କଂଗ୍ରେସ ତୁଳନାରେ ବିଜେପିକୁ ୬ ଗୁଣ ଅଧିକ ଚାନ୍ଦା

ନୂଆଦିଲ୍ଲୀ (ଏଜେନ୍ସି): ଶାସକ ଦଳ ବିଜେପି ବର୍ତ୍ତମାନ ଦେଶର ସବୁଠାରୁ ଧନୀ ଦଳ ଭାବେ ବିବେଚିତ ହେଉଛି । ୨୦୧୯-୨୦ ଏଡିଆର୍ ରିପୋର୍ଟ ଅନୁଯାୟୀ, ସମ୍ପତ୍ତି ପରିପ୍ରେକ୍ଷୀରେ ବିଜେପି ଏକ ନମ୍ବର ସ୍ଥାନରେ ଥିବାବେଳେ ଦେଶର ସର୍ବ ପୁରାତନ ଦଳ କଂଗ୍ରେସ ତୃତୀୟ ସ୍ଥାନରେ ରହିଛି । ସେହିପରି ବହୁଜନ ସମାଜ ପାର୍ଟି ଦ୍ୱିତୀୟ ସ୍ଥାନରେ ରହିଛି । ଏଥିସହିତ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତୀୟ ଜନତା ପାର୍ଟି ୪୭୭.୫ କୋଟି ଟଙ୍କାରୁ ଅଧିକ ଅନୁଦାନ ପାଇଥିବା ବେଳେ କଂଗ୍ରେସ ୭୪.୫୦ କୋଟିରୁ ଅଧିକ ଅନୁଦାନ ପାଇଛି । ଉଲ୍ଲେଖନୀୟ ଯେ ଶାସକ ଦଳ ଗ୍ରହଣ କରିଥିବା ଅର୍ଥର ମାତ୍ର ୧୫% କଂଗ୍ରେସ ଗ୍ରହଣ କରିଛି । ଅନ୍ୟପକ୍ଷରେ ବିଜେପି କଂଗ୍ରେସ ଅପେକ୍ଷା ୬ ଗୁଣ ଅଧିକ ଅନୁଦାନ ପାଇଛି ।
ମଙ୍ଗଳବାର ନିର୍ବାଚନ ଆୟୋଗ ଉଭୟ ଦଳ ଗ୍ରହଣ କରିଥିବା ଅନୁଦାନର ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ଅନୁଯାୟୀ ବିଭିନ୍ନ ଅନୁଷ୍ଠାନ, ନିର୍ବାଚନ ଟ୍ରଷ୍ଟ ଏବଂ ବ୍ୟକ୍ତିବିଶେଷଙ୍କ ଠାରୁ ବିଜେପି ୪,୭୭,୫୪,୫୦,୦୭୭ ଟଙ୍କା ପାଇଛି । ବିଜେପି ଚଳିତ ବର୍ଷ ମାର୍ଚ୍ଚ ୧୪ରେ ନିର୍ବାଚନ ଆୟୋଗଙ୍କ ନିକଟରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପ୍ରାପ୍ତ ଅନୁଦାନର ବିବରଣୀ ଦାଖଲ କରିଥିଲା । ଏଥିସହିତ ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସ ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ ଦଳ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତିବିଶେଷଙ୍କ ଠାରୁ ୭୪,୫୦,୪୯,୭୩୧ ଟଙ୍କା ପାଇଛି । ଅନ୍ୟପକ୍ଷରେ ଆର୍ଥିକ ବର୍ଷ ୨୦୧୯-୨୦ରେ ବିଜେପି ୪,୮୪୭ କୋଟି ଟଙ୍କା ସମ୍ପତ୍ତି ଘୋଷଣା କରିଛି । ଏହା ଦେଶର ସମସ୍ତ ରାଜନୈତିକ ଦଳ ମଧ୍ୟରେ ସର୍ବାଧିକ । ଏହି ସମୟ ମଧ୍ୟରେ କଂଗ୍ରେସ ନିଟରେ ୫୮୮.୧୬ କୋଟି ଟଙ୍କାର ସମ୍ପତ୍ତି ଥିବା ଘୋଷଣା କରିଛି ।
ନିର୍ବାଚନ ଆଇନ ଅନୁଯାୟୀ ୨୦,୦୦୦ରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଥିବା ନିର୍ବାଚନରେ ଆୟୋଗ ନିକଟରେ ଅନୁଦାନ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ହୋଇଥାଏ । ୨୦୧୪ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏକୁ କ୍ଷମତାଚୁ୍ୟତ କରି ବିଜେପି ନେତୃତ୍ୱାଧୀନ ଏନ୍ଡିଏ କେନ୍ଦ୍ରରେ ଶାସନ କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *