ସମାନ ନାଗରିକ ସଂହିତା ପାଇଁ କ୍ଷେତ୍ର ପ୍ରସ୍ତୁତି
ପ୍ରଥମେ ବିଜେପିଶାସିତ ରାଜ୍ୟରେ ଲାଗୁ ହେବା ସଂକେତ
ନୂଆଦିଲ୍ଲୀ, ୩୦ା୫: ବହୁଦିନ ହେଲା ବିବାଦରେ ରହି ଆସିଥିବା ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ୍ କୋଡ୍) ଲାଗୁ କରିବା ପାଇଁ କେନ୍ଦ୍ର ସରକାର କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ବିଜେପି ଶାସିତ ଗୋଆ ଏକମାତ୍ର ରାଜ୍ୟ ଯେଉଁଠି ଏହି ନିୟମ ଲାଗୁ ହୋଇସାରିଛି । ଖୁବ୍ ଶୀଘ୍ର ଉତ୍ତରାଖଣ୍ଡରେ ମଧ୍ୟ ଏହା ଲାଗୁ ହେବ । ଉତ୍ତରାଖଣ୍ଡ ସରକାର ଏ ଦିଗରେ ଆନୁଷଙ୍ଗିକ ପଦକ୍ଷେପ ନେଉଛନ୍ତି । ତଦନୁଯାୟୀ ସୁପ୍ରିମ କୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞ କମିଟି ଗଢ଼ାଯାଇଛି । ମଧ୍ୟପ୍ରଦେଶ, କର୍ଣ୍ଣାଟକ ଆଦି ବିଜେପି ଶାସିତ ରାଜ୍ୟମାନେ ଏହାକୁ ଲାଗୁ କରିବାର ସଙ୍କେତ ଦେଇଛନ୍ତି ।
ସମାନ ନାଗରିକ ସଂହିତାର ଅର୍ଥ ହେଉଛି ସବୁ ଧର୍ମର ଲୋକଙ୍କ ପାଇଁ ବିବାହ, ଛାଡ଼ପତ୍ର, ଭରଣପୋଷଣ, ଉତ୍ତରାଧିକାର, ପୋଷ୍ୟ ଗ୍ରହଣ ଆଦି ସମ୍ବନ୍ଧୀୟ ଆଇନ ସମାନ ହେବ । ଏବେ ବିଭିନ୍ନ ଧର୍ମରେ ଏ ସମ୍ବନ୍ଧୀୟ ଭିନ୍ନ ଭିନ୍ନ ଆଇନ, ପର୍ସନାଲ୍ ଲ’ ଅଛି । ହିନ୍ଦୁମାନଙ୍କ ଆଇନକୁ ସଂହିତାବଦ୍ଧ କରିଦିଆଯାଇଥିବା ସ୍ଥଳେ ମୁସ୍ଲିମ୍ଙ୍କ ପାଇଁ ଶରୀୟତ୍ ବା ପର୍ସନାଲ୍ ଲ’ ଅନୁଯାୟୀ ଆଇନ ପ୍ରଚଳିତ ଅଛି ଯେଉଁଥିରେ ଲିଙ୍ଗ ଆଧାରିତ ସମାନତା ନାହିଁ । ସମାନ ନାଗରିକ ସଂହିତା ଲାଗୁହେଲେ ସମସ୍ତ ଭେଦଭାବ ସମାପ୍ତ ହେବ ଏବଂ ସବୁ ଧର୍ମ ପାଇଁ ସମାନ ଆଇନ ଲାଗୁ ହେବ ।
ଏବେ ୧୮ ରାଜ୍ୟରେ ବିଜେପି ନିଜ ଦମ୍ରେ ବା ସହଯୋଗୀ ଦଳମାନଙ୍କ ସହ ମିଶି ସରକାରରେ ଅଛି । ଯଦି ବିଜେପି ସହଯୋଗୀ ଦଳମାନଙ୍କୁ ମନାଇବାରେ ସଫଳ ହୁଏ ଏବଂ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ସମାନ ନାଗରିକ ସଂହିତା ଲାଗୁ କରିବା ଆରମ୍ଭ କରିଦିଏ, ତେବେ ଦେଶର ଅର୍ଦ୍ଧାଧିକ ଇଲାକାରେ ସବୁ ନାଗରିକଙ୍କ ପାଇଁ ସମାନ ଆଇନ ଲାଗୁ ହୋଇଯିବ ।
ପ୍ରସଙ୍ଗଟି ନୂଆ ନୁହେଁ । ସମ୍ବିଧାନର ନୀତି ନିଦେ୍ର୍ଦଶକ ତତ୍ତ୍ୱ ସମ୍ବନ୍ଧୀୟ ଅନୁଚ୍ଛେଦ-୪୪ରେ କୁହାଯାଇଛି ଯେ ପ୍ରତ୍ୟେକ ରାଜ୍ୟ ସମଗ୍ର ଦେଶରେ ନାଗରିକମାନଙ୍କ ପାଇଁ ସମାନ ନାଗରିକ ସଂହିତା ବ୍ୟବସ୍ଥା ଦିଗରେ ପ୍ରୟାସ କରିବେ । ସୁପ୍ରିମ୍ କୋର୍ଟ ମଧ୍ୟ ଅନେକ ବାର ସମାନ ନାଗରିକ ସଂହିତା କଥା କହିଛନ୍ତି । ଏବେବି ସୁପ୍ରିମ୍ କୋର୍ଟ ଓ ବିଭିନ୍ନ ହାଇକୋର୍ଟରେ ଏହି ପ୍ରସଙ୍ଗ ବିଚାରାଧୀନ । ଏହି ସଂହିତା ଲାଗୁ କରିବା ଦାବିରେ ଦିଲ୍ଲୀ ହାଇକୋର୍ଟରେ ୬ଟି ପିଟିସନ୍ ଦାଖଲ ହୋଇଛି । ଏ ସମ୍ବନ୍ଧରେ ହାଇକୋର୍ଟ କେନ୍ଦ୍ରକୁ ନୋଟିସ୍ ଜାରି କରିଥିଲେ । କେନ୍ଦ୍ର ସରକାର ଗତବର୍ଷ ଜବାବ ଦାଖଲ କରି ଏହା ଉପରେ ଗଭୀର ଅଧ୍ୟୟନ ଆବଶ୍ୟକ ହେଉଥିବାରୁ ବିଧାୟିକା ବିଚାରବିମର୍ଶ କରିବେ ବୋଲି ଦର୍ଶାଇବା ସହ କୋର୍ଟ ଆଦେଶ ଦେବା ଠିକ୍ ନୁହେଁ ବୋଲି ଦର୍ଶାଇଥିଲେ । ସେଥିରେ ମଧ୍ୟ କେନ୍ଦ୍ର ସରକାର ଆହୁରି କହିଥିଲେ ଯେ ମାମଲାଟିକୁ ବିଧି ଆୟୋଗ ନିକଟକୁ ପଠାଇ ଦିଆଯିବ । ଦିଲ୍ଲୀ ହାଇକୋର୍ଟରେ ପଡ଼ି ରହିଥିବା ମାମଲାଗୁଡ଼ିକୁ ସୁପ୍ରିମ୍ କୋର୍ଟକୁ ସ୍ଥାନାନ୍ତର କରିବା ସମ୍ବନ୍ଧରେ ୫ଟି ପିଟିସନ୍ ସର୍ବୋଚ୍ଚ ଅଦାଲତରେ ମଧ୍ୟ ଦାଖଲ କରାଯାଇଛି ।
ସେସବୁର ଶୁଣାଣି ଆରମ୍ଭ ହୋଇନାହିଁ । ବିଜେପି ଏଜେଣ୍ଡାରେ ତ ଏହା ବହୁ ଆଗରୁ ଅଛି । ଏବେ କେନ୍ଦ୍ର ସରକାରୀ ସ୍ତରରେ ଏହାକୁ ନେଇ ବିଚାରବିମର୍ଶ ତେଜିଛି । ସମାନ ନାଗରିକ ସଂହିତାକୁ ଅନେକ ବର୍ଗ, ବିଶେଷକରି ମୁସ୍ଲିମ୍ମାନେ ବିରୋଧ କରୁଛନ୍ତି । ସେମାନଙ୍କ ମତରେ ଏହା ସେମାନଙ୍କ ପର୍ସନାଲ୍ ଲ’ରେ ହସ୍ତକ୍ଷେପ । ଜମିୟତ୍ ଉଲେମା ହିନ୍ଦ୍ ରବିବାର ଏକ ପ୍ରସ୍ତାବରେ ସମାନ ନାଗରିକ ସଂହିତାକୁ ବିରୋଧ କରିଛି । ସୁପ୍ରିମ୍ କୋର୍ଟର ବରିଷ୍ଠ ଓକିଲ ରାକେଶ ଦ୍ୱିବେଦୀ ମତରେ ଧର୍ମ ସହ ସମାନ ନାଗରିକ ସଂହିତାର କୌଣସି ସମ୍ପର୍କ ନାହିଁ, ଏହା ଦିୱାନୀ ଆଇନ ସମ୍ପର୍କିତ; ତେଣୁ ଏହାକୁ ଧର୍ମ ସହ ଯୋଡ଼ିବା ଠିକ୍ ନୁହେଁ । ଏହା ମଧ୍ୟ ସମ୍ବିଧାନ ବହିର୍ଭୂତ ନୁହେଁ ।