କ୍ୱାର୍ଟର୍ସ ପାଇଁ ଗଛକଟାକୁ ବିରୋଧ
ଭୁବନେଶ୍ୱର (ବୁ୍ୟରୋ): ବିଧାୟକ ମାନଙ୍କ ପୁରୁଣା କ୍ୱାର୍ଟର୍ସଗୁଡିକ ଭାଙ୍ଗି ବିଳାସପୂର୍ଣ୍ଣ ସୁଉଚ୍ଚ ଅଟାଳିକା ନିର୍ମାଣ ପାଇଁ ରାଜଧାନୀର ଛାତି ଉପରେ ଥିବା ଶହ ଶହ ବର୍ଷ ପୁରୁଣା ହଜାରେରୁ ଊଦ୍ଧ୍ୱର୍ ଗଛ କାଟିବା ଚାଲିଛି । ହେଲେ ସବୁଜ ସୁନ୍ଦର ଭୁବନେଶ୍ୱରରୁ ଏଭଳି ବିରାଟକାୟ ମୂଲ୍ୟବାନ ଗଛ କାହା ଅନୁମତିରେ ଓ କିପରି କଟାଯାଉଛି ବୋଲି ଅଭିଯୋଗ କରି ସେହି ବେଆଇନ ଗଛକଟାକୁ ମହାନଦୀ ବଞ୍ଚାଅ ଆନେ୍ଦାଳନ ବିରୋଧ କରିଛି । ଗଛକଟା ବନ୍ଦ କରିବା ସହିତ ଏଥିରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଖାରବେଳ ନଗର ଥାନାରେ ସଂଗଠନ ପକ୍ଷରୁ ଏତଲା ଦିଆଯାଇଛି ।
ରାଜଧାନୀରେ ଯେତେବେଳେ ତାପମାତ୍ରା ୪୮ ଡିଗ୍ରୀ ପର୍ଯ୍ୟନ୍ତ ଛୁଇଁ ଯାଉଛି ଓ ସରକାର ଗଛ ଲଗାଇ ସବୁଜ ସୁନ୍ଦର ଭୁବନେଶ୍ୱରର ଡିଣ୍ଡିମ ପିଟୁଛନ୍ତି, ସେତିକି ବେଳେ କେମିତି ଏତେ ବଡ ବଡ଼ ବିଶାଳକାୟ ଗଛ କଟାଯାଉଛି ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଆବାହକ ସୁଦର୍ଶନ ଦାଶ । ଦିଲ୍ଲୀ ଓ ଅନ୍ୟ ସହରରେ ବିକଳ୍ପ ବ୍ୟବସ୍ଥା କରି ଗଛ ଥାଇ ବଡ ବଡ଼ ଅଟ୍ଟାଳିକା ନିର୍ମାଣ କରାଯାଇଛି । ଅତ୍ୟାଧୁନିକ କାରିଗରୀ କୌଶଳରେ ମଧ୍ୟ ବଡ଼ ବଡ଼ ଗଛକୁ ପୁନଃ ପ୍ରତ୍ୟାରାପଣ କରାଯାଇପାରୁଛି । ରାଜଧାନୀର ବରିଷ୍ଠ ଓ ବୁଦ୍ଧିଜୀବୀ ନାଗରିକଙ୍କୁ ଆଗେଇ ଆସି ଏହି ସ୍ପର୍ଶକାତର ବିଷୟରେ ସ୍ୱର ଉଠାଇବା ପାଇଁ ନିବେଦନ କରିଛି ମହାନଦୀ ବଞ୍ଚାଅ ଆନେ୍ଦାଳନ । ମଙ୍ଗଳବାର ସେହି ବିବାଦୀୟ ସ୍ଥାନରେ ମହାନଦୀ ବଞ୍ଚାଅ ଆନେ୍ଦାଳନ ପକ୍ଷରୁ ଧାରଣା ଦିଆଯିବ ଏବଂ କୌଣସି ପରିସ୍ଥିତିରେ ଆଉ ଗଛ କାଟିବାକୁ ଦିଆଯିବ ନାହିଁ ବୋଲି ପ୍ରବକ୍ତା ପ୍ରସନ୍ନ ବିଷୋୟୀ କହିଛନ୍ତି । ବିଧାନସଭାର ବାଚସ୍ପତି ଏହି ନିନ୍ଦନୀୟ ନିଷ୍ପତ୍ତିରୁ ଓହରି ବଡ଼ ବଡ଼ ଗଛ କିପରି ରହିବ ଓ ବିକଳ୍ପ ବ୍ୟାବସ୍ଥା ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଯୁଗ୍ମ ଆବାହକ ବାସୁଦେବ ଭଟ୍ଟ କହିଛନ୍ତି ।