ସ୍ଥିତି ପରଖିଲେ ଏସ୍ପି

୧୩ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା, ଚଳଚଞ୍ଚଳ ଶ୍ରୀକ୍ଷେତ୍ର
ପୁରୀ (ବୁ୍ୟରୋ): ୧୩ ଦିନ ପରେ ମହାପ୍ରଭୁଙ୍କ ଦେବସ୍ନାନ ନୀତି ଅନୁଷ୍ଠିତ ହେବ । ସେଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ଗତ ଦୁଇବର୍ଷ ଧରି ବିନାଭକ୍ତରେ ଶ୍ରୀଜିଉଙ୍କ ସ୍ନାନନୀତି ଅନୁଷ୍ଠିତ ହୋଇଥିଲା । ହେଲେ ଚଳିତବର୍ଷ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେବ ଠାକୁରଙ୍କ ସ୍ନାନଯାତ୍ରା । ଚଳିତଥର ସ୍ନାନଯାତ୍ରାରେ ପ୍ରବଳ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଇଛି । ସେଥିଲାଗି ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଜୋର୍ଦାର ଜାରି ରହିଛି । ବିଶେଷ ଭାବେ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୁଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟ ଜାରି ରହିଛି । ଦେବସ୍ନାନ ନୀତିକୁ ଶୃଙ୍ଖଳିତ ସମାପନ କରିବା ପାଇଁ ପୁଲିସ ପକ୍ଷରୁ ଆଜିଠାରୁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି ।
ବଡ଼ଦାଣ୍ଡଠାରୁ ଆରମ୍ଭ କରି ସିଂହଦ୍ୱାର ଅଞ୍ଚଳରେ ଭକ୍ତଙ୍କ ମାତ୍ରାଧିକ ଗହଳି ଲାଗି ରହିବ । ତାହାକୁ ଦୃଷ୍ଟିରେ ମଙ୍ଗଳବାର ଏସ୍ପି କନୱାର ବିଶାଲ ସିଂହ ସିଂହଦ୍ୱାର ସମେତ ବଡ଼ଦାଣ୍ଡର ସ୍ଥିତି ପରଖିଛନ୍ତି । କେଉଁଭଳି ଭକ୍ତଙ୍କୁ ଛଡ଼ାଯିବ ଓ ଟ୍ରାଫିକ୍ ସୁପରିଚାଳନା କରାଯିବ ସେ ନେଇ ରୂପରେଖ ପ୍ରସ୍ତୁତ କରିଛନ୍ତି । ଭକ୍ତଙ୍କ ଗହଣରେ ଶ୍ରୀଜିଉଙ୍କ ଦେବସ୍ନାନ ନୀତି ପାଳନ କରିବା ପ୍ରଶାସନ ପାଇଁ ବଡ଼ ଚାଲେଞ୍ଜ ହୋଇଛି । ଏହି ଯାତ୍ରାରେ ପୁଲିସର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ତାହାକୁ କିଭଳି ଶୃଙ୍ଖଳିତ ସମାପନ କରାଯିବ ସେନେଇ ଏସ୍ପି ଶ୍ରୀ ସିଂହ ଘନ ଘନ ବୈଠକ କରିବା ସହ ଘଟଣାସ୍ଥଳ ପରିଦର୍ଶନ କରୁଛନ୍ତି । ଭକ୍ତମାନେ କିପରି ଠାକୁରଙ୍କୁ ଶୃଙ୍ଖଳିତ ଦର୍ଶନ କରି ଫେରିବେ ତାହା ଉପରେ ଗୁରୁତ୍ୱ ଦିଆଯାଉଥିବା ନେଇ ଏସ୍ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *