ଶିକ୍ଷା ଆପ୍ ଆରମ୍ଭ କଲେ ଗାଙ୍ଗୁଲି
ମୁମ୍ବାଇ, ୧ା୬ (ଏଜେନ୍ସି): ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲିଙ୍କ ଏକ ଟ୍ୱିଟ୍ ବୁଧବାର ସନ୍ଧ୍ୟାରେ ଚହଳ ସୃଷ୍ଟି କରିଛି । ସୌରଭ ନିଜ ଟ୍ୱିଟ୍ରେ ଲେଖିଥିଲେ ଯେ ୨୦୨୨ ମସିହା ତାଙ୍କ କ୍ରିକେଟ୍ ଯାତ୍ରାର ୩୦ତମ ବର୍ଷ । ଏବେ ସେ ଏଭଳି କିଛି କରିବାକୁ ଚାହୁଁଛନ୍ତି, ଯାହା ଫଳରେ ଲୋକଙ୍କର ମଙ୍ଗଳ ହେବ । ଏହାପରେ ଗୁଜବ ସୃଷ୍ଟି ହେଲା ଯେ ସୌରଭ ବିସିସିଆଇ ସଭାପତି ପଦବୀରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ଏହାର ୩୮ ମିନିଟ୍ ପରେ ଗାଙ୍ଗୁଲି ସଭାପତି ପଦବୀରୁ ଇସ୍ତଫା ଦେଇ ନାହାନ୍ତି ବୋଲି ବୋର୍ଡ ସମ୍ପାଦକ ଜୟ ଶାହା ଏକ ନୁ୍ୟଜ୍ ଏଜେନ୍ସିକୁ ସ୍ପଷ୍ଟ କରିଥିଲେ । ସୌରଭ ୨୦୧୯ରୁ ସଭାପତି ଅଛନ୍ତି । ପରେ ଗାଙ୍ଗୁଲି ସମସ୍ତ ଗୁଜବରେ ଯବନିକା ପକାଇ ସେ ଏକ ଶିକ୍ଷା ଆପ୍ ଆରମ୍ଭ କରିଛନ୍ତି ବୋଲି କହିଥିଲେ ।
ଗାଙ୍ଗୁଲିଙ୍କୁ ଯେତେବେଳେ ଇସ୍ତଫାକୁ ନେଇ ପ୍ରଶ୍ନ କରାଯାଇଥିଲା, ସେ କହିଥିଲେ – ମୁଁ ଏକ ନୂଆ ଶିକ୍ଷା ଆପ୍ ଲଞ୍ଚ୍ କରିଛି । ଏହାର କୌଣସି ସ୍କୁଲ୍ ସହ ସମ୍ପର୍କ ନାହିଁ । ଏହି ଆପ୍ ଆନ୍ତର୍ଜାତିକ ସ୍ତରରେ କ୍ଲାସ୍ ପ୍ଲସ୍ର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ । ଏତେ ଛୋଟ ଛୋଟ କଥାରେ ଏମିତି ହେବା ଦେଖି ମୁଁ ନିଜେ ଆଚମ୍ବିତ ହୋଇଛି । ଏହା ଏକ ସାଧାରଣ ଟ୍ୱିଟ୍ ଥିଲା, ମୋ ଇସ୍ତାଫାର ଟ୍ୱିଟ୍ ନ ଥିଲା ।
‘ଯାତ୍ରାରେ ସାଥ୍ ଦେଇଥିବା ଲୋକଙ୍କୁ କୃତଜ୍ଞତା’
ଗାଙ୍ଗୁଲି ଅପରାହ୍ନ ୫ଟା ୨୦ରେ ଟ୍ୱିଟ୍ରେ ଲେଖିଥିଲେ – ୧୯୯୨ରୁ ମୋ କ୍ରିକେଟ୍ ଯାତ୍ରା ଆରମ୍ଭ ହୋଇଥିଲା । ୨୦୨୨ରେ ଏହାର ୩୦ ବର୍ଷ ପୂର୍ତ୍ତି ହୋଇଛି । କ୍ରିକେଟ୍ ମୋତେ ବହୁତ କିଛି ଦେଇଛି । ସବୁଠାରୁ ବଡ଼ କଥା ହେଉଛି ଯେ ଏହା ମୋତେ ଆପଣମାନଙ୍କର ସମର୍ଥନ ଦେଇଛି । ମୁଁ ସେହି ସମସ୍ତଙ୍କୁ କୃତଜ୍ଞତା ଜଣାଉଛି, ଯେଉଁମାନେ ଏହି ଯାତ୍ରାରେ ମୋର୍ ସାଥ୍ ଦେଇଥିଲେ ଏବଂ ଆଜି ମୁଁ ଯେଉଁଠି ଅଛି, ସେଠି ପହଞ୍ଚିବାରେ ମୋତେ ସହାୟତା କରିଥିଲେ । ଆଜି କିଛି ନୂଆ ଆରମ୍ଭ କରିବାର ଯୋଜନା କରୁଛି । ମୋତେ ଲାଗୁଛି ଯେ ମୋର ଏହି ଆରମ୍ଭରେ ବହୁତ ଲୋକଙ୍କୁ ସହାୟତା ମିଳିବ । ମୁଁ ନିଜ ଜୀବନରେ ଏହି ନୂଆ ଅଧ୍ୟାୟରେ ଆପଣଙ୍କ ସମର୍ଥନ ଆଶା କରୁଛି ।
ରାଜନୀତିରୁ ଆରମ୍ଭ କରିପାରନ୍ତି ନୂଆ ଇନିଂସ୍
ଚର୍ଚ୍ଚା ହେଉଛି ଯେ ଗାଙ୍ଗୁଲି ରାଜନୀତିକୁ ଆସିପାରନ୍ତି । କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ଦ୍ୱିଦିବସୀୟ ପଶ୍ଚିମବଙ୍ଗ ଗସ୍ତର ଶେଷ ଦିନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତକାର ଗାଙ୍ଗୁଲିଙ୍କ ବାସଭବନରେ ହୋଇଥିଲା । ଏହି ସମୟରେ ଶାହା ଓ ଗାଙ୍ଗୁଲି ଏକାଠି ରାତ୍ରଭୋଜନ କରିଥିଲେ ।
ଏହି ସମୟରେ ପଶ୍ଚିମବଙ୍ଗ ବିଜେପିର ସଭାପତି ଡ. ସୁକାନ୍ତ ମଜୁମଦାର, ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ସ୍ୱପନ ଦାସଙ୍କ ସମେତ ଅନ୍ୟ ନେତା ବି ଉପସ୍ଥିତ ଥିଲେ । ଶାହାଙ୍କ ସହ ସାକ୍ଷାତକାରକୁ ନେଇ ଗାଙ୍ଗୁଲିଙ୍କୁ ଯେତେବେଳେ ପ୍ରଶ୍ନ କରାଯାଇଥିଲା, ସେ କହିଥିଲେ ଯେ ରାତ୍ରଭୋଜନକୁ ନେଇ ରାଜନୈତିକ ଅର୍ଥ ବାହାର କରାଯିବା ଠିକ୍ ନୁହେଁ ।
ଗାଙ୍ଗୁଲି ସେତେବେଳେ କହିଥିଲେ – ମୁଁ ଅମିତ ଶାହାଙ୍କୁ ଏକ ଦଶନ୍ଧିରୁ ଅଧିକ ଦିନ ହେଲା ଜାଣିଛି ଏବଂ ଅନେକ ଥର ବି ଭେଟିସାରିଛି । ଆମ ପାଖରେ କଥାବାର୍ତ୍ତା କରିବା ପାଇଁ ବହୁତ କିଛି ଅଛି । ମୁଁ ତାଙ୍କୁ ୨୦୦୮ରୁ ଜାଣିଛି । ଯେତେବେଳେ ମୁଁ ଖେଳୁଥିଲି, ଆମେ ଭେଟୁଥିଲୁ । ମୁଁ ତାଙ୍କ ପୁଅ (ଜୟ ଶାହା)ଙ୍କ ସହ କାମ କରୁଛି । ଏହା ଏକ ପୁରୁଣା ସମ୍ପର୍କ ।