ଯୌତୁକ ପାଇଁ ଶାଶୂ-ଶ୍ୱଶୁରଙ୍କୁ ଛୁରାମାଡ଼
ଜ୍ୱାଇଁକୁ ମାଡ଼ମାରି ପୁଲିସ ଜିମା ଦେଲେ ଗ୍ରାମବାସୀ
ଖଲ୍ଲିକୋଟ (ଆପ୍ର): ଖଲ୍ଲିକୋଟ ଥାନା ଅଧୀନ ଭେଜିପୁଟ ଗ୍ରାମର ଓଡ଼ିଆ ସାହିରେ ଯୌତୁକକୁ କେନ୍ଦ୍ରକରି ଶାଶୂ-ଶ୍ୱଶୂରଙ୍କୁ ଜ୍ୱାଇଁ ଛୁରାମାଡ଼ କରିଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗ୍ରାମର ପଙ୍କଜ ସାହୁଙ୍କ ଦ୍ୱିତୀୟ ଝିଅ ନମିତା ସାହୁ ଗତ ୧୧ମାସ ପୂର୍ବେ କୋଦଳା ସହରର ପଣ୍ଡା ସାହିର କୁନା ପାଳ(୨୭)ଙ୍କୁ ବିବାହ କରିଥିଲା । ବିବାହ ସମୟରେ ନମିତାଙ୍କ ବାପାଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନ ଥିବାରୁ ସେ ଯୌତୁକ ଦେଇପାରି ନ ଥିଲେ । ଯାହା ଫଳରେ ବିବାହର ୧ମାସ ପରେ ନମିତାଙ୍କୁ ଶ୍ୱଶୂର ଘର ପରିବାର ଲୋକେ ଅକଥନୀୟ ନିର୍ଯ୍ୟାତନା ଦେଇ ଆସୁଥିଲେ । ନିର୍ଯ୍ୟାତନା ସହି ନ ପାରି ବିବାହର ମାସେ ପରେ ନମିତା ନିଜ ବାପ ଘରକୁ ଫେରି ଆସିଥିଲେ । ଏହି ଘଟଣାକୁ ନେଇ ଉଠିଥିବା ବିବାଦର ଗାଁ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଭେଜିପୁଟ ଫାଣ୍ଡିରେ ଆପୋଷ ମିଳାମିଶା ପରେ ନମିତା ନିଜ ଶାଶୂ ଘରକୁ ଫେରିଥିଲେ ।
ନମିତା ୭ମାସର ଗର୍ଭବତୀ ହେବା ପରେ ନିଜ ବାପାଙ୍କ ଘର ଭେଜିପୁଟକୁ ମାସେ ତଳେ ଆସିଥିଲେ । ସୋମବାର ସାବିତ୍ରୀ ଅମାବାସ୍ୟା ଦିନ ଦିବା ୧୧ଟା ସମୟରେ ହଠାତ୍ ଜ୍ୱାଇଁ କୁନା ପାଳ ତାଙ୍କର ଏକ ସାଙ୍ଗ ସହ ଶ୍ୱଶୂର ଘରେ ପଶିବାକୁ ଉଦ୍ୟମ କରୁଥିବା ବେଳେ ଶ୍ୱଶୂର ପଙ୍କଜ ସାହୁ ତାଙ୍କୁ ବିରୋଧ କରିଥିଲେ । ସେ ସାଥିରେ ଆଣିଥିବା ଏକ ଧାରୁଆ ଛୁରୀ ସାହାଯ୍ୟରେ ପଙ୍କଜଙ୍କୁ ଆକ୍ରମଣ କରିଥିଲେ । ଏହା ଦେଖି ଶାଶୂ ପ୍ରମିଳା ଧାଇଁ ଆସି ରକ୍ଷାକର ବୋଲି ପାଟି କରିବା ଫଳରେ ସେ ତାଙ୍କୁ ମଧ୍ୟ ଛୁରାମାଡ଼ କରିଥିଲେ । ଉଭୟଙ୍କୁ ଆକ୍ରମଣ କରି ଦୌଡି ପଳାଉଥିବା ବେଳେ ଗ୍ରାମବାସୀମାନେ କୁନାଙ୍କୁ ନିର୍ଦ୍ଧୁମ ମାଡ଼ମାରି ଅଟକ ଭେଜିପୁଟ ଫାଣ୍ଡିରେ ତାଙ୍କର ବାଇକ୍, ବ୍ୟବହୃତ ଛୁରୀ ଓ ମୋବାଇଲ ଜିମା ଦେଇଥିଲେ । ଘଟଣାସ୍ଥଳରୁ ତାଙ୍କ ସହଯୋଗୀ ଫେରାର ହୋଇଯାଇଥିଲା । ଆହତ ଶାଶୂ ଶ୍ୱଶୂରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଗ୍ରାମବାସୀ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଦୁହିଁଙ୍କୁ ବ୍ରହ୍ମପୁର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି । ଘଟଣା ସମ୍ପର୍କରେ ପଙ୍କଜଙ୍କ ସାନ ଝିଅ ଭେଜିପୁଟ ଫାଣ୍ଡିରେ ଏତଲା ଦେବା ପରେ ପୁଲିସ୍ ଘଟଣାର ତଦନ୍ତ ଚଳାଇଛି ।