କ୍ୟାନ୍ସର ଯୋଗୁଁ କମୁଛି ପୁତିନଙ୍କ ଦୃଷ୍ଟିଶକ୍ତି

ରୁଷ (ଏଜେନ୍ସି): ଏଫ୍ଏସ୍ବି (ରୁଷ ଫେଡେରାଲ ସିକୁ୍ୟରିଟି ସର୍ଭିସ)ର ଜଣେ ଅଧିକାରୀ ଦାବି କରିଛନ୍ତି ଯେ ୬୯ ବର୍ଷିୟ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କ ଦୃଷ୍ଟି ଶକ୍ତି ହରାଉଛନ୍ତି । ପୁଟିନ୍ଙ୍କ ସ୍ୱାସ୍ଥ୍ୟବସ୍ଥାରେ ଦ୍ରୁତ ଗତିରେ ଅବନତି ହେଉଥିବା କଳ୍ପନାଜଳ୍ପନା ମଧ୍ୟରେ ଏହି ସୂଚନା ଆସିଛି । ତେବେ ରୁଷ୍ ବୈଦେଶିକ ମନ୍ତ୍ରୀ ସରୋଜ ଲାଭ୍ରୋଭ ରବିବାର ରାଷ୍ଟ୍ରପତି ପୁଟିନ ଅସୁସ୍ଥ ଥିବା ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ ବ୍ରିଟେନରେ ରହୁଥିବା ପୂର୍ବତନ ରୁଷୀୟ ଗୁପ୍ତଚର ବୋରିସ୍ କାର୍ପିଚକୋଭଙ୍କୁ ଏକ ବାର୍ତ୍ତା ଦେଇ ଏଫ୍ଏସ୍ବୀ ଅଧିକାରୀ ପୁଟିନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସବିଶେଷ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆମକୁ କୁହାଯାଇଛି ଯେ ସେ ମୁଣ୍ଡବିନ୍ଧାର ଶିକାର ହୋଇଛନ୍ତି । ଯେତେବେଳେ ସେ ଟିଭି ଦେଖନ୍ତି ସେତେବେଳେ ତାଙ୍କୁ କ୍ୟାପିଟାଲ୍ ଅକ୍ଷରରେ ଲେଖାଯାଇଥିବା ଏକ କାଗଜର ଆବଶ୍ୟକ ହୁଏ, ଯାହାଫଳରେ ସେ ଯାହା କହିବାକୁ ଯାଉଛନ୍ତି ତାହା ପଢ଼ିପାରିବେ । ଏହି ଅକ୍ଷରଗୁଡ଼ିକ ଏତେ ବଡ଼ ଯେ ପ୍ରତ୍ୟେକ ପୃଷ୍ଠାରେ କେବଳ କିଛି ବାକ୍ୟ ରହିପାରେ । ନୁ୍ୟଜ୍.କମ୍.ଏୟୁ ଦ୍ୱାରା ପ୍ରକାଶିତ ବାର୍ତ୍ତାର ଏକ ଅଂଶ ଅନୁଯାୟୀ, ତାଙ୍କର ଦୃଷ୍ଟିଶକ୍ତି ଗୁରୁତର ଭାବେ ପ୍ରଭାବିତ ହେଉଛି ।
ଏହି ପରିପ୍ରେକ୍ଷୀରେ ପ୍ରକାଶିତ ଏକ ରିପୋର୍ଟରେ ମେଟ୍ରୋ ଏକ୍ସପ୍ରେସ୍ ପକ୍ଷରୁ କୁହାଯାଇଛି ଯେ ପୁଟିନଙ୍କ ଅଙ୍ଗ ବର୍ତ୍ତମାନ ଅନିୟନ୍ତ୍ରିତ ଭାବରେ କମ୍ପୁଛି । ଚଳିତ ମାସ ପ୍ରାରମ୍ଭରେ, ଏକ୍ସପ୍ରେସ୍ ଏକ ରିପୋର୍ଟ ଦେଇଥିଲା ଯେଉଁଥିରେ କୁହାଯାଇଛି ଯେ ପୁଟିନଙ୍କ ପେଟରେ ଅସ୍ତ୍ରୋପଚାର କରାଯାଇଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ରୁଷୀୟ ବୈଦେଶିକ ଗୁପ୍ତଚର ସେବା ସହ ଜଡ଼ିତ ଟେଲିଗ୍ରାମ ଚ୍ୟାନେଲ ଜେନେରାଲ ଏସ୍ଭିଆର୍କୁ ଏହି ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ ଲାଭ୍ରୋଭ ରୁଷର ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟ ବିଷୟରେ କଳ୍ପନାଜଳ୍ପନାକୁ ଅସ୍ୱୀକାର କରିଛନ୍ତି । ଫ୍ରାନ୍ସର ବ୍ରଡକାଷ୍ଟର ଟିଏଫ୍୧ର ଏକ ପ୍ରଶ୍ନର ଉତ୍ତରରେ ରୁଷର ସର୍ବୋଚ୍ଚ କୂଟନୀତିଜ୍ଞ କହିଛନ୍ତି ଯେ ମୁଁ ଭାବୁ ନାହିଁ ଯେ ବୁଦ୍ଧିମାନ ଲୋକମାନେ ଏହି ବ୍ୟକ୍ତିଠାରେ କୌଣସି ପ୍ରକାରର ରୋଗ କିମ୍ବା ରୋଗର ଲକ୍ଷଣ ଦେଖିପାରିବେ । ଅକ୍ଟୋବରରେ ପୁଟିନଙ୍କୁ ୭୦ ବର୍ଷ ବୟସ ହେବ ବୋଲି ସେ କହିଛନ୍ତି । ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *