠାରେ ଥିବା ହାଡୁଆ ନାଳ ନିକଟରେ ଆଉ ଏକ ମାଈ ହାତୀକୁ ଦେଖି ଚିକିତ୍ସାର ବ୍ୟବସ୍ଥା କରିବା ପାଇଁ ଯାଇଛନ୍ତି । ଏହି ହାତୀଟିର ଗୋଡରେ ଆଘାତ ହୋଇଥିଲେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କ ଅବହେଳା ଯେଗୁଁ ଏଭଳି ଘଟୁଥିବା ସାଧାରଣରେ କୁହାଯାଇଛି । ଯଦିଓ ଠିକ୍ ସମୟରେ ଦାୟୀତ୍ୱରେ ଥିବା କର୍ମଚାରୀ, ଜଗୁଆଳି ହାତୀର ଗତିବିଧିକୁ ଲକ୍ଷ୍ୟରଖି ଅସୁସ୍ଥ ହେବାମାତ୍ରେ ପଦକ୍ଷେପ ନିଆଯାଇ ପାରନ୍ତା ତେବେ ହାତୀ ମୃତୁ୍ୟକୁ ଏଡାଇ ଦିଆଯାଇ ପାରନ୍ତା ବୋଲି ଜଙ୍ଗଲ ପରିବେଶବିତ୍ କହିଛନ୍ତି ।