ମୋଦି-ଶାହାଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର,୩ଠା୫(ବୁ୍ୟରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । ଗସ୍ତର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ୍ କରିବା ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଉଭୟ ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ହୋଇଥିବା ଏହି ଭେଟ୍ଘାଟକୁ ନବୀନ ସୌଜନ୍ୟମୂଳକ ବୋଲି କହିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ନେଇ କୌଣସି ଆଲୋଚନା ହୋଇନଥିବା ନବୀନ ସ୍ପଷ୍ଟ କରିଛନ୍ତି ।
ତେବେ ନବୀନଙ୍କ ଅଚାନକ୍ ଦିଲ୍ଲୀ ଗସ୍ତକୁ ରାଜନୈତିକ ମହଲ ଭିନ୍ନ ଦୃଷ୍ଟିରେ ଦେଖୁଛି । ଯେହେତୁ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଏବଂ ଏନ୍ଡିଏ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଭରସାଯୋଗ୍ୟ ସହଯୋଗୀ ଦଳର ସମର୍ଥନ ଦରକାର, ତେଣୁ ଏହି ସାକ୍ଷାତ୍-ଆଲୋଚନାରେ ସେ ପ୍ରସଙ୍ଗ ସ୍ଥାନିତ ହୋଇଥାଇପାରେ ବୋଲି କୁହାଯାଉଛି । ମିଳିଥିବା ସୂଚନାନୁସାରେ, ୩ ଦିନିଆ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୋମବାର ଅପରାହ୍ନ ପରାହ୍ନ ସାଢ଼େ ୪ଟାରେ ସାଉଥ୍ ବ୍ଲକ୍ ସ୍ଥିତ କାର୍ଯ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିଥିଲେ । ଏହି ସାକ୍ଷାତ୍ ପରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କରୋନା ମହାମାରୀ ଯୋଗୁ ସେ ପ୍ରଧାନମନ୍ତ୍ରୀଙ୍କୁ ଦୀର୍ଘଦିନ ଧରି ସାକ୍ଷାତ୍ କରି ପାରିନଥିଲେ । ତେଣୁ ତାଙ୍କୁ ସୌଜନ୍ୟମୂଳକ ସାକ୍ଷାତ୍ କରିଛନ୍ତି । ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗରେ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ସହଯୋଗ ଲୋଡ଼ିଛନ୍ତି । ତେବେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନି ବୋଲି ଶ୍ରୀ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଓ ନବୀନଙ୍କ ମଧ୍ୟରେ ପ୍ରାୟ ୨୫ ମିନିଟ୍‌ ଧରି ଆଲୋଚନା ହୋଇଥିଲା । ସେହିପରି ସନ୍ଧ୍ୟା ସାଢ଼େ ୬ଟାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କୁ ମଧ୍ୟ ନବୀନ ସାକ୍ଷାତ୍ କରିଛନ୍ତି । ସେ ଏହି ସାକ୍ଷାତ୍କୁ ବି ସୌଜନ୍ୟମୂଳକ ବୋଲି କହିବା ସହ ରାଷ୍ଟ୍ରପତି ନିର୍ବାଚନକୁ ନେଇ କୌଣସି ଆଲୋଚନା ହୋଇନଥିବା କଥାକୁ ଦୋହରାଇଛନ୍ତି ।
ରାଜନୈତିକ ବିଶେଷଜ୍ଞଙ୍କ ମତରେ ଆସନ୍ତା ଜୁଲାଇ ୨୪ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସୁରୁଥିବାରୁ ନୂଆ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଖୁବ୍ଶୀଘ୍ର ବିଜ୍ଞପ୍ତି ଜାରି ହେବ । ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସପକ୍ଷରେ ସମର୍ଥନ ଯୋଗାଡ଼ କରିବାକୁ ଏବେ ବିଜେପି ଜାତୀୟ ନେତୃତ୍ୱ ଉଦ୍ୟମ ଆରମ୍ଭ କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ଭୋଟ୍‌ ସଂଖ୍ୟା ୧୦,୯୩,୩୪୭ ହୋଇଥିବାବେଳେ ଏନ୍ଡିଏ ପାଖରେ ଏବେ ଏଥିରୁ ୪୮.୮ ପ୍ରତିଶତ ଭୋଟ୍‌ ରହିଛି । ଏନଡିଏ ପ୍ରାର୍ଥୀ ଜିତିବା ପାଇଁ ୫,୪୬,୬୭୫ ଖଣ୍ଡ ଭୋଟ୍ ଆବଶ୍ୟକ, ତେବେ ଏନ୍ଡିଏ ପାଖରେ ପ୍ରାୟ ୧୩ହଜାର ଭୋଟ୍ (୧.୨%) ଅଭାବ ରହିଛି । ଆଉ ଏହି ୧.୨ ପ୍ରତିଶତ ଭୋଟ୍‌ ଯୋଗାଡ଼ କରିବା ଉଦେ୍ଦଶ୍ୟରେ ବିଜେପି ନେତୃତ୍ୱ ବିଜେଡି ଓ ୱାଇଏସଆର କଂଗ୍ରେସ ସହ ଆଲୋଚନା ଆରମ୍ଭ କରିଛନ୍ତି । ବିଜେଡି ପାଖରେ ଏବେ ୩ ପ୍ରତିଶତ ଓ ୱାଇଏସଆର କଂଗ୍ରେସ ପାଖରେ ୪ ପ୍ରତିଶତ ଭୋଟ୍‌ ରହିଛି । ତେଣୁ ଯଦି ଏହି ଦୁଇ ଦଳ ମଧ୍ୟରୁ ଯିିଏବି ସମର୍ଥନ ଦେବ ଏନଡିଏ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ପ୍ରାର୍ଥୀ ଜିତିବା ନିଶ୍ଚିତ । ସେଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦିଲ୍ଲୀ ଗସ୍ତ ଓ ପ୍ରଧାନମନ୍ତ୍ରୀ ଏବଂ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ସାକ୍ଷାତ୍ ଆଲୋଚନାକୁ ଜାତୀୟ ରାଜନୀତିରେ ଗୁରୁତ୍ୱ ଦିଆଯାଉଛି ।
ଏହି ଗସ୍ତକାଳରେ ମଙ୍ଗଳବାର ବହୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରାଳୟରେ ଅଟକିଥିବା ରାଜ୍ୟ ଲାଗି ଉଦ୍ଦିଷ୍ଟ ଯୋଜନାଗୁଡ଼ିକୁ ତ୍ୱରାନ୍ୱିତ କରାଇବା ପାଇଁ ବିଭିନ୍ନ ମନ୍ତ୍ରୀଙ୍କ ସହ ସେ ଆଲୋଚନା କରିପାରନ୍ତି । ବୁଧବାର ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *