ମିଡିଆ ଟାଇକୁନ ସୁଭାଷ ଚନ୍ଦ୍ରା ବିଜେପି ସମର୍ଥତ ପ୍ରାର୍ଥୀ

ରାଜ୍ୟସଭା ନିର୍ବାଚନ
ଜୟପୁର: ରାଜସ୍ଥାନର ରାଜ୍ୟସଭା ନିର୍ବାଚନରେ ନୂଆ ଟ୍ୱିଷ୍ଟ । କ୍ଷମତାସୀନ କଂଗ୍ରେସକୁ ଚେକ୍ ଦେବା ପାଇଁ ମିଡିଆ ଟାଇକୁନ ତଥା ଶିଳ୍ପପତି ସୁଭାଷ ଚନ୍ଦ୍ରାଙ୍କୁ ବିଜେପି ସମର୍ଥନ କରିଛି । ଶେଷ ତାରିଖରେ ଶ୍ରୀ ଚନ୍ଦ୍ରା ନାମାଙ୍କନ ଦାଖଲ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି ।
ସୁଭାଷ ଚନ୍ଦ୍ରା ଏସେଲ ଗ୍ରୁପ୍ ଅଧ୍ୟକ୍ଷ । ସେ ରାଜ୍ୟସଭାର ୫ମ ପ୍ରାର୍ଥୀ ଭାବେ ରାଜସ୍ଥାନରୁ ନାମାଙ୍କନ ଦାଖଲ କରିଛନ୍ତି । ରାଜସ୍ଥାନର ୪ ରାଜ୍ୟସଭା ଆସନରେ ନିର୍ବାଚନ ହେବ । କଂଗ୍ରେସ ୩ ଓ ବିଜେପି ଗୋଟିଏ ଆସନ ଜିତିବା ଏକ ପ୍ରକାରର ନିଶ୍ଚିତ ଥିଲା । କଂଗ୍ରେସ ମଧ୍ୟ ୩ ଜଣ ପ୍ରାର୍ଥୀ ଓ ବିଜେପି ଜଣଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । କିନ୍ତୁ ୫ମ ପ୍ରାର୍ଥୀ ଭାବେ ସୁଭାଷ ଚନ୍ଦ୍ରା ପ୍ରବେଶ କରିବାରୁ ଏବେ ଗୋଟିଏ ଆସନରେ ଦମଦାର ଲଢ଼େଇ ହେବ । ସୁଭାଷ ଚନ୍ଦ୍ରା କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ତିୱାରୀଙ୍କୁ ଚ୍ୟାଲେଞ୍ଜ କରିବେ । ପ୍ରମୋଦ ଉତ୍ତର ପ୍ରଦେଶର କଂଗ୍ରେସ ନେତା । କିନ୍ତୁ ଦଳ ତାଙ୍କୁ ରାଜସ୍ଥାନରୁ ରାଜ୍ୟସଭାକୁ ପଠାଇବ ବୋଲି ଘୋଷଣା କରିଛି ।
ବିଜେପି ବେଶ ଯୋଜନାବଦ୍ଧ ଭାବେ ସୁଭାଷ ଚନ୍ଦ୍ରାଙ୍କୁ ସମର୍ଥନ କରିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଓ ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା ·ଲିଛି । ଏଥିଯୋଗୁ ନିର୍ବାଚନ ବେଳେ କ୍ରସ ଭୋଟିଂ ହେବାର ସମ୍ଭାବନା ରହିଛି । ଏପରି ହେଲେ ବିଜେପିକୁ ଫାଇଦା ହେବ ।
୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୪୧ ଖଣ୍ଡ ଭୋଟ ଦରକାର । କଂଗ୍ରେସ ପାଖରେ ୧୦୮ ବିଧାୟକ ରହିଥିବା ବେଳେ ବିଜେପି ପାଖରେ ୭୧ ସଦସ୍ୟ ରହିଛନ୍ତି । ବିଜେପିର ଜଣେ ପ୍ରାର୍ଥୀ ନିର୍ବିଘ୍ନରେ ଜିତି ପାରିବେ । ଏହାପରେ ଦଳ ପାଖରେ ଆଉ ୩୦ଟି ଭୋଟ ରହିବ । କିନ୍ତୁ ଦ୍ୱିତୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପିକୁ ଆଉ ୧୧ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ସେହିପରି କଂଗ୍ରେସ ୨ଟି ଆସନ ଜିତିଯିବ । ତୃତୀୟ ଆସନ ପାଇଁ ଦଳକୁ ଅତିରିକ୍ତ ୧୫ ଜଣ ବିଧାୟକଙ୍କ ସମର୍ଥନ ଜରୁରୀ । ଏପରି ସ୍ଥିତିରେ ଛୋଟ ଛୋଟ ଦଳ ଓ ସ୍ୱାଧୀନ ବିଧାୟକ କିଙ୍ଗ ମେକର ହେବେ । ବିଧାନସଭାରେ ୧୩ ସ୍ୱାଧୀନ ବିଧାୟକ ରହିଥିବା ବେଳେ ଆର୍ଏଲ୍ପିରୁ ୨ ଜଣ, ବିଟିପିରୁ ୨ ଓ ସିପିଏମର ୨ ଜଣ ସଦସ୍ୟ ରହିଛନ୍ତି । ଏହି ବିଧାୟକମାନେ ଯାହାକୁ ସମର୍ଥନ କରିବେ, ସେ ଜିତିବେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *