ନାଗରିକକୈନ୍ଦ୍ରିକ ସେବା ପ୍ରଶାସନର ମୌଳିକ ଲକ୍ଷ୍ୟ

ନ୍ୟାୟିକ ସେବା ଶିକ୍ଷାନବୀଶଙ୍କ ପରିଚୟାତ୍ମକ ତାଲିମ୍
ଭୁବନେଶ୍ୱର (ବୁ୍ୟରୋ): ନ୍ୟାୟିକ ସେବା (ଜୁଡ଼ିସିଆଲ୍ ସର୍ଭିସ୍) ପ୍ରୋବେଶନର ମାନଙ୍କ ତାଲିମ୍ କାର୍ଯ୍ୟକ୍ରମର ଅଂଶଭାବେ ୩୯ ଜଣ ଶିକ୍ଷାନବିଶ ଅଧିକାରୀ ଲୋକସେବା ଭବନ ପରିଦର୍ଶନ କରି ପ୍ରଶାସନିକ ବ୍ୟବସ୍ଥା ବିଷୟରେ ପରିଚୟାତ୍ମକ ତାଲିମ ନେଇଛନ୍ତି । ଏଥିଲାଗି ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି । ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ମହାପାତ୍ର ଜୁଡ଼ିସିଆଲ୍ ସର୍ଭିସ୍ ପ୍ରୋବେଶନରମାନଙ୍କୁ ପ୍ରଶାସନିକ ବ୍ୟବସ୍ଥା ଏବଂ କାର୍ଯ୍ୟ ପଦ୍ଧତି ବିଷୟରେ ପରିଚୟାତ୍ମକ ତାଲିମ ଦେଇଛନ୍ତି ।
ଏହି ଅବସରରେ ମୁଖ୍ୟ ସଚିବ କହିଛନ୍ତି, ଲୋକସେବା ଭବନର ନାମକରଣ ହିଁ ପ୍ରଶାସନିକ ବ୍ୟବସ୍ଥାର ଏକ ପ୍ରତିଫଳନ । ଏହି ନାମକରଣ ପ୍ରଶାସନିକ ଅଧିକାରୀଙ୍କୁ ସର୍ବଦା ମନେପକାଇ ଦିଏ ଲୋକଙ୍କୁ ସେବା ଯୋଗାଇବା ପାଇଁ ସେମାନେ ଉଦ୍ଦିଷ୍ଟ । ଏହାସହ ବିଧି ଦ୍ୱାରା ନିର୍ଦ୍ଧାରିତ ନାଗରିକ-କେନ୍ଦ୍ରିକ ସେବା ଯୋଗାଣ ହିଁ ପ୍ରଶାସନର ମୌଳିକ ଲକ୍ଷ୍ୟ । ବ୍ୟବସ୍ଥାପକ, ନ୍ୟାୟପାଳିକା ଏବଂ କାର୍ଯ୍ୟ ନିର୍ବାହୀ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ସ୍ତମ୍ଭ ଭାବେ ନିଜ ନିଜର କାର୍ଯ୍ୟ ସଂପାଦନ କରିଥାଆନ୍ତି । ଓଡ଼ିଶାରେ ବର୍ତ୍ତମାନ ନ୍ୟାୟିକ ସେବା ଯୋଗାଣ କ୍ଷେତ୍ରରେ ଏକ ଉଚ୍ଚମାନର ରୂପାନ୍ତରକରଣ ସଙ୍ଗଠିତ ହେଉଛି । ଓଡ଼ିଶା ହାଇକୋର୍ଟଙ୍କ ନିଷ୍ପତ୍ତିକ୍ରମେ ପ୍ରାୟ ୧୪ ଲକ୍ଷ ମକଦ୍ଦମାର ସବିଶେଷ ବିବରଣୀକୁ ଡିଜିଟାଇଜ୍ କରାଯାଉଛି । ବିଭିନ୍ନ କୋର୍ଟରେ ଭିତ୍ତିଭୂମି ବିକାଶ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ବ୍ୟାପକ ପ୍ରୟୋଗ ନିମନ୍ତେ ବ୍ୟବସ୍ଥା କରାଯାଉଛି । ଏହି କାର୍ଯ୍ୟର ଅଗ୍ରଗତି ସହିତ ନ୍ୟାୟିକ ସେବା ଯୋଗାଣରେ ଗୁଣାତ୍ମକ ଓ ପରିମାଣାତ୍ମକ ରୂପାନ୍ତର ହେବ । ପ୍ରମୁଖ ସଚିବ ସୁରେନ୍ଦ୍ର କୁମାର କାର୍ଯ୍ୟ ନିର୍ବାହୀ ବ୍ୟବସ୍ଥା କାର୍ଯ୍ୟଧାରା ବିଷୟରେ ଆଲୋକପାତ କରିଛନ୍ତି । ବିଭିନ୍ନ ଜନମଙ୍ଗଳ ସେବା ଯୋଗାଣରେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଏବଂ ସମନ୍ୱିତ କାର୍ଯ୍ୟପନ୍ଥା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *