ଠିପିଖୋଲା ମଦ ଦୋକାନ ଯୋଗୁ ଲୋକେ ଅତିଷ୍ଠ

ଧାମନଗର (ଆପ୍ର): ଧାମନଗର ବ୍ଲକ୍ରେ ଦିନକୁଦିନ ଚୋରାମଦ, ଗଞ୍ଜେଇ ଓ ଧଳା ଜହର ବେପାର ବୃଦ୍ଧି ପାଇବାରେ ଲାଗିଛି । ଧାମନଗର, ଦୋବଲ, ଧୂଷୁରୀ, ଅସୁରାଳି ସମେତ ନଦୀଗାଁ, ଭଗବାନପୁର, କଲ୍ୟାଣୀ, ଶହୀଦନଗର, କୋଠାର, ପାଳସାହି ଆଦି ଅଞ୍ଚଳରେ ଖୋଲାମେଲାରେ ଏହି ଚୋରାମଦ କାରବାର ହେଉଥିବା ଦେଖିବାକୁ ମିଳୁଛି । ହେଲେ ଏହି ମଦବେପାରକୁ ରୋକିବାପାଇଁ ପୁଲିସ ହାତଯୋଡ଼ି ବସିଥିବାବେଳେ ଅବକାରୀ ବିଭାଗ କହୁଥିବା ବେଳେ ଅବକାରୀ ବିଭାଗର ଅଧିକାରୀ ସମେତ ତଳିଆ କର୍ମଚାରୀମାନେ ଚୋରା ମଦବେପାରୀଙ୍କୁ ପ୍ରୋତ୍ସାହିତ କରୁଥିବା ଦୃଢ଼ ଅଭିଯୋଗ ହେଉଛି । ଫଳରେ ଚୋରା ମଦବେପାରୀମାନେ ନିର୍ଭୟରେ ସେମାନଙ୍କ ବ୍ୟବସାୟୀକ ସାମ୍ରାଜ୍ୟକୁ ବଢ଼ାଇବାରେ ଲାଗିଛନ୍ତି ।
ସେହିପରି ଧାମନଗର- ଚୁଡ଼ାକୁଟି ରାସ୍ତାର ବ୍ଲକ୍ ବଜାର ସନ୍ନିକଟ ରାପିତା ଠାରେ ଏକ ଠିପିଖୋଲା ମଦଦୋକାନ ଖୋଲାଯାଇଥିବାବେଳେ ସେଠାରେ ଖୁଲମ୍ ଖୁଲା ରାସ୍ତା ଉପରେ ବସି ଲୋକେ ମଦ ପିଉଛନ୍ତି । ଖାଲି ଏତିକିନୁହେଁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଗଣ୍ଡଗୋଳ ମଧ୍ୟ କରୁଛନ୍ତି । ଏଥିଯୋଗୁ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକଙ୍କ ସମେତ ଝିଅ ବୋହୂମାନେ ଏହି ରାସ୍ତା ଦେଇ ଯିବାକୁ ଅମଙ୍ଗ ହେଉଛନ୍ତି । ଠିପିଖୋଲା ମଦଦୋକାନ ରାସ୍ତାକଡ଼ରେ ଥିବାରୁ ମଦ୍ୟପ ମାନେ ଖୁଲମ ଖୁଲା ମଦ୍ୟପାନ କରି ରାସ୍ତା ଉପରେ ଗଣ୍ଡଗୋଳ କରୁଛନ୍ତି ଏବଂ ଘଣ୍ଟା ଘଣ୍ଟା ଧରି ସେମାନଙ୍କର ଗାଡ଼ିକୁ ରାସ୍ତା ଉପରେ ରଖି ଟ୍ରାଫିକ ସମସ୍ୟାକୁ ଜଟିଳ କରି ମସଗୁଲ ହେଉଛନ୍ତି ।
ଫଳରେ ଦୈନଦିନ ଉକ୍ତ ରାସ୍ତାଦେଇ ଯାତାୟତ କରୁଥିବା ଛାତ୍ର ଛାତ୍ରୀ ଓ ସାଧାରଣ ଲୋକମାନେ ଅସୁରକ୍ଷିତ ମଣୁଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଏହି ଠିପିଖୋଲା ମଦଦୋକାନକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ସାଧାରଣରେ ଦାବି ହେଉଛି । ଏହାର ପ୍ରତିକାର ନହେଲେ ଆଗାମୀ ଦିନରେ ଜନଆନେ୍ଦାଳନ ହେବ ବୋଲି ସ୍ଥାନୀୟଲୋକେ ଚେତାବନୀ ଦେଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *