ବଳି ପାଇଁ ନାବାଳକକୁ ହତ୍ୟା
ଯାଜପୁର (ଆପ୍ର): ବହୁ ଚର୍ଚ୍ଚିତ ରାଜେନ୍ଦ୍ରପୁରରେ ନାବାଳକକୁ ବଳି ଘଟଣାରେ ମଙ୍ଗଳବାର ଯାଜପୁର ଅତିରିକ୍ତ ଦୈାରାଜଜ୍ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବିଚାରପତି ଜ୍ଞାନେନ୍ଦ୍ର ବାରିକ ୨୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଅଭିଯୁକ୍ତ ଦୀପକକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ୩୫ ହଜାର ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲ ଦଣ୍ଡ ଆଦେଶ ରାୟରେ ଶୁଣାଇଛନ୍ତି ।
ବିବରଣୀରୁ ପ୍ରକାଶ ଯେ, କୁଆଖିଆ ଥାନା ରାଜେନ୍ଦ୍ରପୁରର ନରାୟଣ ବାରିକଙ୍କ ପୁଅ ଦୀପକ ଗୁଣିଗାରେଡ଼ି ଶିଖୁଥିଲା । ସେହି ଗ୍ରାମର ମଙ୍ଗଳାଙ୍କ ନିକଟରେ ନରବଳି ଦେଲେ ତା ତନ୍ତ୍ରବିଦ୍ୟା ସିଦ୍ଧି ହେବ ବୋଲି ସ୍ଥାନୀୟ ଲୋକଙ୍କୁ କହୁଥିଲା । ଏହାକୁ ଭିତ୍ତି କରି ଗତ ୨୦୧୫, ଫେବ୍ରୁଆରୀ ୨୬ରେ ରାଜେନ୍ଦ୍ରପୁରର ସ୍ୱର୍ଗତ ଶୁକଦେବ ବାରିକଙ୍କ ଏକଦଶାହ ଭୋଜି ଖାଇବା ପାଇଁ ସେହି ଗାଁର ନିରଞ୍ଜନ ନାୟକଙ୍କ ପୁଅ ଅଭିଷେକ (୮) ସେଠାକୁ ଯାଇଥିଲା । ଭୋଜି ଖାଇ ଦୀପକ ସୁଯୋଗ ଦେଖି ଅଭିଷେକକୁ ସେଠାରୁ ପ୍ରଲୋଭନ ଦେଖାଇ ଡାକି ନେଇଥିଲା । ଦୀର୍ଘ ସମୟ ଧରି ଅଭିଷେକ ଘରକୁ ନଫେରିବାରୁ ତାଙ୍କ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରି ନପାଇବାରୁ କୁଆଖିଆ ଥାନାରେ ଅଭିଯୋଗ କରିଥିଲେ । ପରଦିନ ସକାଳେ ସେହି ଗାଁର ମଙ୍ଗଳା ମନ୍ଦିର ନିକଟସ୍ଥ ଏକ ପୋଖରୀରେ ଅଭିଷେକର ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କ ପରିବାରକୁ ଜଣାଇଥିଲେ । ଅଭିଷେକର ମୁଣ୍ଡରେ ସିନ୍ଦୁର ଓ ବେକରେ ଫୁଲହାର ପଡିଥିବା ଦେଖି ତାଙ୍କ ପରିବାର ଓ ଗ୍ରାମ ଲୋକେ ଦୀପକଙ୍କୁ ସନେ୍ଦହ କରିଥିଲେ ଏବଂ ଏନେଇ କୁଆଖିଆ ଥାନାରେ ଏକ ଏତଲା ଦାୟର ହୋଇଥିଲା । ଏତଲା ଭିତ୍ତି କରି ପୁଲିସ ଅଭିଷେକର ଶବ ଜବତ କରିବା ସହ ତଦନ୍ତ ଚଳାଇଥିଲା ଏବଂ ଦୀପକକୁ ଶେଷରେ ଗିରଫ କରିଥିଲା । ଦୀପକକୁ ପଚରାଉଚରା କରିବାରୁ ସେ ଅଭିଷେକକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା ।