ଶାସକ-ବିରୋଧୀ ମୁହାଁମୁହିଁ
କେକେଙ୍କ ମୃତୁ୍ୟ ନେଇ ସସ୍ପେନ୍ସ
କୋଲାକାତା (ଏଜେନ୍ସି): ବଲିଉଡ୍ର ଭର୍ସାଟାଇଲ୍ ସିଙ୍ଗର କୃଷ୍ଣ କୁମାର କୁନ୍ନାଥ ଓରଫ କେକେ ମଙ୍ଗଳବାର ରାତିରେ ଲାଇଭ୍ କନ୍ସର୍ଟ ସମୟରେ ପରଲୋକ ହୋଇଯାଇଛି । ମୃତୁ୍ୟ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ରାତି ୧୨ଟାରେ କେକେଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ କୋଲକତାର ନଜରୁଲ ମଞ୍ଚରେ ଉଲଟାଡଙ୍ଗାସ୍ଥିତ ଗୁରୁଦାସ କଲେଜର ବାର୍ଷିକ ଉତ୍ସବରେ ସଙ୍ଗୀତ ପରିବେଷଣ କରୁଥିବା ସମୟରେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଗ୍ର୍ରାଣ୍ଡ ହୋଟେଲକୁୁ ନିଆଯାଇଥିଲା । ସେଠାରୁ ସିଏମ୍ଆଇଆର୍ ହସ୍ପିଟାଲକୁ ନିଆଯିବା ପରେ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ବୁଧବାର ସକାଳେ କେକେଙ୍କ ମରଶରୀର ରବୀନ୍ଦ୍ର ସଦନକୁ ନିଆଯାଇଥିଲା । ସେଠାରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନପୂର୍ବକ ତୋପ ସଲାମୀ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କେକେଙ୍କ ପରିବାରବର୍ଗ, ପଶ୍ଚିମବଙ୍ଗର ବହୁ ନେତା, ମନ୍ତ୍ରୀ, ସଙ୍ଗୀତ ପ୍ରେମୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଗୁରୁବାର ମୁମ୍ବାଇରେ କେକେଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ପାର୍ଥିବ ଶରୀରକୁ ନେତାଜୀ ସୁଭାଷଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନ ବନ୍ଦରକୁ ନିଆଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି ।
ତାଙ୍କ ଅକାଳ ବିୟୋଗକୁ ନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଶବ ବ୍ୟବଚ୍ଛେଦର ପ୍ରାଥମିକ ରିପୋର୍ଟ ବିବାଦକୁ ଆହୁରି ବଢ଼ାଇ ଦେଇଛି । ରିପୋର୍ଟରେ ମୃତୁ୍ୟ ଅସ୍ୱାଭାବିକ ବୋଲି ବୋଲି ଦର୍ଶାଯାଇଛି । କୋଲକାତା ପୁଲିସ ମଧ୍ୟ ଅପ୍ରାକୃତିକ ମୃତୁ୍ୟ ନେଇ ନୁ୍ୟ-ମାର୍କେଟ୍ ଥାନାରେ ମାମଲା ରୁଜୁ କରିଛି । କେକେଙ୍କ ମୁଣ୍ଡ ଓ ମୁହଁରେ ଆଘାତ ଲାଗିଛି । ୭୨ ଘଣ୍ଟା ପରେ ପୂର୍ଣ୍ଣାଙ୍ଗ ରିପୋର୍ଟ ମିଳିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି ।
ତାଙ୍କ ଶରୀରରେ ଆଘାତ ଲାଗିଥିବା ସୂଚନା ମିଳିବା ପରେ ଅଭିନେତା ଓ ରାଜନୈତିକ ମହଲରେ ଆରୋପ ପ୍ରତ୍ୟାରୋପ ଆରେମ୍ଭ ହୋଇଛି । ବଲିଉଡ୍ର ଦିବଂଗତ ଅଭିନେତା ଓମ୍ ପୁରୀଙ୍କ ପୂର୍ବତନ ପତ୍ନୀ ନନ୍ଦିତା ପୁରୀ ଗୁରୁତର ଅଭିଯୋଗ ଆଣିଛନ୍ତି । କୋଲକାତାରେ ଆୟୋଜିତ ମୁ୍ୟଜିକ୍ କନସର୍ଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନନ୍ଦିତା । କୋଲକାତା କେକେଙ୍କୁ ମାରିଦେଇଛି ଓ ଆୟୋଜନ ଠିକ୍ଭାବେ ହୋଇନଥିଲା । ଘଟଣାର ସିବିଆଇ ତଦନ୍ତ ହେବା ଉଚିତ ବୋଲି ସେ ଫେସ୍ବୁକ୍ରେ ପୋଷ୍ଟ କରିଛନ୍ତି ।
କ୍ଷମତାସୀନ ଟିଏମ୍ସି କେକେଙ୍କ ମୃତୁ୍ୟ ଘଟଣାକୁ ରାଜନୀତୀକରଣ ନ କରିବାକୁ ନିବେଦନ କରିଥିଲେ ବି ବିଜେପି ଓ କଂଗ୍ରେସ ନିରପେକ୍ଷ ତଦନ୍ତ କରି ସତ୍ୟାସତ୍ୟ ନିର୍ଦ୍ଧାରଣ କରିବାକୁ ଦାବି କରିଛନ୍ତି । ଅଡିଟୋରିୟମ୍ରେ ଅବଶ୍ୟକ ସୁରକ୍ଷା ବ୍ୟବସ୍ଥା ନ ଥିଲା ଏବଂ ଆୟୋଜକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ରାଜ୍ୟ ପ୍ରବକ୍ତା ସମିକ ଭଟାଚାର୍ଯ୍ୟ ଓ ଦଳର ଜାତୀୟ ସଂପାଦକ ଅନୁପମ ହାଜରା ଦାବି କରିଛନ୍ତି । ରାଜ୍ୟ କଂଗ୍ରେସ ମୁଖ୍ୟ ଅଧୀର ରଞ୍ଜନ ଚୌଧୁରୀ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ।
ବିଜେପି ନେତାଙ୍କ ପ୍ରତିକ୍ରିୟାର ଉତ୍ତର ଦେଇ ଟିଏମ୍ସି ରାଜ୍ୟ ସାଧାରଣ ସଂପାଦକ କୁନାଲ ଘୋଷ କହିଛନ୍ତି, ଶାଗୁଣା ରାଜନୀତି ଛାଡ଼ି ବିଜେପି ନେତାମାନେ ବାସ୍ତବତା ଉପରେ ଧ୍ୟାନ ଦିଅନ୍ତୁ ।
କୋଲକତାରେ ଦୁଇଦିନ ଧରି କେକେ ସଙ୍ଗୀତ ପରିବେଷଣରେ ବ୍ୟସ୍ତ ଥିଲେ । ସୋମବାର ଠାକୁରପୁର ବିବେକାନନ୍ଦ କଲେଜ୍ ଓ ମଙ୍ଗଳବାର ନଜରୁଲ ମଞ୍ଚରେ କନସର୍ଟ କରିଥିଲେ । ନଜରୁଲ୍ କାର୍ଯ୍ୟକ୍ରମ ସମୟରେ ସେ ଅସୁସ୍ଥ ଥିବାଭଳି ଜଣାପଡ଼ୁଥିଲେ । ମଞ୍ଚରେ ଏସି କାମ କରୁ ନ ଥିଲା । ୩ ହଜାର ଦର୍ଶକ ବସିବା ପାଇଁ ବ୍ୟବସ୍ଥା ଥିବାବେଳେ ପ୍ରାୟ ୭ ହଜାର ଦର୍ଶକ ଥିଲେ । ଆୟୋଜକଙ୍କ ପକ୍ଷରୁ କେକେଙ୍କ ସ୍ୱାସ୍ଥ୍ୟପ୍ରତି ଦୃଷ୍ଟି ଦିଆଯାଇ ନଥିଲା । ହାଲୋଜିନ ଲାଇଟ୍ ବନ୍ଦ କରିବାକୁ ସେ ବାରମ୍ବାର କହୁଥିଲେ । କିନ୍ତୁ ତାଙ୍କ କଥାକୁ କେହି ଶୁଣିନଥିଲେ ବୋଲି କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।
ସଙ୍ଗୀତ ଜଗତର ବହୁମୁଖୀ ପ୍ରତିଭାର ଅଧିକାର କେକେ ଅଗଷ୍ଟ ୨୩, ୧୯୬୮ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଆ, ହିନ୍ଦୀ, ତେଲୁଗୁ, ତାମିଲ, ମରାଠୀ, କନ୍ନଡ଼, ବେଙ୍ଗଲୀ, ମାଲାୟାଲମ, ଗୁଜରାଟୀ, ଅହମିୟା ଭାଷାରେ ଗୀତ ଗାଇ ବ୍ୟାପକ ପ୍ରସିଦ୍ଧି ହାସଲ କରିଥିଲେ । ୧୯୯୯ରେ ସେ ପଲ ଆଲବମ୍ରେ ଗୀତ ଗାଇଥିଲେ । ସେହିବର୍ଷ କେକେ ହମ୍ ଦିଲ୍ ଦେ ଚୁକେ ସନମ୍ ଫିଲ୍ମରେ ଗୀତ ଗାଇ ଶ୍ରୋତାଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ଏହାପରେ ସେ ଦେବଦାସ, ୱ ଲମ୍ଭେ, ଓମ୍ ଶାନ୍ତି ଇତ୍ୟାଦି ଫିଲ୍ମରେ ଗୀତ ଗାଇଛନ୍ତି । ତାଙ୍କ ଅକାଳ ବିୟୋଗରେ ସଂଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ହେଲା ବୋଲି କୁହାଯାଉଛି ।