ଗଙ୍ଗାମାତା ମଠର ଗୁପ୍ତ ସୁଡ଼ଙ୍ଗ ପୁନରୁଦ୍ଧାର ଦାବି
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ନିକଟ ଗୁପ୍ତଗଙ୍ଗା ନିକଟରେ ରହିଛି ୫୫୦ବର୍ଷ ତଳର ବହୁ ପୁରାତନ ଗଙ୍ଗାମାତା ମଠ । ଏହି ମଠରେ ଅନେକ ରହସ୍ୟମୟ ଗୁପ୍ତ ସୁଡ଼ଙ୍ଗ ରହିଛି । ଏହାର ପୁନରୁଦ୍ଧାର କରିବା ଲାଗି ଐତିହ୍ୟ ବିଶାରଦମାନେ ଦାବି କରିଛନ୍ତି । ଏହି ମଠରୁ ୨୦୧୩ ମସିହାରେ ଏକ ସୁଡ଼ଙ୍ଗ ଠାବ ହୋଇଥିଲା । ମାତ୍ର ଗତ କିଛି ବର୍ଷ ତଳେ ଉକ୍ତ ମଠକୁ କେତେଜଣ ବିଦେଶୀ ପର୍ଯ୍ୟଟକମାନେ ବୁଲୁଥିବା ସମୟରେ ସୁଡ଼ଙ୍ଗ ମଧ୍ୟରେ ପଶିବାକୁ ଉଦ୍ୟମ କରିଥିଲେ । ଏପରିକି ତାହା ମଧ୍ୟରେ ଅନେକ ବାଟ ଦେଖିବାକୁ ମିଳିଥିଲା । ହେଲେ ଅନ୍ଧାର ହୋଇଥିବାରୁ ଆଗକୁ ଯାଇପାରି ନ ଥିଲେ । ଉକ୍ତ ଘଟଣା ପ୍ରଘଟ ହେବା ପରେ ପୁରୀର ପୂର୍ବତନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କ ସମୟରେ ଏହି ସୁଡ଼ଙ୍ଗକୁ ନେଇ ଖୋଳତାଡ଼ ଆରମ୍ଭ କରିଥିଲେ ।
ଏନେଇ ମଧ୍ୟ ଏକ କମିଟି ଗଠନ କରିଥିଲେ । ମାତ୍ର କମିଟି ପରାମର୍ଶକ୍ରମେ ସୁଡ଼ଙ୍ଗ ଭିତରକୁ ପ୍ରବେଶ ଲାଗି ଯୋଜନା ହୋଇଥିଲା । କିନ୍ତୁ ସୁଡ଼ଙ୍ଗରେ ପ୍ରବେଶ କରିବା ସମ୍ଭବ ନ ଥିଲା । ସେହିଦିନଠାରୁ ସେହି ସୁଡ଼ଙ୍ଗ ସମ୍ପର୍କରେ କୌଣସି ଆଲୋଚନା ହୋଇ ନ ଥିଲା । ଏପରିକି ଏହି ପ୍ରକୋଷ୍ଠକୁ ବର୍ତ୍ତମାନ ସୁଦ୍ଧା ଖୋଲାଯାଇପାରି ନାହିଁ କି କେହି ପ୍ରବେଶ ବି କରିପାରିନାହାନ୍ତି । ତେବେ ଏହି ସୁଡ଼ଙ୍ଗ ସିଧାସଳଖ ଶ୍ରୀମନ୍ଦିର ଓ ଶ୍ରୀନଅର ସହ ଯୋଗାଯୋଗ ରହିଥିବା ନେଇ ଅନୁମାନ କରାଯାଇଛି । କାରଣ ସେ ସମୟରେ ଆକ୍ରମଣରୁ ରକ୍ଷା ପାଇବା ଲାଗି ରାଜା ଓ ରାଣୀ ଏହି ସୁଡ଼ଙ୍ଗ ଦେଇ ବାହାରକୁ ଯାଉଥିବା ଶୁଣିବାକୁ ମିଳୁଛି । ଏହି ସୁଡ଼ଙ୍ଗ ସମ୍ପର୍କରେ ତର୍ଜମା ହେଲେ ଏହାର ସତ୍ୟ ଉନ୍ମୋଚନ ହେବ ବୋଲି ଐତିହ୍ୟ ବିଶାରଦମାନେ ଦାବି କରିଛନ୍ତି ।