ପୁରୁଷ ବେଶରେ ଆସି ସ୍କୁଟି ଡିକିରୁ ହୀରା ମୁଦି ଲୁଟ୍
ପୁରୀ (ବୁ୍ୟରୋ): ଲୁଟ୍ର ନୂଆ ତରିକା ଦେଖିବାକୁ ମିଳିଛି ପୁରୀରେ । ଜଣେ ଯୁବତୀ ଯୁବକ ବେଶରେ ସଜ୍ଜିତ ହୋଇ ଗାଡ଼ିର ଡିକି ଭାଙ୍ଗି ଲୁଟ୍ କରି ଫେରାର୍ ମାରିଛି । ଏହି ଲୁଟ୍ର ଦୃଶ୍ୟ ସିଧାସଳଖ ସିସିଟିଭିରେ କଏଦୀ ହୋଇଛି । ଫଳରେ ଯାହାକୁ ନେଇ ସହରରେ ଚର୍ଚ୍ଚା ଜୋର ଲାଗିଛି । ଅନ୍ୟପକ୍ଷରେ କୁମ୍ଭାରପଡ଼ା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ସିସିଟିଭି ଭିଜୁଆଲ୍କୁ ଢାଲ କରି ଛାନ୍ଭିନ୍ ଜାରି ରଖିଛି । ଲୁଟ୍ ହେବାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ଯୁବତୀ ଲୁଟେରାର ଟେର୍ ପାଇପାରି ନାହିଁ ପୁଲିସ । କେବେ ପୁଲିସ ନୂଆ ତରିକା ଲୁଟ୍ର ପର୍ଦ୍ଦାଫାସ କରୁଛି ତାହା ଉପରେ ସହରବାସୀଙ୍କ ନଜର ।
ସୂଚନାଥାଉକି, ପୁରୀରେ ଆୟୋଜିତ ଆଇସିଆଇସିଆଇ ବ୍ୟାଙ୍କର ବ୍ୟବସାୟ ବିଭାଗର ୧୫ ଦିନିଆ କ୍ୟାମ୍ପରେ ଯୋଗଦେବାକୁ ଆସିଥିବା କର୍ମଚାରୀ ଜଣଙ୍କ ହେଲେ ସରିତା ସାମଲ । ସେ ଭୁବନେଶ୍ୱରରୁ ଆସିଛନ୍ତି । ସେ ବଡ଼ଦାଣ୍ଡସ୍ଥିତ ଏକ ମାର୍କେଟ ଛକରେ ଥିବା ଏକ ଲଜ୍ରେ ରହୁଥିଲେ । ମାତ୍ର ତାଙ୍କର ସ୍କୁଟି (ଓଡି-୩୪-ଏ-୪୨୫୫)କୁ ଲଜ୍ ସମ୍ମୁଖର ରଖିଥିଲେ । ହେଲେ ଭୁଲରେ ଗାଡ଼ି ଡିକିରେ ଥିବା ମନିପର୍ସ ନେଇନ ଥିଲେ । ସେହି ମନିପର୍ସରେ ଏକ ହୀରାମୁଦି ଥିଲା । କିନ୍ତୁ ଗତ ରବିବାର ଭୋର ୫ଟା୧୫ ସମୟରେ ଜଣେ ଯୁବତୀ ଯୁବକ ବେଶରେ ଆସି ତାଙ୍କ ସ୍କୁଟିର ଡିକି ଭାଙ୍ଗି ସେଥିରେ ଥିବା ଏକ ହୀରା ମୁଦି, ଆଧାରକାର୍ଡ, ପରିଚୟପତ୍ର ସମେତ ଅନ୍ୟାନ୍ୟ କାର୍ଡ ଆଦି ଲୁଟି ନେଇ ଫେରାର ହୋଇଯାଇଥିଲା । ଏହି ଲୁଟ୍ର ଦୃଶ୍ୟ ସିଧାସଳଖ କ୍ୟାମେରାରେ କଏଦ ହୋଇଥିବା ଦେଖିବାକୁ ମିଳିଛି । କୁମ୍ଭାରପଡ଼ା ଥାନାରେ କର୍ମଚାରୀ ସରିତା ଅଭିଯୋଗ କରିବା ସହ ସିସିଟିଭିର ଦୃଶ୍ୟ ମଧ୍ୟ ପୁଲିସକୁ ହସ୍ତାନ୍ତର କରିଛି । ପୁଲିସ ଏକ ମାମଲା ରୁଜୁକରି ଛାନ୍ଭିନ୍ ଜାରି ରଖିଥିବା ଥାନାଧିକାରୀ ବିଚିତ୍ରାନନ୍ଦ ସେଠୀ ସୂଚନା ଦେଇଛନ୍ତି ।