ତହସିଲ କରୁଛି ଭୁଲ୍, ଦଣ୍ଡ ପାଉଛନ୍ତି ଜନସାଧାରଣ

ବାଃ ବାଃରେ ପ୍ରଶାସନ
ଢେଙ୍କାନାଳ/ଓଡ଼ାପଡ଼ା (ଆପ୍ର): ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ତହସିଲର ଭୁଲ୍ ଯୋଗୁ ସାଧାରଣ ଲୋକ ସମସ୍ୟାରେ ଉବୁଟୁବୁ ହେଉଥିବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ରାଜ୍ୟ ସରକାରଙ୍କ ତରଫରୁ ପ୍ରଜାମାନଙ୍କ ପାଇଁ ଅନେକ ଜନହିତକାରୀ ଯୋଜନା କାର୍ଯ୍ୟକାରୀ ହେଉଛି । ଏହା ସହିତ ପ୍ରଶାସନକୁ ସ୍ୱଚ୍ଛ ଏବଂ ନିର୍ମଳ କରିବା ପାଇଁ ଅନେକ ବିଭାଗକୁ ୫ଟିରେ ସାମିଲ କରାଯାଇଛି । ମାତ୍ର ଏହାକୁ ନେଇ ଓଡାପଡା ତହସିଲର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାରଙ୍କ ତରଫରୁ କେତେକ ଭୂମିହୀନଙ୍କୁ ଜମି ଯୋଗାଇ ଦିଆଯାଇଛି । ସେସବୁ ଜମି ଚିହ୍ନଟ କରାନଯାଇ ସେଭଳି ଭାବରେ ପ୍ରଦାନ କରାଯାଇଛି । ଫଳରେ ସେମାନେ ତାହା ଦଖଲ କରିବା ତ ଦୂରର କଥା ସରକାରଙ୍କ ଯୋଜନାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ତରଫରୁ ଆଦିବାସୀ ହରିଜନମାନଙ୍କ ପାଇଁ ଯେଉଁ ଜମି ଯୋଗାଇ ଦିଆଯାଉଛି ସେହି ଜମି ଉପରେ ସେମାନେ ଘରଦ୍ୱାର କରି ଆସୁଥିଲେ ମଧ୍ୟ ତାହା ତହସିଲ ଖତିୟାନରେ ଲିପିବଦ୍ଧ କରାଯାଇନାହିଁ । ତହସିଲ ପକ୍ଷରୁ ସେ ସବୁ ଜମିର ଜବରଦଖଲ ଦର୍ଶାଯାଇଛି ।
ଯାହା ଫଳରେ ଅନେକ ନିରୀହ ପ୍ରଜାସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ।
ଦୈବ ଦୁର୍ବିପାକ, ଘରପୋଡି, ହାତୀ ଘର ଭାଙ୍ଗିଲେ ମଧ୍ୟ କୌଣସି ସରକାରୀ ସୁବିଧା ମିଳିପାରୁନଥିବାର ଜଣାପଡିଛି । ଓଡାପଡା ତହସିଲ ବଳରାମପ୍ରସାଦ ପଞ୍ଚାୟତ ଆର୍ତ୍ତସାନ୍ତରା କାଟେଣୀ ଗ୍ରାମର ଆଦିବାସୀ ତଅଁଳା ବସ୍ତିରେ ବଣୁଆ ହାତୀ ପଲ ପଶି ଗ୍ରାମର ମାମି ବେହେରା, ଭାଷା ବେହେରା, ସରସ୍ୱତୀ ବେହେରା, ସୁଲେଖକ ବେହେରାଙ୍କ ସହିତ ଅନ୍ୟମାନଙ୍କ ଘର ଭାଙ୍ଗିଦେଇଥିଲେ । ସେମାନଙ୍କ ଘର ନଷ୍ଟ ହେବା ପରେ ସେମାନେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି । ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ସରକାରୀ କର୍ମଚାରୀ କିମ୍ବା ଅଧିକାରୀ କି ବନ ବିଭାଗ ସେମାନଙ୍କ ନିକଟରେ ପହଞ୍ଚିନଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ବନରକ୍ଷୀ ସୁବାସ ଚନ୍ଦ୍ର ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ଯେ, ଘର ଡିହ ପଟ୍ଟା ନଥିବାରୁ ସରକାରୀ ସହାୟତା ମିଳିପାରିବ ନାହିଁ । ଗତ ୧୯୯୩/୯୪ମସିହାରେ ଓଡାପଡାତହସିଲ ପକ୍ଷରୁ ସେମାନଙ୍କୁ ୨୦ ଡେସିମିଲ ଲେଖାଏଁ ଜମି ଯୋଗାଇ ଦିଆଯାଇଥିଲା । ସେମାନେ ଜମିର ଦାଖଲ ଏବଂ ଖାରଜ ପାଇଁ ତହସିଲରେ ଆବଦେନ କରିଥିଲେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇନଥିବାର ସରସ୍ୱତୀ ବେହେରା ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ଓଡାପଡା ତହସିଲଦାର ବାଣୀ ନିବେଦିତା ସ୍ୱାଇଁଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ଯେ, ସେମାନେ ଆବେଦନ କଲେ ଆମେ ଆଇନ ଅନୁସାରେ ପଦକ୍ଷେପ ନେବୁ । ତେବେ କିଏ ସତ କହୁଛି କିଏ ମିଛ କହୁଛି ତାକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ସାଧାରଣ ପ୍ରଜା ଏହାଦ୍ୱାରା କ୍ଷତିଗ୍ରସ୍ତ ହେଉଥିବାର ଜଣାପଡିଛି । ଗରିବ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *