୬୯%ରୁ ଅଧିକ ମତଦାନ
ଶାନ୍ତିଶୃଙ୍ଖଳାରେ ସରିଲା ବ୍ରଜରାଜନଗର ଭୋଟ୍
ଭୁବନେଶ୍ୱର,୩୧ା୫(ବୁ୍ୟରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାରେ ଭୋଟ୍ ଗ୍ରହଣ ଶେଷ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ଭୋଟ୍ ହାର ୬୯% ପ୍ରତିଶତ ରେକର୍ଡ କରାଯାଇଛି । ତେବେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍ଗ୍ରହଣ ଚାଲିଥିବାରୁ ଚୂଡ଼ାନ୍ତ ମତଦାନ ହାର ଆହୁରି ବଢ଼ିଥିବ । କିଛି ବୁଥ୍ରେ ଭୋଟରଙ୍କ ଲମ୍ବାଧାଡ଼ି ଲାଗି ରହିଥିବାରୁ ମତଦାନ ସନ୍ଧ୍ୟା ୬ଟା ପରେ ମଧ୍ୟ ଜାରି ରହିଥିବା ଜଣାପଡ଼ିଛି । ତେବେ ଅପରାହ୍ନ ୩ଟାରୁ ୪ଟା ମଧ୍ୟରେ ଝଡ଼ବର୍ଷା ପାଇଁ ଭୋଟ୍ ଗ୍ରହଣ ବାଧାପ୍ରାପ୍ତ ହୋଇଥିଲା । ସକାଳୁ ୩ଟି ଇଭିଏମ୍ରେ ତ୍ରୁଟି ଦେଖାଯାଇଥିଲା । ୩ଟି ଲେଖାଏ ବାଲାଟ୍ ୟୁନିଟ୍ ଓ କଣ୍ଟ୍ରୋଲ୍ ୟୁନିଟ୍ ପରିବର୍ତ୍ତନ କରାଯାଇଛି । କୌଣସି ସ୍ଥାନରେ ହିଂସା କିମ୍ବା ବିଶୃଙ୍ଖଳା ଉପୁଜିନି ।
ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, କୋଭିଡ୍ ଗାଇଡଲାଇନ୍ ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ଭୋଟଗ୍ରହଣ ଆରମ୍ଭ ହୋଇଥିଲା । ଦିନ ୯ଟା ସୁଦ୍ଧା ୧୧% ଭୋଟ୍ ପଡ଼ିଥିବାବେଳେ ୧୧ଟା ସୁଦ୍ଧା ୩୨%, ୧ଟା ସୁଦ୍ଧା ୪୮% ଓ ୩ଟା ସୁଦ୍ଧା ୫୭% ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଥିଲେ । ଭୋଟଗ୍ରହଣ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିଥିଲା । କୌଣସି ସ୍ଥାନରେ ସେଭଳି ଅପ୍ରୀତିକର କିମ୍ବା ଆଇନଶୃଙ୍ଖଳା ପରିସ୍ଥିତି ଉପୁଜି ନଥିବା କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି । ଟାଣ ଖରା ଓ ପ୍ରବଳ ଗୁଳୁଗୁଳିରେ ଲୋକଙ୍କ ମଧ୍ୟରେ ଭୋଟ୍ ଦେବା ପାଇଁ ଉତ୍ସାହ ଦେଖିବାକୁ ମିଳିଥିଲା । ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ୨ଲକ୍ଷ ୧୪ହଜାରରୁ ଊଦ୍ଧ୍ୱର୍ ୨୭୯ଟି ମତଦାନ କେନ୍ଦ୍ରରେ ମୋଟ ୧୧ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରଛନ୍ତି ।
ଆସନ୍ତା ଜୁନ୍ ୩ ତାରିଖରେ ଭୋଟ୍ ଗଣତି ହେବ । ପ୍ରତ୍ୟେକ ବୁଥରେ ଜଣେ ଲେଖାଏଁ ପ୍ରିଜାଇଡିଂ ଅଫିସର ଓ ୩ଜଣ ଲେଖାଏଁ ପୁଲିଂ ଅଫିସର ମୁତୟନ ହୋଇଥିଲେ । ଇଭିଏମ୍ ମେସିନରେ ଭୋଟଗ୍ରହଣ ହୋଇଥିବାବେଳେ ଅବାଧ ଓ ନିରପେକ୍ଷ ଭୋଟଗ୍ରହଣ ନିମନ୍ତେ ୬୦ଟି ବୁଥ୍କୁ ସମ୍ବେଦନଶୀଳ, ୩୦ଟି ମଡେଲ୍ ବୁଥ୍ ଓ ୫ଟି ପିଙ୍କ୍ ବୁଥ(ମହିଳା କର୍ମଚାରୀଙ୍କୁ ନେଇ)ଚିହ୍ନଟ ହୋଇଥିଲା । ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ନିର୍ବାଚନ ମଇଦାନରେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି, ବିଜେପିର ରାଧାରାଣୀ ପଣ୍ଡା, କଂଗ୍ରେସର କିଶୋର ପଟେଲ, ସିପିଆଇର ରମେଶ କୁମାର ତ୍ରିପାଠୀଙ୍କ ସମେତ ମୋଟ୍ ୧୧ ପ୍ରାର୍ଥୀ ଥିବାବେଳେ ଲଢ଼େଇ ମୁଖ୍ୟତଃ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ହୋଇଥିବା କୁହାଯାଉଛି । ତେବେ ୩ ତାରିକରେ ଭୋଟ୍ ଗଣତି ସହ ଫଳାଫଳ ଆସିବ । ବ୍ରଜରାଜନଗରର ବାଜିଗର କିଏ ହେବ, ତାହା ସ୍ପଷ୍ଟ ହୋଇଯିବ ।