ସଚିନଙ୍କ ଆଇପିଏଲ୍ ଏକାଦଶରେ ପାଣ୍ଡ୍ୟା କ୍ୟାପ୍ଟେନ୍

ମୁମ୍ବାଇ, ୩୧ା୫ (ଏଜେନ୍ସି): କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକର ଆଇପିଏଲ୍ ପଞ୍ଚଦଶ ସଂସ୍କରଣର ସର୍ବଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି । ସେ ନିଜ ଟିମ୍ରେ ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନି ଓ ବିରାଟ କୋହଲିଙ୍କୁ ସାମିଲ୍ କରି ନାହାନ୍ତି । ଗୁଜରାଟ ଟାଇଟନ୍ସକୁ ଆଇପିଏଲ୍ ବିଜେତା କରାଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସଚିନ ଟିମ୍ର ଅଧିନାୟକ କରିଛନ୍ତି । ସେ ନିଜ ୟୁ-ଟୁ୍ୟବ୍ ଚ୍ୟାନେଲ୍ରେ ଏହି ଏକାଦଶ ଘୋଷଣା କରିଛନ୍ତି ।
ସ୍ଥାନ ପାଇ ନାହାନ୍ତି ଯୁବ ଖେଳାଳି
ସଚିନଙ୍କ ଟିମ୍ରେ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ସ୍ଥାନ ମିଳିଛି ଯେତେବେଳେକି କୌଣସି ଯୁବ ଖେଳାଳିଙ୍କୁ ସୁଯୋଗ ମିଳି ନାହିଁ । କାର୍ତ୍ତିକ ଲିଗ୍ରେ ଜୋର୍ଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ଫିନିଶର୍ ଭୂମିକା ନିର୍ବାହ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ସିଜନ୍ର ସବୁଠାରୁ ଦ୍ରୁତ ପକାଇଥିବା ଲୋକୀ ଫର୍ଗୁସନ୍ ଓ ଭାରତର ସ୍ପିଡ୍ ଷ୍ଟାର୍ ଉମରାନ ମଲିକ ମଧ୍ୟ ସଚିନଙ୍କ ଟିମ୍ରେ ସ୍ଥାନ ପାଇ ନାହାନ୍ତି । ଏହାଛଡ଼ା ମୋହସିନ୍ ଖାଁ, ଅର୍ଶଦୀପ, ପ୍ରସିଦ୍ଧ କ୍ରିଷ୍ଠ ଓ କୁଲଦୀପ ସେନ୍ଙ୍କ ଭଳି ପ୍ରଭାବିତ କରିଥିବା ଯୁବ ବୋଲର୍ଙ୍କୁ ବି ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଏହି ଟିମ୍ରେ ଚାରି ଜଣ ବିଦେଶୀ ଖେଳାଳି – ଜୋସ୍ ବଟ୍ଲର୍, ଡେଭିଡ୍ ମିଲର୍, ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ଓ ରଶିଦ୍ ଖାଁ ସାମିଲ୍ ହୋଇଛନ୍ତି ।
ଧାବନ୍-ବଟ୍ଲର୍ ଓପନର୍
ରେକର୍ଡ ବାଦ୍ଶାହ ସଚିନ ଓପନିଂ ପାଇଁ ଶିଖର ଧାବନ୍ ଓ ଜୋସ୍ ବଟ୍ଲର୍ଙ୍କୁ ଚୟନ କରିଛନ୍ତି । ଟୁର୍ଣ୍ଣାମେଣ୍ଟରେ ବଟ୍ଲର୍ ଚମକ୍ପ୍ରଦ ଫର୍ମରେ ଥିଲେ । ସେ ୧୭ ମ୍ୟାଚ୍ରେ ୮୬୩ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ଚାରି ଶତକ ରହିଥିଲା । ଅନ୍ୟପଟେ ଧାବନ୍ ଅଭିଜ୍ଞତା ଯୋଗୁଁ ଓପନିଂ ସୁଯୋଗ ପାଇଛନ୍ତି ।
ଚାରି ନମ୍ବରରେ ହାର୍ଦ୍ଦିକ
ସଚିନ ତିନି ନମ୍ବର ପାଇଁ ଲୋକେଶ ରାହୁଲ ଓ ଚାରି ନମ୍ବର ପାଇଁ ହାର୍ଦ୍ଦିକଙ୍କୁ ବାଛିଛନ୍ତି । ହାର୍ଦ୍ଦିକଙ୍କୁ ଦୃଢ଼ ନେତୃତ୍ୱ ପାଇଁ ସଚିନ ନିଜ ଟିମ୍ର ଅଧିନାୟକ ଦାୟିତ୍ୱ ବି ଦେଇଛନ୍ତି । ଏହାପରେ ଡେଭିଡ୍ ମିଲର୍, ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍, ଦିନେଶ କାର୍ତ୍ତିକଙ୍କ ନମ୍ବର ଆସୁଛି । ବୋଲର୍ ଭାବେ ରଶିଦ୍ ଖାଁ, ମହମ୍ମଦ ଶାମୀ, ଯଶପ୍ରୀତ ବୁମ୍ରା ଓ ଯୁଜବେନ୍ଦ୍ର ଚହଲ ଟିମ୍ରେ ସ୍ଥାନ ପାଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *